ଡ୍ୟାମ୍‌ରୁ ଉଦ୍ଧାର ହେଲା ବେଦାନ୍ତର ନିଖୋଜ ଇଞ୍ଜିନିୟରଙ୍କ ମୃତଦେହ

1 min read

କଳାହାଣ୍ଡି: ଲାଞ୍ଜିଗଡ଼ରୁ ବେଦାନ୍ତ କମ୍ପାନୀର କର୍ମଚାରୀ  ନିଖୋଜ ଘଟଣା । ନିଖୋଜ କର୍ମଚାରୀ ହେଉଛନ୍ତି ବେଦାନ୍ତ କମ୍ପାନୀର ଇଞ୍ଜିନିୟର । ତେବେ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଇଞ୍ଜିନିୟରଙ୍କ ନାମ ହେଉଛି ପ୍ରତ୍ୟୁଷ କୁମାର ପ୍ରଧାନ । ପ୍ରତ୍ୟୁଷଙ୍କ ମୃତଦେହ ଟାଙ୍ଗନକନା ନିକଟ ଡ୍ୟାମ୍‌ରୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଗଭୀର ଜଳରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ମୃତ ଇଞ୍ଜିନିୟର ପ୍ରତ୍ୟୁଷ କୁମାର ପ୍ରଧାନଙ୍କ ପକେଟରୁ ମିଳିଛି ତାଙ୍କ ମୋବାଇଲ ଫୋନ୍‌ । କିପରି ତାଙ୍କର ମୃତ୍ୟୁ ହେଲା, ସେନେଇ ତଦନ୍ତ କରୁଛି ପୋଲିସ ।

 

ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରୁ ସେ ନିଖୋଜ ହୋଇଯାଇଥିଲେ । ମଙ୍ଗଳବାର ସନ୍ଧ୍ୟା ସାଢେ ୬ଟାରେ ଲାଞ୍ଜିଗଡ଼ ମାର୍କେଟ ଅଞ୍ଚଳରେ ପ୍ରତ୍ୟୁଷ ଏକ ଧଳାରଙ୍ଗର ହୁଣ୍ଡାଇ ଆଇ- ୨୦ କାର୍ ଚଳାଉଥିବାର ଦେଖିବାକୁ ମିଲିଥିଲା । ଏହା ପରଠାରୁ ଆଉ ତାଙ୍କର ଖୋଜଖବର ମିଳିନଥିଲା । ଗତକାଲି ସନ୍ଧ୍ୟାରେ ସେ ନିଖୋଜ ହୋଇଯାଇଥିବା ନେଇ ବେଦାନ୍ତ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଟାଙ୍ଗନକନା ଡ୍ୟାମ୍‌ ପାଖରେ ତାଙ୍କ କାର୍‌ ଠାବ ହୋଇଥିଲା । ତେବେ କାର ପାଖରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଯାହାପରେ ଆଜି ଡ୍ୟାମ୍‌ରୁ ମୃତଦେହ ମିଳିଛି । ଏହା ଆତ୍ମହତ୍ୟା କି ହତ୍ୟା ହୋଇଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ତେବେ ତାଙ୍କ ପାଖରୁ ଉଦ୍ଧାର ହୋଇଥିବା ଫୋନକୁ ତଦନ୍ତ ଅଧିନକୁ ନେଇଛି ପୋଲିସ । ତାଙ୍କର ମୃତ୍ୟୁ କମ୍ପାନୀରେ କୌଣସି ଚାପରୁ ହୋଇଛି କି ଏହା କୌଣସି ବ୍ୟକ୍ତିଗତ କାରଣରୁ ହୋଇଛି ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ । ତେବେ ମୃତ୍ୟୁ ପୂର୍ବରୁ ତାଙ୍କ ହ୍ୱାଟ୍ସଆପରେ ଅନେକ ପୁରୁଣା ଫଟୋ ଏବଂ ତାଙ୍କର ଏନଗେଜମେଣ୍ଟର ଷ୍ଟାଟସ ଦେଇଥିଲେ ।

Leave a Reply