ସବୁଥିରେ ରାଜନୀତି ବିକାଶ ପାଇଁ ବିପଦ: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିତି ଆୟୋଗ ବୈଠକରେ ଓଡ଼ିଶାର ସ୍ୱାର୍ଥ ନେଇ ବିଭିନ୍ନ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେଳବାଇ, ବ୍ୟାଙ୍କିଂ, ଟେଲିକମ୍, କେନ୍ଦ୍ରୀୟ ଅନୁଦାନ ହ୍ରାସ , ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ଓ ଅଷ୍ଟମ ପରିଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ କରିବାକୁ ନିତି ଆୟୋଗ ବୈଠକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଜିର ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ମଧ୍ୟ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ରରେ ନିର୍ବାଚନ ଏକ ପ୍ରମୁଖ ଅଙ୍ଗ । ଥରେ ନିର୍ବାଚନ ବିଜୟ ହେଲା ଦଳଗତ ଚିନ୍ତାଧାରାରୁ ଊର୍ଦ୍ଧ୍ୱରେ ରହି ସରକାରଙ୍କୁ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପଡ଼ିଥାଏ । କିନ୍ତୁ ଆମେ ତାହା କରୁଛେ କି  ନାହିଁ ତାହା ଆତ୍ମ ସମୀକ୍ଷା କରିବାର ବେଳ । ନିର୍ବାଚିତ ସରକାରର ପ୍ରତ୍ୟେକଟି  କାର୍ଯ୍ୟକୁ ଓ ଅପରାଧକୁ ମଧ୍ୟ ରାଜେନୖତିକ ଦୃଷ୍ଟିଭଙ୍ଗୀରେ ଦେଖାଯାଉଛି । ଏହି ପରିବେଶ ଦେଶ ତଥା ରାଜ୍ୟର ବିକାଶ ଓ ଶାନ୍ତ ପାଇଁ ବଡ଼ ଧମକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଦଳ ଗୁଡ଼ିକ ମହିଳା ସଂରକ୍ଷଣ ନେଇ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଏହାକୁ ପାଳନ କରିବାନାହିଁ ଦେବେ ଆମକୁ ଇତିହାସ କ୍ଷମା ଦେବନି । ଅପପୁଷ୍ଟି, ଯୋଗାଯୋଗ, ଲିଙ୍ଗଗତ ବୈଷମ୍ୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । UPSC, NEET, JEE ଭଳି ପରୀକ୍ଷା ଢାଞ୍ଚା ବଦଳିବା ଦରକାର । ଗ୍ରାମାଞ୍ଚଳ ଓ ଗରିବ ପିଲାଙ୍କ ମେଧାକୁ ନଜର ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୀତି ଆୟୋଗ ବୈଠକରେ ଅନେକ ପ୍ରସଙ୍ଗ ଉଠୁଛି । ନୀତି ଆୟୋଗର ପଦକ୍ଷେପ ସମସ୍ତେ ଜାଣିବା ଉଚିତ । ଅନୁସୂଚିତ ଜନଜାତି ତାଲିକାରେ କିଛି ସମ୍ପ୍ରଦାୟ ସାମିଲ ପ୍ରସଙ୍ଗ ୧୯୭୮ରୁ ପଡ଼ିରହିଛି । ବିନା ନିଷ୍ପତ୍ତିରେ ଦୀର୍ଘବର୍ଷ ଧରି ପକାଇ ରଖିବା ଠିକ ନୁହେଁ ବୋଲି ନବୀନ ପରାମର୍ଶ ଦେଇଛନ୍ତି । କରୋନା ନେଇ ସଂଗ୍ରାମ ମିଳିତ ଉଦ୍ୟମର ପ୍ରତିଫଳନ । ସଂଘୀୟ ରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମିଳିତ ଉଦ୍ୟମ ଦରକାର ବୋଲି ସେ ଯୁକ୍ତି ବାଢିଛନ୍ତି ।

ଏଥିସହିତ ପଢ଼ନ୍ତୁ: ନିତି ଆୟୋଗ ବୈଠକ : କରୋନା କାଳରେ ଦେଶ ଏକାଠି କାମ କରିଥିଲା,ଅର୍ଥନୀତି ଟ୍ରାକକୁ ଫେରୁଛି

Leave a Reply