କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ, ୨ହଜାର ୮୫ କୋଟିର ଦେବେ ଉପହାର

1 min read

ଭୁବନେଶ୍ୱର: ଆଜି କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପ୍ରଭାବ ହ୍ରାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଗାଇଡଲାଇନକୁ ଅଧିକ ଫୋକସ କରାଯାଇଛି। ଆସିବା ଠୁ ଯିବା ଯାଏଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିନ ୯ଟା ୪୫ରେ ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ । ୯ଟା ୫୫ରେ ବିଜୁପଟ୍ଟନାୟକ ବିମାନ ବନ୍ଦରରୁ କଳାହାଣ୍ଡି ଅଭିମୁଖେ ବାହାରିବେ। ଦିନ ୧୧ଟା ୨୫ରେ କନକପୁର ହେଲିପ୍ୟାଡରେ ପହଞ୍ଚି ମଙ୍ଗଳପୁର ଅପର ଇନ୍ଦ୍ରାବତୀ ପମ୍ପ ହାଉସ ସଭାମଞ୍ଚକୁ ଯିବେ। ମଞ୍ଚରୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ପରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିବେ ନବୀନ। କାର୍ଯ୍ୟକ୍ରମ ସରିଲା ପରେ ୧୨ଟା ୧୫ରେ ନବୀନ ନିବାସ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ସେପଟେ ସଭାସ୍ଥଳ ପାଖରେ ଦଳୀୟ ପତାକା ନ ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ତନ୍ନ ତନ୍ନ କରି ସ୍ପଟ ଯାଞ୍ଚ କରିଛନ୍ତି ସୁରକ୍ଷାକର୍ମୀ । ମୁଖ୍ୟମନ୍ତ୍ରୀଙ୍କଠାରୁ 30 ଫୁଟ ଦୂରତା ଯେପରି ଲୋକ ରଖିବେ, ତାହାର ବ୍ୟବସ୍ଥା କରାଯାଇଛି । 28 ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ତିନିଟି ବାଟ ରଖାଯାଇଛି । ମୁଖ୍ୟ ଏଣ୍ଟ୍ରି ଗେଟରେ VIP, ପୋଲିସ ଓ ମିଡିଆ ଆସିବେ।

ପାଖାପାଖି 2500 ଲୋକ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଣ୍ଟ୍ରି ଗେଟରେ ସେମାନଙ୍କ ସବିଶେଷ ତଥ୍ୟ ଯାଞ୍ଚ କରିବେ ପୋଲିସ । ପୋଲିସ ପାଇଁ ମାସ୍କ ଓ ଫେସ ହେଲମେଟ ବାଧ୍ୟତାମୂଳକ କରାଯାଇଛି । ସେହିପରି ଲୋକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଆଣିବାର ନିୟମ ରଖାଯାଇଛି । ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲସି ମିଳିତ ଭାବେ ଲୋକଙ୍କ ତାପମାତ୍ରା ଯାଞ୍ଚ କରିବେ । ବିନା ପାସରେ କାହାକୁ ଭିତରକୁ ଯିବାକୁ ଅନୁମତି ନାହିଁ । କଳାହାଣ୍ଡିବାସୀଙ୍କୁ ୨ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଉପହାର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply