ମାନସ ମଙ୍ଗରାଜଙ୍କ ଉପରେ ସାମ୍ବାଦିକଙ୍କ କଲ୍ୟାଣ ଦାୟିତ୍ୱ

1 min read

ଭୁବନେଶ୍ୱର: ସାମ୍ବାଦିକଙ୍କ ସମସ୍ୟାର ସମାଧାନ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଟା ମାନସ ରଂଜନ ମଙ୍ଗରାଜଙ୍କ ଉପରେ ଏହାର ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ତାଙ୍କ ସହ ପରାମର୍ଶ କରିବ । ସାମ୍ବାଦିକତାରେ ଦୀର୍ଘ ଦିନର ଅଭିଜ୍ଞତା ଥିବା ମାନସ ମଙ୍ଗରାଜଙ୍କ ପରାମର୍ଶକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଗୁରୁତ୍ୱ ଦେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି କରିଛି ।ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବୀମା, ଗାଡ଼ି ଓ ଗୃହ ଋଣରେ ସୁଧ ହ୍ରାସ ଉପରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଅକାଳବିୟୋଗର ଶିକାର ହେଉଥିବା ସାମ୍ବାଦିକଙ୍କ ପିଲାଙ୍କ ପାଠାପଢ଼ା ଦାୟିତ୍ୱ ବି ସରକାର ନିଜ ଉପରେ ନେଇଛନ୍ତି । ମାନସଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ହେବା ପରେ ଏହିସବୁ ଯୋଜନା କାଗଜ କଲମରେ ନରହି ବାସ୍ତବ ରୂପ ନେବ । ଯୋଗ୍ୟ ସାମ୍ବାଦିକ ସଠିକ୍ ସମୟରେ ଏହିସବୁ ହିତାକାଂକ୍ଷୀ ଯୋଜନାର ସୁଫଳ ପାଇପାରିବେ ।

ସାମ୍ବାଦିକଙ୍କ କଲ୍ୟାଣ ଦାୟିତ୍ୱ ସହିତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମକୁ ରାଜ୍ୟ ସରକାର ଦେଉଥିବା ବିଜ୍ଞାପନ ବଣ୍ଟନରେ ଶ୍ରୀ ମଙ୍ଗରାଜଙ୍କର ପରାମର୍ଶରେ ବିଜ୍ଞାପନ ଆବଣ୍ଟନ ନିଷ୍ପତ୍ତି ନିଆଯିବ । ସୂଚନାଥାଉକି, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଭାବେ ମାନସ ମଙ୍ଗରାଜଙ୍କୁ ନିଯୁକ୍ତି ମିଳିଛି । ଏହା ସହ ତାଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ଦାୟିତ୍ୱ ନେବାର ୨ ମାସ ମଧ୍ୟରେ ସେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ବେଶ ଚଳଚଞ୍ଚଳ କରିବାରେ ସକ୍ଷମ ହୋଇଛନ୍ତି ।ଜଣେ ଦକ୍ଷ ଓ ସଫଳ ସାମ୍ବାଦିକ ଭାବେ ସୁନାମ ଅର୍ଜନ କରିଥିବା ମାନସ ନିଜର ଅଭିଜ୍ଞତାକୁ ପାଥେୟ କରି ରାଜ୍ୟର ସାମ୍ବାଦିକମାନଙ୍କ ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ ବୋଲି ସାମ୍ବାଦିକମହଲରେ ଆଶା ପ୍ରକାଶ ପାଇଛି । ମାନସ ମଙ୍ଗରାଜ ସୂଚନା ଓ ଲୋକସମ୍ପର୍କ ବିଭାଗର ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଗୁଡ଼ିକରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ଶ୍ରୀ ମଙ୍ଗରାଜ ନିଜର ମୂଳ ଦାୟିତ୍ୱ ସହ ଏହି ଦାୟିତ୍ୱକୁ ସ୍ୱତନ୍ତ୍ର ଭାବେ ସମ୍ଭାଳିବେ । ')}

Leave a Reply