କରୋନା ପାଇଁ ଏଥର ବନ୍ଦ ରହିବ ବୋଲବମ୍ ଯାତ୍ରା‌

ଭୁବନେଶ୍ୱର: କରୋନା ମଧ୍ୟରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଶ୍ରାବଣର ପ୍ରଥମ ସପ୍ତାହ । ଶ୍ରାବଣ ମାସ ହେଉଛି ଓଡ଼ିଆ ପରମ୍ପରାର ଗୋଟିଏ ପବିତ୍ର ମାସ । ଏହି ମାସରେ ରାଜ୍ୟର ସମସ୍ତ ଶୈବପୀଠରେ ଭକ୍ତଙ୍କର ସବୁଠାରୁ ଅଧିକ ଗହଳି ଦେଖିବାକୁ ମିଳିଥାଏ । କିନ୍ତୁ ଏଥର ଜଳ ଲାଗିରେ ରୋକ ଲାଗିଛି । ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ଚଳିତ ବର୍ଷ କାଉଡି ଯାତ୍ରା ହେବ ନାହିଁ ବୋଲି କହିଛନ୍ତି ।ଶ୍ରାବଣ ମାସରେ ରାଜ୍ୟର ସମସ୍ତ ଶୈବପୀଠରେ ଭକ୍ତଙ୍କର ସମାଗମ ଅଧିକ ହୋଇଥାଏ ।

କାରଣ ଏହି ମାସରେ କାଉଡ଼ିଆ ପାଣି ନେଇ ମହାଦେବଙ୍କ ଠାରେ ଜଳାଭିଷେକ କରିଥାନ୍ତି । ମହାଦେବଙ୍କ ଉପରେ ଜଳ ଲାଗି କଲେ ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ଅଖଣ୍ଡ ବିଶ୍ୱାସ ରହିଛି । କିନ୍ତୁ ଏବେ କରୋନା କାଳ ପାଇଁ ରାଜ୍ୟରେ କୋଭିଡ ନିୟମକୁ ଲାଗୁ କରାଯାଇଛି । ସେଥିପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ କରାଯାଇଛି । ତେବେ କାଉଡ଼ିଆ ଜଳ ଲାଗି ସମୟରେ ସାମାଜିକ ଦୂରତାକୁ ହରାଇବା ବହୁତ ସୁଯୋଗ ରହିଛି ।

ସେଥିପାଇଁ ଚଳିତ ବର୍ଷ ଶ୍ରାବଣ ମାସରେ ଜଳଲାଗିକୁ ବାରଣ କରାଯାଇଛି । ଏବେ ଭକ୍ତ ମାନଙ୍କ ସଂଖ୍ୟା ଅଧିକ ବଢ଼ିଛି ।  ଏହି ପରିସ୍ଥିତି ଏବେ ବଡ଼ ଚ୍ୟାଲେଞ୍ଚ ହୋଇଛି ଆମ ପାଇଁ । କାଉଡ଼ିଆଙ୍କ ଦ୍ୱାରା ସମ୍ପ୍ରଦାୟ ସଂକ୍ରମଣ ହେବାର ଆଶଙ୍କା ବହୁତ ଅଧିକ ରହିଛି । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲୋକଙ୍କୁ ଏହି ନିୟମକୁ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।

ଖାଲି ସେତିକି ନୁହେଁ । ରାଜ୍ୟରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । ସମସ୍ତ ପ୍ରକାର ସାମାଜିକ, ଧାର୍ମିକ ଏବଂ ରାଜନୈତିକ ସଭାସମିତିକୁ ବାରଣ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Leave a Reply