ରାଜନୀତିରେ କୃଷି ତାତି; କଂଗ୍ରେସ ଉପରେ ଅଭିଯୋଗ ବର୍ଷା

1 min read

ନୂଆଦିଲ୍ଲୀ: ଆନ୍ଦୋଳନ ସ୍ଥାନ ପରିବର୍ତ୍ତେ ଏବେ ରାଜନୀତିରେ ଲାଗିଲାଣି ନିଆଁ । ନୂତନ କୃଷି ଆଇନ ବିରୋଧରେ ୧୨ ଦିନ ଧରି ଆନ୍ଦୋଳନରତ ଅଛନ୍ତି ଶହସ୍ରାଧିକ ଚାଷୀ ଏବଂ ତମାମ ସଂଗଠନ । ପାଞ୍ଚ-ପାଞ୍ଚ ଥରର ବୈଠକରେ ବିଫଳ ହେଲଣି ସରକାର । ସେପଟେ ଆସନ୍ତା ୮ ତାରିଖରେ ଭାରତ ବନ୍ଦର ଡାକରା ମଧ୍ୟ ଦିଆଯାଇଛି । ଯାହାକୁ ସମର୍ଥନ କରିଛି ବିରୋଧି କଂଗ୍ରେସ ସମେତ ୨୮ଟି ରାଜନୈତିକ ଦଳ । ଏପରି ସ୍ଥଳେ ବିରୋଧି କଂଗ୍ରେସ ଉପରେ ଜୋରଦାର ବର୍ଷିଛି ଶାସକ ବିଜେପି । ଚାଷୀଙ୍କୁ ମୋହରା ସଜାଇ କଂଗ୍ରେସ ରାଜନୀତି କରୁଥିବା ନେଇ ସଙ୍ଗୀନ ଆରୋପ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ।

ସରକାର ଗଢିବାର ହିମତ ହରାଇଥିବା କଂଗ୍ରେସ ଏବେ ଚାଷୀଙ୍କୁ ନେଇ ଚାଲାକୀ ଆରମ୍ଭ କରିଛି । ୨୦୧୪ ନିର୍ବାଚନ ସମୟରେ ଖୋଦ କଂଗ୍ରେସ ହିଁ ନିଜର ନିର୍ବାଚନୀ ଇସ୍ତାହାରରେ APMCକୁ ସମାପ୍ତ କରିଦେଇଥିଲା । । କଂଗ୍ରେସ ଯଦି ସରକାରକୁ ଆସେ ତେବେ, କୃଷି ଉତ୍ପାଦନ ବଜାର କମିଟିରେ ପରିବର୍ତ୍ତନ ଆଣିବାକୁ ନିଷ୍ପତି ନେଇଥିଲା । ବିଜେପି ବର୍ତ୍ତମାନ ତାହା ହିଁ କରିଛି । ତେଣୁ ଏହାକୁ ନେଇ ପୁଣି କାହିଁକି କଂଗ୍ରେସ ହୀନ ରାଜନୀତି କରୁଛି ବୋଲି ପ୍ରଶ୍ନ ପଚାରିଛନ୍ତି ରବିଶଙ୍କର । ସେହିପରି ୨୦୧୩ ମସିହାରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମାନଙ୍କ ସହ ରାହୁଲ ଗାନ୍ଧୀ ଏକ ବୈଠକ ନେଇଥିଲେ । APMC ଆକ୍ଟରେ ପରିବର୍ତ୍ତନ କରିବାକୁ ଉକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଂଗ୍ରେସର ତତ୍କାଳ ଅଧକ୍ଷ ଆଲୋଚନା କରିଥିବା ଯୁକ୍ତି ବାଢିଛନ୍ତି କେନ୍ଦ୍ର ମନ୍ତ୍ରୀ ।

କଂଗ୍ରେସର ଏହି ଦୋ-ମୁହାଁ ନୀତିକୁ ସାରା ଦେଶ ଜାଣିଛି । ଏମାନେ କୃଷକଙ୍କ ସହ କେବେ ନଥିଲେ । ସାମାନ୍ୟ ବୈଠକ ମଧ୍ୟ କରୁନଥିଲେ । କିନ୍ତୁ ଆଜି ଭାରତ ସରକାର କୃଷକଙ୍କ ହିତ ସାଧନରେ ଆଇନ ଆଣିବାରୁ ଦଳ ସହ୍ୟ କରିପାରୁନଥିବା କହିଛନ୍ତି ରବିଶଙ୍କର । କଂଗ୍ରେସ ସରକାର ଚାଷୀଙ୍କ ପାଇଁ ସାମାନ୍ୟ ମଣ୍ଡିର ବ୍ୟବସ୍ଥା କରିନଥିଲା । ବର୍ତ୍ତମାନର ସରକାର ଚାଷୀଙ୍କ ପାଇଁ ଡିଜିଟାଲ ମଣ୍ଡିବ୍ୟବସ୍ଥା କରିଛି । ଯେଉଁଥିରେ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିବାର ବ୍ୟବସ୍ଥା ରହିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ।

Leave a Reply