୨୯ ନଭେମ୍ବର ପୂର୍ବରୁ ହେବ ନିର୍ବାଚନ… ଓଡିଶାରେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ହେବ ଭୋଟିଂ

ନୂଆଦିଲ୍ଲୀ : ସାରା ଦେଶରେ ଉପ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ । ତେବେ ଉପ ନିର୍ବାଚନ ସମେତ ବିହାର ବିଧାନସଭା ପାଇଁ ସାଧାରଣ ନିର୍ବାଚନ ମଧ୍ୟ ସମ ସାମୟିକ ସମୟରେ ଆୟୋଜିତ ହେବ । ଏନେଇ ହୋଇଥିବା ବୈଠକରେ କୋଭିଡ୍ କଟକଣା ବେଳେ ନିର୍ବାଚନକୁ ନେଇ ଥିବା ଭିନ୍ନ ଭିନ୍ନ ଆହ୍ୱାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । କିଭଳି ସ୍ୱଚ୍ଛ ଓ ସୁରକ୍ଷିତ ନିର୍ବାଚନ କରାଯାଇପାରିବ ସେ ନେଇ ନିର୍ବାଚନ ଆୟୋଗ ବିଚାର କରିଥିଲେ । ତେବେ ବିଭିନ୍ନ ରାଜ୍ୟ ସରକାର କରୋନା ଓ ବନ୍ୟାକୁ ନିର୍ବାଚନ ପରିଚାଳନାରେ ପ୍ରମୁଖ ସମସ୍ୟା ବୋଲି ଦର୍ଶାଇଥିଲେ ।

ରାଜ୍ୟ ନିର୍ବାଚନ ଅଧିକାରୀ ଓ ମୁଖ୍ୟ ଶାସନ ସଚିବମାନେ ଏନେଇ ନିର୍ବାଚନ ଆୟୋଗ ନିକଟରେ ନିଜ ନିଜର ଯୁକ୍ତି ପେଶ କରିଥିଲେ । ତେବେ ସବୁ ତର୍କକୁ ତର୍ଜମା କରିବା ପରେ ମଧ୍ୟ ନିର୍ବାଚନ ଆୟୋଗ ନଭେମ୍ୱର ୨୯ ତାରିଖ ପୂର୍ବରୁ ଉପ ନିର୍ବାଚନ ସମେତ ବିହାର ସାଧାରଣ ନିର୍ବାଚନ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସାରା ଦେଶରେ ୬୫ଟି ସ୍ଥାନରେ ଉପ ନିର୍ବାଚନ ହେବ । ଏଥି ମଧ୍ୟରୁ ୬୪ଟି ବିଧାନସଭା ନିର୍ବାଚନ ଓ ଗୋଟିଏ ଲୋକସଭା ନିର୍ବାଚନ ଅଟେ । ଏହି କ୍ରମରେ ରାଜ୍ୟର ଦୁଇଟି ସ୍ଥାନରେ ଉପନିର୍ବାଚନ ହେବାକୁ ଯାଉଛି । ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପ ନିର୍ବାଚନ ହେବ । ବାଲଶ୍ୱର ବିଧାୟକ  ମନମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ଏହି ଦୁଇ ଆସନ ଖାଲି ହୋଇଛି ।

ତେବେ କରୋନା ସମୟରେ ଅନେକ ରାଜନୀତିକ ଦଳ ନିର୍ବାଚନ ସପକ୍ଷରେ ନଥିଲେ ମଧ୍ୟ ନିର୍ବାଚନ ଆୟୋଗ ଏଭଳି ତର୍କକୁ ଖାରଜ କରିଛି । ଭାରତୀୟ ସମ୍ୱିଧାନ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ଆଧାରରେ ଚାଲୁଥିବା ହେତୁ ଏଭଳି ହେବା ସମ୍ଭବ ନୁହେଁ । କେବଳ ଜରୁରୀକାଳୀନ ପରିସ୍ଥିତି କିମ୍ୱା ରାଷ୍ଟ୍ରପତି ଶାସନ ବେଳେ ହିଁ ବିନା ଲୋକ ପ୍ରତିନିଧିରେ ବ୍ୟବସ୍ଥା କାମ କରିପାରିବ । ଅନ୍ୟଥା ୬ ମାସ ମଧ୍ୟରେ ନୂଆ ଲୋକ ପ୍ରତିନିଧି ନିର୍ବାଚିତ ହେବା ବାଧ୍ୟ ।

Leave a Reply