ହସ୍ପିଟାଲ ଛାଡ୍ କଲା କରୋନା ରୋଗୀଙ୍କ ୧.୫କୋଟିର ବିଲ୍,୧୦ ହଜାର ଟଙ୍କା ହାତ ଖର୍ଚ୍ଚ ସହ ଦେଲା ମାଗଣା ଫ୍ଲାଇଟ୍ ଟିକେଟ୍!

dubai hospital waives off crore bill coronavirus patient

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ବିଶ୍ୱର ବିଭିନ୍ନ ଦେଶ ବହୁ ସଂଖ୍ୟକ ଲୋକ କରୋନାଭାଇରସରେ ସଂକ୍ରମିତ ହେଉଛନ୍ତି । କିଛି ଲୋକ ନିଜ ଘରଠାରୁ ବହୁ ଦୂରରେ ଅନ୍ୟ ଦେଶରେ ଫସି ରହିଛନ୍ତି।  ଯଦି ସେହି ସମୟରେ ଲୋକଟି କୋଭିଡ୍ ୧୯ ସଂକ୍ରମିତ ହୁଅନ୍ତି ତେବେ ସେମାନଙ୍କର ଅସୁବିଧା ଆହୁରି ବଢିଯାଏ । ଠିକ୍ ଏହିପରି ଏକ ମାମଲା ଦୁବାଇରୁ ଆସିଥିଲା । ଦୁବାଇରେ ରହୁଥିବା ତେଲେଙ୍ଗାନାର ଜଣେ ଗରିବ ଲୋକ ଓଦନଲା ରାଜେଶଙ୍କୁ ପ୍ରାୟ ତିନିମାସ ପୂର୍ବେ କରୋନା ସଂକ୍ରମଣ ହୋଇଥିଲା । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଦୁବାଇର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଲକଡାଉନ କାରଣରୁ ସବୁ କାମ ବନ୍ଦ ହୋଇଯାଇଥିଲା ଏବଂ ତାଙ୍କ ପାଖରେ ମେଡ଼ିକାଲରେ ବିଲ୍ ଦେବାକୁ ଟଙ୍କା ନଥିଲା | ଏଭଳି ପରିସ୍ଥିତିରେ ଡାକ୍ତରଖାନା ୧.୫୨ କୋଟି ଟଙ୍କାର ବିଲ୍ ଛାଡି ଦେଇଥିଲେ । କେବଳ ସେତିକି ନୁହେଁ ଭାରତ ଫେରିବାକୁ ତାଙ୍କ ପାଇଁ ଟିକେଟ୍ କରାଇଦେବା ସହ ତାଙ୍କ ହାତରେ ୧୦ ହଜାର ଟଙ୍କା ମଧ୍ୟ ଦେଇଛନ୍ତି ।

ତେଲେଙ୍ଗାନାର ଜଗିତାଲରେ ରହୁଥିବା ଓଡନଲା ରାଜେଶଙ୍କୁ ଦୁବାଇର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଚିକିତ୍ସା ପ୍ରାୟ ୮୦ ଦିନ ପର୍ଯ୍ୟନ୍ତ ଚାଲିଥିଲା । ସେ ସୁସ୍ଥ ହେବା ପରେ ଡାକ୍ତରଖାନା ତାଙ୍କୁ ଡିସଚାର୍ଜ କରିବା ପୂର୍ବରୁ ୧.୫୨ କୋଟି ଟଙ୍କା ବିଲ୍ ଦେବାକୁ କହିଥିଲେ । ରାଜେଶଙ୍କୁ ଗଲ୍ଫ ପ୍ରୋଟେକସନ ସୋସାଇଟିର ସଭାପତି ଗୁଣ୍ଡେଲି ନରସିଂହ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେ ରାଜେଶଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ । ଏବଂ ସେ ଡାକ୍ତରଖାନା ବିଲ୍ ଏବଂ ରାଜେଶଙ୍କ ଚିକିତ୍ସା ଘଟଣାକୁ ଦୁବାଇରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ଅଧିକାରୀ ଶ୍ରୀମାନସୁଥ ରେଡ୍ଡୀଙ୍କ ନିକଟରେ ଉପସ୍ଥାପନ କରିଥିଲେ ।

ଏହା ପରେ ଆଉ ଜଣେ ବାଣିଜ୍ୟ ଦୂତାବାସର ଅଧିକାରୀ ହରଜିତ ସିଂ ଦୁବାଇ ହସ୍ପିଟାଲର ମ୍ୟାନେଜମେଣ୍ଟକୁ ଚିଠି ଲେଖିଥିଲେ । ମାନବିକତା ଦୃଷ୍ଟିରୁ ଗରିବ ରାଜେଶଙ୍କ ବିଲ୍ କ୍ଷମା କରିବାକୁ ସେ ଅନୁରୋଧ କରିଥିଲେ । ଡାକ୍ତରଖାନା ତାଙ୍କ ଅନୁରୋଧକୁ ଗ୍ରହଣ କରି ରାଜେଶଙ୍କ ସମ୍ପୂର୍ଣ୍ଣ ବିଲ୍ ଛାଡିଦେଲା। କେବଳ ଏତିକି ନୁହେଁ ହସ୍ପିଟାଲ ରାଜେଶଙ୍କୁ ଖର୍ଚ୍ଚ କରିବା ପାଇଁ ୧୦ ହଜାର ଟଙ୍କା ଦେବା ସହ ଭାରତ ଫେରିବା ପାଇଁ ତାଙ୍କ ଲାଗି ଫ୍ଲାଇଟ୍ ଟିକେଟ୍ କାଟି ଦେଇଥିଲା ।

Leave a Reply