ବଣଭୋଜି ହେଲା କାଳ: ଶଙ୍ଗ ନଦୀରେ ବୁଡ଼ିଗଲେ ଯୁବକ

ରାଉରକେଲା: ବଣଭୋଜି ପାଲଟିଲା କାଳ । ସୁନ୍ଦରଗଡ଼ ଜିଲ୍ଲାର ଚିକଟମାଟି ନିକଟକୁ ବଣଭୋଜି କରିବା ପାଇଁ ଯାଇ ଶଙ୍ଗ ନଦୀରେ ଭାସିଗଲେ ଯୁବକ । କିଛି ସମୟର ଖୋଜା ଖୋଜି ପରେ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମୃତ ଯୁବକ ଜଣକ ମଧୁସୂଦନପାଲି ଅଞ୍ଚଳର ତ୍ରିଲୋଚନ ମହାକୁଡ଼ ବୋଲି ଜଣାପଡିଛି  ।

ଘଟଣାନୁଯାୟୀ, ରାଉରକେଲାସ୍ଥିତ ମଧୁସୂଦନପାଲି ଏବଂ ରେଲୱେ କଲୋନୀ ଅଞ୍ଚଳର ପ୍ରାୟ ୧୫ ଜଣ ଯୁବକ ୩ଟି ବାଇକ ଓ ଗୋଟିଏ କାରରେ ଆଜି ସକାଳେ ପିକ୍‌ନିକ୍‌ କରିବାକୁ ଚିକଟମାଟି ଭାଲୁପତ୍ରା ସ୍ଥିତ ପ୍ରେମ ଜଙ୍ଗଲକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୨ଟାବେଳେ ନିକଟରେ ଥିବା ଶଙ୍ଖନଦୀକୁ ଗାଧୋଇବାକୁ ମଧୁସୂଦନପାଲି ୱାର୍ଡ ନଂ. ୧୧ ଅଞ୍ଚଳର ତ୍ରିଲୋଚନ ମହାକୁଡ଼(୨୩), ରେଲୱେ କଲୋନୀର ଅଶୋକ ଗିରି(୨୬) ଏବଂ ସୌମ୍ୟ ଯାଇଥିଲେ। ସୌମ୍ୟ ଅଳ୍ପ ପାଣିରେ ଗାଧୋଉଥିବାବେଳେ ତ୍ରିଲୋଚନ ଓ ଅଶୋକ ଗଭୀର ପାଣିକୁ ଚାଲିଯାଇ ବୁଡ଼ିଯାଇଥିଲେ। ଏହା ଦେଖି ସୌମ୍ୟ ପାଣିରୁ ବାହାରି ଆସିବା ସହ ପାଟି କରିଥିଲେ। ପାଟିଶୁଣି ସ୍ଥାନୀୟ ଗ୍ରାମବାସୀ ଧାଇଁଯାଇ ବୁଡ଼ୁଥିବା ଅଶୋକକୁ ଉଦ୍ଧାର କରିଥିଲେ। ହେଲେ ତ୍ରିଲୋଚନକୁ ଉଦ୍ଧାର କରି ପାରି ନ ଥିଲେ। ଖବରପାଇ ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀର ଯବାନ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୧ ଘଣ୍ଟା ଖୋଜାଖୋଜି କରିବା ପରେ ତ୍ରିଲୋଚନଙ୍କ ଶବ ଉଦ୍ଧାର କରି ଆରଜିଏଚ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ଶବ ମର୍ଗ ହାଉସରେ ରଖାଯାଇଛି ।

ଏଥିସହିତ ପଢ଼ନ୍ତୁ: ପିସିସି ସଭାପତି ନିରଞ୍ଜନଙ୍କ ଗାଡ଼ି ଉପରକୁ ଆକ୍ରମଣ: ଟାଉନ୍ ଥାନାରେ ମାମଲା ରୁଜୁ

Leave a Reply