ପ୍ରଦ୍ୟୁମ୍ନ ବଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି: ‘ରାଜନୀତି, ସମାଜସେବା ଓ ସାମ୍ୱାଦିକତାରେ ଛାଡ଼ିଯାଇଛନ୍ତି ସ୍ୱତନ୍ତ୍ର ପରିଚୟ’

ଭୁବନେଶ୍ୱର: ଜଣେ ଛାତ୍ର ନେତା ଭାବରେ ଜୀବନ ଆରମ୍ଭ କରି ପ୍ରଦ୍ୟୁମ୍ନ ବାବୁ ରାଜନୀତି, ସମାଜସେବା ଓ ସାମ୍ୱାଦିକତାରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି। ତାଙ୍କ ଜୀବନରେ ସେ ସବୁବେଳେ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇଆସିଛନ୍ତି ଏବଂ ଏଥିରେ ସେ କେବେ ବି ସାଲିସ କରିନାହାନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

            ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ତାଙ୍କ ଉଦ୍ୟମ ଓ ଆଦର୍ଶରେ ପ୍ରଗତିବାଦୀ ଏକ ସାପ୍ତାହିକରୁ ଆଜି ଏକ ଅଗ୍ରଣୀ ଦୈନିକରେ ପରିଣତ ହୋଇଛି ଏବଂ ଓଡିଆ ସମ୍ବାଦପତ୍ର ଜଗତରେ ନିଜର ସ୍ଥିତିକୁ ମଜବୁତ କରିପାରିଛି । ଏଥିସହିତ ପ୍ରଗତିବାଦୀ ପକ୍ଷରୁ ଗରିବ ଲୋକଙ୍କୁ ସାହାଯ୍ୟ କରିବାପାଇଁ ପ୍ରଦ୍ୟୁମ୍ନ ବଳ ରିଲିଫ କମିଟି ଗଠନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଏବଂ ଏହି ସାଧୁ ଉଦ୍ୟମ ପାଇଁ ପ୍ରଗତିବାଦୀ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ।

            ବର୍ତ୍ତମାନ ସମାଜ ଆଗକୁ ବଢୁଛି । ବିଭିନ୍ନ କ୍ଷେତ୍ରରେ ବହୁତ ଶୀଘ୍ର ପରିବର୍ତ୍ତନ ଘଟୁଛି। ପରିବର୍ତ୍ତନ ସହ ଯଦି ଆମେ ମୂଲ୍ୟବୋଧର ସୁରକ୍ଷା ପ୍ରତି ଧ୍ୟାନ ଦେବା, ତେବେ ପରିବର୍ତ୍ତନ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ବିଶିଷ୍ଟ ସମାଜସେବୀ କୁମାରୀ କ୍ରିଷ୍ଣାରାଣୀ ବୋଷ ପ୍ରଦ୍ୟୁମ୍ନ ବଳ ସମ୍ମାନ ପାଇବେ । ଏଣୁ ତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଜୟନ୍ତୀ କମିଟି ପକ୍ଷରୁ ୧୦ ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ୱର୍ଦ୍ଧିତ  କରାଯାଉଥିବା କମିଟିକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply