ଫୋନ୍ କରୁଛନ୍ତି ସାବାସି ଦେଉଛନ୍ତି, କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବଢାଉଛନ୍ତି ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡବନ୍ଧ ଗାଁର ସବିତା କୁମାରୀ ପାଢୀ । ଅଙ୍ଗନଓ୍ୱାଡି କର୍ମୀ ସବିତା ଗତ ୭ ମାସ ହେଲା ଘର ଘର ବୁଲି ଆଞ୍ଚଳିକ ଗୀତ ମାଧ୍ୟମରେ କରୋନା ନେଇ ସଚେତନ କରୁଛନ୍ତି । ସମାନ ଢଙ୍ଗରେ ଆଶା କର୍ମୀ ସୁଜାତା ମିଶ୍ର ବି ଲୋକଙ୍କୁ ସଚେତନ କରିବାରେ ଲାଗି ପଡ଼ିଛନ୍ତି । ସେମାନଙ୍କ ଅଭିନବ ଚିନ୍ତାଧାରା ଓ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେହିପରି ବରଗଡ଼ କଟାପାଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କୋଭିଡ ଯୋଦ୍ଧା ଥିବା ଆୟୁଷ ଡାକ୍ତର ଲୋଟସ୍ ମିଶ୍ରଙ୍କ କରୋନା ସମୟରେ କାମକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ମୋହର । ଏହା ଦ୍ୱାରା ମହାମାରୀ ସମୟରେ କାମ କରିବାର ମନୋବଳ ବୃଦ୍ଧି ହୋଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଜେପି ବିଧାୟକ ସୁକାନ୍ତ ନାୟକ । ପ୍ରଥମ ଲୋକ ପ୍ରତିନିଧି ଭାବେ କୋଭିଡ ସଂକ୍ରମିତ ହୋଇଥିଲେ । ସ୍ୱାସ୍ଥ୍ୟ ସଂପର୍କରେ ଫୋନ ଯୋଗ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳମତ ନିର୍ବିଶେଷରେ କୋଭିଡ ସଂକ୍ରମିତ ବିଧାୟକ ଓ ସାଂସଦଙ୍କୁ ମିଳୁଛି ନବୀନଙ୍କ ସାନ୍ତ୍ୱନା । ଡାକ୍ତର, ନର୍ସ, ଅଙ୍ଗନୱାଡି କର୍ମୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ କୋଭିଡ ସମୟରେ କାମକୁ ବି ମିଳୁଛି ନବୀନଙ୍କ ପ୍ରଶଂସା । କାହା ସହ ସିଧା କଥା ହେଉଛନ୍ତି ତ ଆଉ କାହା କାମ ସଂପର୍କରେ କୋଭିଡ ବୈଠକ ଗୁଡ଼ିକରେ ଆଲୋକପାତ କରୁଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସାକୁ ସ୍ୱାଗତ କରିବା ସହ ସେମାନଙ୍କ ସୁରକ୍ଷା ଦାବି କରିଛନ୍ତି ବିରୋଧୀ ।

ଗାଁ କି ସହରରେ ପ୍ରଶଂସାକୁ ସୀମିତ ରଖି ନାହାନ୍ତି ମୁଖ୍ୟମନ୍ତ୍ରୀ । ଉପାନ୍ତ କଳାହାଣ୍ଡି ନିୟମଗିରି ପର୍ବତରେ ଆଞ୍ଚଳିକ ଭାଷା ମାଧ୍ୟମରେ ଡଙ୍ଗରିଆ କନ୍ଧଙ୍କୁ ସଚେତନ କରୁଥିବା ଯୁବ ସ୍ୱେଚ୍ଛାସେବୀ ପାର୍ବତୀ ହିକ୍କାଙ୍କ ଉଦ୍ୟମ ବି ନବୀନଙ୍କ ପ୍ରଶଂସା ସାଉଣ୍ଟିଛନ୍ତି ।

Leave a Reply