ବେଳାଭୂମି ପର୍ଯ୍ୟଟନସ୍ଥଳ ଗୁଡ଼ିକର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ପଦକ୍ଷେପ

Naveen Unsatisfied With Different Department Reaction On School And College Reopen

ଭୁବନେଶ୍ୱର: ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରୟାସ ଚଳାଇଛନ୍ତି । ଆଉ ମଙ୍ଗଳବାର ଏଥିରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ବେଳାଭୂମିର ବିକାଶ ଲାଗି ଘୋଷଣା କରିଛନ୍ତି ନୂଆ ଯୋଜନା ।

ଚନ୍ଦ୍ରଭାଗା ଓ ତାଳସାରିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳିର ରୂପ ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଯୋଡିବା ପାଇଁ ପ୍ରସ୍ତୁତ ହୋଇଛି ଉଚ୍ଚାଭିଳାଷ ଯୋଜନା । ତାଳସାରି ବେଳାଭୂମିରେ ଏକାଧିକ ଦିନ ରହଣି ବ୍ୟବସ୍ଥା ହେବା ସହ ୨.୪ କିମି ଅଞ୍ଚଳକୁ ବିକଶିତ କରାଯିବ । ତାରକା ଓ ବଜେଟ୍‌ ହୋଟେଲ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ ସହିତ ନିର୍ମାଣ ହେବ ପ୍ୟାଭିଲିୟନ, ବର୍ଷା ଆଶ୍ରୟସ୍ଥଳ, କିଓସ୍କ ।

ସେହିଭଳି ସିଟିଂ ଆଇଲ୍ୟାଣ୍ଡ, ସୋଲାର ଫଟୋ ଭୋଲଟିକ୍ ପ୍ୟାନେଲ୍ସ ନିର୍ମାଣ ହେବ । ଆମ୍ପିଥିଏଟର, ରେସ୍ତୋରାଁ, କ୍ରାଫ୍ଟ ପ୍ଲାଜା ତିଆରି ହେବାକୁ ମଧ୍ୟ ଯୋଜନା ହୋଇଛି । ୨୦୨୧ ଅକ୍ଟୋବର ସୁଦ୍ଧା ଭିତ୍ତିଭୂମି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଅନ୍ୟପଟେ ଚନ୍ଦ୍ରଭାଗା ବେଳାଭୂମିରେ ୧ କିମି ବ୍ୟାପୀ ଅଞ୍ଚଳର ବିକାଶ କରାଯିବାକୁ ନିଷ୍ପତି ହୋଇଛି । ଏଥିପାଇଁ ପ୍ରସ୍ତୁତି ହୋଇଛି ମାଷ୍ଟରପ୍ଲାନ୍‌ । ବେଳାଭୂମିରେ ଜଳକ୍ରୀଡ଼ା, ଆମୋଦ ପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ ଟ୍ରାକ୍ ନିର୍ମାଣ କରାଯିବ । ସମୁଦ୍ର କୂଳେ କୂଳେ କାଠ ଚଲାପଥ, ମୁକ୍ତାକାଶ ରଂଗମଞ୍ଚ ମଧ୍ୟ ନିର୍ମାଣ ହେବାକୁ ଯୋଜନା କରାଯାଇଛି ।

ଛୋଟ ପିଲାଙ୍କ ଖେଳ ପାଇଁ ସ୍ୱତନ୍ତ୍ର ଅଞ୍ଚଳ ଓ ସୂର୍ଯ୍ୟୋଦୟ ଦେଖିବାକୁ ମଂଚ ପ୍ରସ୍ତୁତ କରାଯିବ । ଦୁଃସାହସିକ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଏଠାରେ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ବି ରହିବ । ଲ୍ୟାଣ୍ଡସ୍କାପିଂ, ବାଲି ସୁରକ୍ଷା ବ୍ୟବସ୍ଥା ଓ ସୌର ଆଲୋକର ମଧ୍ୟ ସୁବିଧା ରହିବ । ଏଥିପାଇଁ ସ୍ଥାନୀୟ ଲୋକଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରାଯିବ । ବର୍ଷକ ମଧ୍ୟରେ ସମଗ୍ର ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave a Reply