ମେସିନ ପାଇଁ ଶ୍ରମିକଙ୍କୁ ବିଦା କରିବାର ଚକ୍ରାନ୍ତ କରିଛି ଇମ୍ଫା, ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଶ୍ରମିକ……

ଯାଜପୁର : ଇମ୍ଫା କମ୍ପାନୀ ବିରୋଧରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କମ୍ପାନୀର ଶ୍ରମିକ ମାରଣ ନୀତି ବିରୋଧରେ ଶ୍ରମିକମାନେ ଏକଜୁଟ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଇମ୍ଫାର ମୁଖ୍ୟ ଫାଟକ ଅବରୋଧ କରିବା ସହ ବିକ୍ଷୋଭ ଜାରି ରଖିଛନ୍ତି ଇମ୍ଫାର ଶତାଧିକ ଶ୍ରମିକ ।

କରୋନା କଟକଣା ଆସିବା ପରେ ଯାଜପୁର ଜିଲ୍ଲା ସୁକିନ୍ଦା କଲିଆପାଣିଠାରେ ଥିବା ଇମ୍ଫା କ୍ରୋମାଇଟ୍ ଖଣିରେ କମ୍ ସଂଖ୍ୟକ ଶ୍ରମିକ କାର୍ଯ୍ୟ କରୁଥିଲେ । ମାତ୍ର ଗତ ୧ ତାରିଖଠାରୁ କର୍ତ୍ତୃପକ୍ଷ ଏକ ଏକପାଖିଆ ନିଷ୍ପତ୍ତି ନେଲେ, ଯାହାକୁ ଉକ୍ତ ଉଦ୍ୟୋଗରେ କାମ କରୁଥିବା ଶ୍ରମିକମାନେ ଶ୍ରମିକ ମାରଣ ନୀତି ବୋଲି କହିଛନ୍ତି । ପୂର୍ବରୁ ଲୋଡିଂ କାମ କରିବା ପାଇଁ ଇମ୍ଫା କମ୍ପାନୀ ଶ୍ରମିକମାନଙ୍କୁ ବ୍ୟବହାର କରୁଥିଲା । ମାତ୍ର ଏବେ ଏହି କାମ ମେସିନ ସହାୟତାରେ କରିବାକୁ ଚାହୁଁଛି । ଏପରିକି ଶ୍ରମିକମାନଙ୍କୁ କାମକୁ ଯୋଗ ଦେବାକୁ କମ୍ପାନୀ ପକ୍ଷରୁ ବାରଣ କରାଯାଇଥିଲା । ଏଭଳି ହେବା ଦ୍ୱାରା ବହୁ ସଂଖ୍ୟକ ଶ୍ରମିକ ନିଜ ଜୀବିକା ହରାଇଛନ୍ତି । ଏଣୁ ବାଧ୍ୟ ହୋଇ ଲୋଡିଂ ଶ୍ରମିକ ଓ କର୍ମଚାରୀମାନେ ବିକ୍ଷୋଭର ରାସ୍ତା ଆପଣାଇଛନ୍ତି ।

ଅନ୍ୟପକ୍ଷରେ କମ୍ପାନୀ ମହଙ୍ଗା ଭତ୍ତା, ମେଡିକାଲ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଦେଉନଥିବା ଅଭିଯୋଗ ମଧ୍ୟ ଉଠିଛି । ଏବେ ଏହି ବିକ୍ଷୋଭ କ୍ରମଶଃ ତୀବ୍ର ରୂପ ନେଉଥିବା ବେଳେ ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ଏହି ବିରୋଧକୁ ସମର୍ଥନ ଜଣାଇଛି । ଏପରିକି ଦାବି ପୂରଣ ନହେଲେ ଖଣିରୁ କ୍ରୋମ ପରିବହନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ମଜଦୁର ସଂଘ ଚେତାବନୀ ଦେଇଛି । ଅନ୍ୟପକ୍ଷରେ ଇମ୍ଫା ଖଣି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

 

Leave a Reply