ଯୋରନ୍ଦାରେ ଫାଣ୍ଡି ଅଧିକାରୀଙ୍କ ଦାଦାଗିରି, ରାତି ଅଧରେ ବିନା ବର୍ଦ୍ଦିରେ ଘରେ ପଶି ଦମ୍ପତିଙ୍କୁ ନିସ୍ତୁକ ମାଡ଼

ଢେଙ୍କାନାଳ: ଫାଣ୍ଡି ଅଧିକାରୀଙ୍କ ଦାଦାଗିରି । ପୂରା ଇଲାକାରେ ପୋଲିସ ବାବୁଙ୍କ ନାଁ ଶୁଣିଲେ କୋକୁଆ ଭୟ । ଆଉ ଯିଏ ବାବୁଙ୍କ ରୋବାବକୁ ବେଖାତିର କଲା ସେ ଚାରି ପାଞ୍ଜିରୁ ଗଲା । ଆଉ ଏ ପୋଲିସ ବାବୁ ଜଣକ ହେଉଛନ୍ତି ଢେଙ୍କାନାଳ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅଧିକାରୀ ଶିବ ରଞ୍ଜନ ସିଙ୍ଗା । ନାମ ସିଙ୍ଗା ଆଉ କାମ ମଧ୍ୟ ଠିକ ସିଂଘମ ଭଳି । ଲୋକ ମଧ୍ୟ ଭୟରେ ତାଙ୍କୁ ଡାକନ୍ତି ସିଂଘମ ସାର । ବାବୁଙ୍କ ଦବଙ୍ଗଗିରିକୁ ନେଇ ଏବେ ଚର୍ଚ୍ଚା କାହିଁରେ କଣ ? କେତେବେଳେ ଆଦିବାସୀଙ୍କ ଉପରେ ଜୁଲମ ତ ଆଉ କେତେବେଳେ ଘର ତୁରନ୍ତ ଛାଡିବା ପାଇଁ ବାବୁଙ୍କ ଖୁଲ୍ଲମଖୁଲା ଧମକ  ।

ରାତି ଅଧରେ ମଦ ପିଇ ଘରେ ପଶି ଭଙ୍ଗା ରୁଜା କରିବା ସହ ମହିଳାଙ୍କୁ ଅସଦାଚରଣ  । ତା’ସହ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ଯୋରନ୍ଦା ଫାଣ୍ଡି ଅଧିକାରୀଙ୍କ ଶିବ ରଞ୍ଜନ ସିଙ୍ଗାଙ୍କ ନାଁରେ  । ଅଭିଯୋଗ ଆଣିଛନ୍ତି ନେଉଳପୋଇ ଗାଁର ଦମ୍ପତି ରୁକୁନ ଓ ତାଙ୍କ ସ୍ତ୍ରୀ ଅଞ୍ଜଳି ଗଡ଼ନାୟକ ଏବଂ ପରିବାର ଲୋକ । ଅଗଷ୍ଟ ୨ ତାରିଖ ରାତି ସାଢେ ଏଗାରଟାରେ ଯୋରନ୍ଦା ଫାଣ୍ଡି ଅଧିକାରୀ ଶିବ ରଞ୍ଜନ ସିଙ୍ଗା ଆଉ ଜଣେ ଥାନା କର୍ମଚାରୀ ସହ ସାଦା ପୋଷାକରେ ଯାଇ ଘର କବାଟ ବାଡେଇ ଥିଲେ । କବାଟ ଖୋଲିବା ପରେ କାହାକୁ କିଛି ନପଚାରି ଘରକୁ ଧସେଇ ପଶିଥିଲେ। କିଛି ବୁଝିବା ପୂର୍ବରୁ ରୁକୁନ ଗଡ଼ନାୟକଙ୍କୁ ଶୋଇବା ଘରୁ ଭିଡି ଆଣି ତଳେ ପକାଇଦେଇଥିଲେ  । ତା’ପରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ବିଧା ଗୋଇଠା ମାରି ଚାଲିଥିଲେ ।

ଫାଣ୍ଡି ବାବୁଙ୍କ ଏପରି ଉଗ୍ରରୂପ ଦେଖି ସ୍ତ୍ରୀ ଅଞ୍ଜଳି ଛଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଥାନା ବାବୁ ତାଙ୍କୁ ବି ଛାଡ଼ି ନଥିଲେ  । ତାଙ୍କୁ ମଧ୍ୟ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ। ପରେ ଉଭୟଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା  ।  ଯେଉଁଥିରେ ଅଞ୍ଜଳି ପିନ୍ଧିଥିବା ଲୁଗା ଚିରି ଯାଇଥିଲା। ତା’ ସହିତ ଅଶ୍ଳୀଳ ଭାଷାରେ ଗାଳି କରିଥିବା ଅଭିଯୋଗ କରିଛନ୍ତି ଅଞ୍ଜଳି। ଖାଲି ଏତିକିରେ ଫାଣ୍ଡି ବାବୁଙ୍କ ରାଗ ଶୁଝି ନଥିଲା। ଘରର ଆସବାବପତ୍ରକୁ ଭାଙ୍ଗି ଦେଇଥିଲେ । ଆଉ ରାତି ଅଧରେ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା ଏ ଭୟାନକ ଆକ୍ରମଣ । ରୁକୁନଙ୍କ ଗୋଡ଼ ଆଣ୍ଠୁରେ ସୃଷ୍ଟି ହୋଇଛି କ୍ଷତ। ଖାଲି ଆଣ୍ଠୁ କାହିଁକି ବେକ ପିଠି ସବୁଠି ବାବୁଙ୍କ ମାଡ଼ର ଚିହ୍ନ  । ଏହାକୁ ନେଇ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଅଭିଯୋଗ କରିଥିଲେ  ।

ଏବେ ଆସନ୍ତୁ ଜାଣିବା କଣ ରହିଛି ଘଟଣା ପଛର କାହାଣୀ  । ରୁକୁନ ଗଡ଼ନାୟକଙ୍କ କହିବା ଅନୁଯାୟୀ ୨ ତାରିଖ ସନ୍ଧ୍ୟାରେ ଗାଁର ପିଣ୍ଡାରେ ବସିଥିବା ବେଳେ ଜଣେ ଲୋକ ବାଇକରେ ଆସି ତାଙ୍କ ମୁହଁକୁ ଗାଡି ଲାଇଟ ପକାଇ ଗାଳି ଗୁଳଜ କରିଥିଲେ । ଆଉ ରୁକୁନ ପ୍ରତିବାଦ କରିବାରୁ ସେ ବ୍ୟକ୍ତି ଜଣକ ତାଙ୍କୁ ଗାଳି କରିବା ସହ ରହ ତୋ କଥା ବୁଝୁଛି କହି ଧମକ ଦେଇ ପଳେଇଥିଲେ । ଆଉ ସେହି ଘଟଣାକୁ ନେଇ ପୋଲିସ ରାତି ଅଧରେ ଆସି ଘରେ ପଶି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ରୁକୁନ ।

ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ନନ୍ଦିଘୋଷ ଟିଭି ଗାଁରେ ପହଞ୍ଚି ନେଇଥିଲା କିଛି ପ୍ରତିକ୍ରିୟା  । ସମସ୍ତେ ଫାଣ୍ଡି ଅଧିକାରୀଙ୍କ ବିରୁଦ୍ଧରେ ପ୍ରତିକ୍ରିୟା ଦେଇଥିବାବେଳେ ଫାଣ୍ଡି ବାବୁ ଘଟଣାକୁ ଖଣ୍ଡନ କରିଛନ୍ତି  । ତେବେ ପ୍ରଶ୍ନ ଉଠୁଛି କିଏ ସେ ପାୱାରଫୁଲ ଲୋକ ଯାହାର କେବଳ ଫୋନ ଅଭିଯୋଗରେ ବାବୁ ଯାଇଥିଲେ ରାତି ଅଧରେ ତଦନ୍ତ କରିବାକୁ । ପୋଲିସକୁ ଏପରି ଅସଭ୍ୟ ଆଚରଣ ପାଇଁ ଅନୁମତି ଦେଲା କିଏ  ? ସାମାନ୍ୟ କଥାରେ ଅଭିଯୁକ୍ତଙ୍କୁ ସକାଳେ ଡାକିଥିଲେ କଣ ଅସୁବିଧା ହୋଇଥାନ୍ତା ?

Leave a Reply