ଜେଲରୁ ମୁକ୍ତ ହେବାର ୧୦ ଦିନ ମଧ୍ୟରେ ଚାକିରି ପାଇଲେ ପୂର୍ବତନ କଏଦୀ

1 min read

ଫ୍ଲୋରିଡ଼ା: ଜେଲରୁ ମୁକ୍ତ ହେବା ନିହାତି ଭାବରେ ଏକ ସକରାତ୍ମକ ଅନୁଭୂତି । ଅନେକ ଦିନ ଧରି ବାହାର ଦୁନିଆ ସହିତ କଏଦୀଟିର ଯୋଗାଯୋଗ ବିଛିନ୍ନ ହୋଇଥାଏ । ଚାଲିଚଳଣି ମଧ୍ୟ ବଦଳି ଯାଇଥାଏ । କିନ୍ତୁ ବାହାରକୁ ଆସିବା ମାତ୍ରେ ସାମ୍ନାକୁ ଚାଲିଆସେ ସଙ୍ଗର୍ଷର କରୁଣ ଚିତ୍ର । ଜୀବନଶୈଳୀ ବାଧାପ୍ରାପ୍ତ ହୁଏ । ବନ୍ୟାର କରାଳ ରୂପ ଭଳି ଜୀବନଟା ଅନ୍ଧକାରମୟ ଲାଗେ । କେବେ ସେ ଘୃଣାର ପାତ୍ର ସାଜେ ତ କେତେବେଳେ ନିରାଶ  ଜୀବନରେ ଛାଇ ଯାଏ । ଏଭଳି ପରିସ୍ଥିତିରେ ସେ ବଞ୍ଚିବାର ରାସ୍ତା ଖୋଜେ । ଆଉ ଏଥିପାଇଁ ତାକୁ ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚିବାକୁ ପଡ଼େ । ଏଭଳି କିଛି ପୂର୍ବତନ କଏଦି ଅଛନ୍ତି ଯେଉଁ ମାନେ ଜୀବନରେ ସମସ୍ତ ସମସ୍ୟାକୁ ପଛରେ ପକାଇ ସଫଳତା ପାଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋଣ୍ଡାରେଲ ହାରିସ୍ ଜଣେ । ନିକଟରେ ସେ ଟ୍ୱିଟରରେ ତାଙ୍କ ଖୁସିକୁ ସାରା ଦୁନିଆ ସହିତ ବାଣ୍ଟିଛନ୍ତି । ଜେଲରୁ ଆସିବାର ଖୁବ କମ ଦିନ ମଧ୍ୟରେ ଚାକିରି ପାଇଛନ୍ତି । ତାହା ପୁଣି ଜୀବନର ପ୍ରଥମ ଚାକିରି । ବାସ୍ତବରେ ଜେଲରୁ ଆସିବାର ୧୦ ଦିନ ମଧ୍ୟରେ ଚାକିରି ପାଇଛନ୍ତି ହାରିସ । ନିହାତି ଭାବରେ ଏହା ତାଙ୍କ ପାଇଁ ଏକ ବଡ଼ ଡିଲ ଏବଂ ଚ୍ୟାଲେଞ୍ଜ ମଧ୍ୟ ।

ଜେଲରୁ ବାହାରିବା ପରେ ନୂଆ ଭଳି ଜୀବନ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି ହାରିସ୍ । ହାରିସଙ୍କୁ  ହଠାତ୍ କାମ ମିଳିଯିବାଟା ନିହାତି ଭାବରେ ଆଶ୍ଚର୍ଯ୍ୟଜନକ। କାରଣ ଜେଲରୁ ବାହାରିଥିବା ବ୍ୟକ୍ତିର ଜୀବନ ଅନ୍ୟମାନଙ୍କ ଭଳି ସମାନ ନଥାଏ । ପୂର୍ବରୁ କଏଦୀ ଥିବାରୁ ଚାକିରି ଦେବାକୁ କୁଣ୍ଠାବୋଧ କରନ୍ତି ଅନେକ ନିଯୁକ୍ତିଦାତା । କେବେ କିଛି ସମସ୍ୟା ହେବା ଭୟରେ କେତେକ କର୍ମଚାରୀ ଏମାନଙ୍କ ସହିତ କାମ କରିବା ପାଇଁ ମଧ୍ୟ ନାପସନ୍ଦ କରନ୍ତି । ଏଭଳି ପରିସ୍ଥିତିରେ ଜୀବନକୁ ପୁଣିଥରେ ଗଢି ତୋଳିବା ଖୁବ କଷ୍ଟସାଧ୍ୟ ହୋଇଥାଏ । କିନ୍ତୁ ୧୦ ଦିନ ମଧ୍ୟରେ ଚାକିରି ଖୋଜି ପାଇଯିବା ପରେ ହାରିସ୍ ଅନ୍ୟ ଜେଲ ଫେରନ୍ତା କଏଦୀ ମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ।

 

 

ବିଶ୍ୱବ୍ୟାପୀ କରୋନା ମହାମାରୀ କାଳରେ ଚାକିରି ପାଇବା ଏକ ପ୍ରତିଯୋଗୀତା ହୋଇଥିବା ବେଳେ ହାରିସଙ୍କ ଏଭଳି ହଠାତ୍ ଚାକିରି ପାଇବା ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହା ସହିତ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ହାରିସ ଏହି ଖବର ପୋଷ୍ଟ କରିବାର ଗୋଟିଏ ଦିନ ମଧ୍ୟରେ ୭ ଲକ୍ଷ ଲାଇକ୍ସ ପାଇଥିବା ବେଳେ ୩୯,୯୦୦ ଥର ରିଟ୍ୱିଟ୍ ହୋଇଛି । କେତେକ ପୂର୍ବ କଏଦୀ ଦୀର୍ଘ ଦିନ ଧରି କାମ ପାଇନଥିବା କଥା ମଧ୍ୟ ହାରିସଙ୍କ ସହିତ ଶେୟାର କରିଛନ୍ତି ।

ସୂଚନାଯୋଗ୍ୟ ହାରିସ ତାଙ୍କ ବନ୍ଧୁ ରିକ୍ ଓ୍ୱଲଟରଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । ଯିଏ ଜଣେ ପୂର୍ବ କଏଦୀ ଏବଂ ସଫ୍ଟଓ୍ୱେର ଡେଭଲପର ମଧ୍ୟ । ରିକଙ୍କୁ ନଜରରେ ରଖି କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗରେ କ୍ୟାରିଅର କରିବାକୁ ନିଷ୍ପତ୍ତି ନେଇଥିଲେ ହାରିସ୍ । ଶେଷରେ ସଫଳତା ମଧ୍ୟ ପାଇଲେ । ବାସ୍ତବରେ ହାରିସଙ୍କ କାହାଣୀ ଖୁବ ନିଆରା ।

Leave a Reply