ମିଲିଟ୍ରି ଡେ ପରେଡରେ ବିନା ମାସ୍କରେ ପହଞ୍ଚିଲେ ଫ୍ରାନ୍ସର ମନ୍ତ୍ରୀ, ତା’ପରେ…

1 min read

ପ୍ୟାରିସ୍: ମହାମାରୀ ସଂକ୍ରମଣ ଭୟରେ ସମସ୍ତେ । ନେତା, ଜନତା ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ । କିନ୍ତୁ ଫ୍ରାନ୍ସରୁ ଆସିଥିବା ଏହି ଘଟଣା ଆପଣଙ୍କୁ ଚକିତ କରିଦେବ । ଯେଉଁଠି ମାସ୍କ ପିନ୍ଧିନଥିବାରୁ ଜଣେ ମନ୍ତ୍ରୀ ନିଜ ମୁହଁକୁ ହାତରେ ଲୁଚାଉଛନ୍ତି । ପ୍ରକୃତରେ ଉଦ୍ୟୋଗ ମନ୍ତ୍ରାଳୟର ଜୁନିଅର ମନ୍ତ୍ରୀ ଏଗ୍ନେସ ପନ୍ନିୟର-ରନର ବୈଷ୍ଟିଲ ଡେ ସୈନ୍ୟ ପରେଡ ପାଇଁ ପ୍ୟାରିସ୍ ପ୍ଲେସ୍ ଡେ ଲା କାନକଡ ଯାଇଥିଲେ ।

ସେଠାରେ ସେ ପହଞ୍ଚିବା ପରେ ବିଭିନ୍ନ ଅଧିକାରୀଙ୍କ ସହ ମିଶିଥିଲେ । ତେବେ, ତାଙ୍କୁ ହଠାତ୍ ମନେ ପଡ଼ିଥିଲା କି ସେ ମୁହଁରେ ମାସ୍କ ପିନ୍ଧିବାକୁ ଭୁଲି ଯାଇଛନ୍ତି । ସମସ୍ତେ ସେଠାରେ ମାସ୍କ ପିନ୍ଧିଥିବା ବେଳେ ମନ୍ତ୍ରୀ ହିଁ ମାସ୍କ ପିନ୍ଧିନଥିଲେ । ସେ ତୁରନ୍ତ ମୁହଁକୁ ନିଜ ହାତରେ ଲୁଚାଇବାକୁ ଚେଷ୍ଟା କରିଥିଲେ । ଏବଂ ନିଜ ଗାଡ଼ି ଆଡ଼କୁ ଯିବାକୁ ଚେଷ୍ଟା କରିଥିଲେ । ମନ୍ତ୍ରୀଙ୍କ ଅଧିକାରୀ ଇସାରା ବୁଝିପାରି କିଛି ସମୟ ମଧ୍ୟରେ ତାଙ୍କୁ ଏକ ମାସ୍କ ଆଣି ଦେଇଥିଲେ ।

ଫ୍ରାନ୍ସ ରାଷ୍ଟ୍ରପତି ଲୋକଙ୍କୁ ଘର ବାହାରିବା ମାତ୍ରେ ମାସ୍କ ପିନ୍ଧିବାକୁ କହୁଛନ୍ତି । ଏପରିକି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ମାସ୍କ ପିନ୍ଧିବାକୁ କହୁଛି । ମାସ୍କ ନ ପିନ୍ଧିବା କାରଣରୁ ଦୁନିଆର ଅନେକ ନେତା ସମାଲୋଚନାର ଶିକାର ହେଉଛନ୍ତି । ଏପରିକି ସମାଲୋଚନାର ଶିକାର ହେବା ପରେ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମଥର ପାଇଁ ମାସ୍କରେ ନଜର ଆସିଥିଲେ ।

Leave a Reply