ଡ଼ାକ୍ତରଖାନାରେ ରକ୍ତ ଅଭାବ ଯୋଗୁ ରୋଗୀ ହନ୍ତସନ୍ତ, କରୋନା ପାଇଁ ରକ୍ତ ଦେବାକୁ ଭୟ କରୁଛନ୍ତି ଲୋକେ

ଝାରସୁଗୁଡ଼ା: କରୋନା ଯୋଗୁ ସ୍ଥିତି ସଙ୍ଗୀନ । ରକ୍ତ ଭଣ୍ଡାର ଆଗରେ ଲାଗିଛି ଲମ୍ବା ଲାଇନ୍ । ହେଲେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ । ଜରୁରୀ ସମୟରେ ରକ୍ତ ପାଇଁ ଆସି ନିରାଶ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଦରକାର ମୁତାବକ ରକ୍ତ ନଥିବା ବେଳେ ରକ୍ତ ବଦଳ କରି ନେବାକୁ ଚାହିଁଲେ ବି ମିଳୁନି ରକ୍ତ । ଝାରସୁଗୁଡ଼ା ରକ୍ତ ଭଣ୍ଡାରରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ବିଗତ ୩ ଦିନ ହେଲା ରକ୍ତ ଭଣ୍ଡାରରେ ଗୋଟିଏ ୟୁନିଟ୍ ବି ରକ୍ତ ନାହିଁ  । ଯାହାକୁ ନେଇ ଚିନ୍ତା ଦେଖାଦେଇଛି  । ରୋଗୀ ରକ୍ତ ନପାଇବାରୁ ସ୍ଥିତି ଅଧିକ ସଙ୍ଗୀନ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ କରୋନା ସ୍ଥିତି ସଙ୍ଗୀନ ରହିଛି । କରୋନା ପାଇଁ ସବୁଠି କଟଣା କରାଯାଇଛି । ତେବେ ଡାକ୍ତରଖାନାରେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ କରୋନା ଯୋଗୁଁ ଭୟରେ କେହି ରକ୍ତ ଦେଉନାହାନ୍ତି । ରକ୍ତ ଦେବା ବେଳେ କାଳେ କରୋନା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଯିବେ ସେଥିପାଇଁ ଭୟ କରୁଛନ୍ତି ଲୋକେ । ସେଥିପାଇଁ ପୂର୍ବ ଭଳି ଆଉ ରକ୍ତ ସଂଗ୍ରହ କରାଯାଇ ପାରୁ ନାହିଁ । ଯେତିକି ସଚେତନ ହେବା କଥା ହୋଇ ନାହାନ୍ତି ଲୋକେ  । ଯାହା ପଇଁ ଭୟରେ ରକ୍ତ ଦେବାକୁ ମଧ୍ୟ ଯାଉନାହାନ୍ତି ।

ଆଗୁଆ ଲୋକ ସ୍ୱେଚ୍ଛାକୃତ ଭାବେ ଯେଉଁଠି ରକ୍ତଦାନ କରୁଥିଲେ ଏବେ କେହି ଆସୁନାହାନ୍ତି  । ସେପଟେ ରକ୍ତଦାନ ଶିବିରର ବି ଆୟୋଜନ କରାଯାଇ ପାରୁ ନଥିବାରୁ ସମସ୍ୟା ଆହୁରି ବଢିବାରେ ଲାଗିଛି  । ରକ୍ତଅଭାବ ଥିବା କଥାକୁ ସ୍ୱୀକାର କରିଛନ୍ତି ରକ୍ତ ଭଣ୍ଡାର ଅଧିକାରୀ । ରକ୍ତ ସଂଗ୍ରହ ହୋଇନପାରିବାରୁ ଏଭଳି ସମସ୍ୟା ଦେଖାଦେଇଥିବା ସେ କହିଛନ୍ତି  । ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟ ବିଭାଗ ତଥା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି  ।

Leave a Reply