ଧରାପଡ଼ିଲେ ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ୧୨ ଶିକ୍ଷକ

କେନ୍ଦୁଝର: ସାରଙ୍କ ଚଞ୍ଚକତା । ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିଲେ ଶିକ୍ଷକ । ଜଣେ କି ଦୁଇ ଜଣ ନୁହେଁ ଏଭଳି ୧୨ ଜଣ ଶିକ୍ଷକ ଧରାପଡ଼ିଛନ୍ତି । କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକରୁ ଧରା ପଡ଼ିଥିବା ୧୨ ଜଣ ଶିକ୍ଷକ ଜାଲ୍ ବିଇଡି ସାର୍ଟିଫିକେଟ୍ ଦେଇ ଚାକିରି କରିଥିଲେ । ସରକାରଙ୍କ ନିର୍ଦ୍ଦେଶ ପରେ ଯାଞ୍ଚରୁ ଜଣାପଡ଼ିଛି ନିଯୁକ୍ତି ବେଳେ ସେମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ ଦେଇଥିଲେ ଯାହା କି ଜାଲ୍ ।

ଏଭଳି ୧୨ ଜଣ ଶିକ୍ଷକ ଧରାପଡ଼ିବା ପରେ ସେମାନଙ୍କ ନାଁରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଇଓମାନଙ୍କୁ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ । ଜିଲ୍ଲାର ଯୋଡ଼ା ବ୍ଲକରୁ ଜଣେ ଶିକ୍ଷକ, ସାହଡ଼ପଡ଼ା ବ୍ଲକରୁ ୨ ଜଣ, ହରିଚନ୍ଦନପୁର ବ୍ଲକରୁ ୨ ଜଣ, ବାଂଶପାଳ ବ୍ଲକରୁ ୨ ଜଣ, ଘସିପୁରା ବ୍ଲକରୁ ଜଣେ, ହାଟଡିହି ବ୍ଲକରୁ ୨ ଜଣ, ଝୁମ୍ପୁରା ବ୍ଲକରୁ ଜଣେ ଓ ପାଟଣା ବ୍ଲକରୁ ଜଣେ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଶିକ୍ଷକ ଧରାପଡ଼ିଛନ୍ତି ।

କେବଳ କେନ୍ଦୁଝର ଅନେକ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏମିତି ମାମଲା ସାମନାକୁ ଆସୁଛି । କେବେ କିଏ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ କୋଟା ଚାକିରି ମାଡ଼ି ବସୁଛି ତ ଆଉ କିଏ ଯୋଗ୍ୟତା ନଥାଇ ମିଛ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି କରୁଛି ।

Leave a Reply