ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍‌କା, ବାଲେଶ୍ୱର ବିଜେଡିରେ ମିଶିଲେ ଆଗଧାଡ଼ିର ନେତା ଓ କର୍ମୀ

ବାଲେଶ୍ୱର: ଉପନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ବିଜେପିକୁ ଶକ୍ତ ଝଟ୍‌କା । ଶକ୍ତିଶାଳୀ ହେଲା ବିଜେଡି । ଗତଥର ଏଠାରେ ଜିତିଥିବା ବିଜେପିର କିଛି ଆଗଧାଡ଼ିର ନେତା ଆଜି ଶତାଧିକ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ସେପଟେ ବାଲେଶ୍ୱରର ବିକାଶ ନେଇ ବିଜେପିକୁ ଟାର୍ଗେଟ୍‌ କରିଛି କଂଗ୍ରେସ । ଏହା ସହିତ ପ୍ରସଙ୍ଗକୁ ଧରି ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ କୋଭିଡ୍‌ ନିୟମ ପାଳନ ସହ ପ୍ରଚାର ଚାଲିଛି ।

ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ତୁଷାରକାନ୍ତ ବେହେରା ଓ ମଣ୍ଡଳ ସଭାପତି ଶିବାନନ୍ଦ ଦାସଅଧିକାରୀଙ୍କ ସମେତ ଦଳର ଶତାଧିକ କର୍ମୀ ବିଜେଡିରେ ମିଶିଛନ୍ତି । ମନ୍ତ୍ରୀ ପ୍ରତାପ ଜେନା, ନବ ଦାସ, ବିଧାୟକ ଦେବୀ ମିଶ୍ର, ବିଜେଡି ବାଲେଶ୍ୱର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ପ୍ରମୁଖ ସେମାନଙ୍କୁ ସ୍ୱାଗତ କରିଥିଲେ ।

ବିଜେପିକୁ ଏହି ଧକ୍କ୍କା ବେଳେ ଟାର୍ଗେଟ୍ କରିଛି କଂଗ୍ରେସ । ବାଲେଶ୍ୱରରେ ଏମ୍‌ସ ସାଟେଲାଇଟ୍ ସେଣ୍ଟର ଓ ସୁପର ସ୍ପେଶାଲିଟି ହସ୍‌ପିଟାଲ ପାଇଁ ବିଜେପିର ପ୍ରତିଶ୍ରୁତି କୁଆଡ଼େ ଗଲା ? କଂଗ୍ରେସ ଆରମ୍ଭ କରିଥିବା ବିଭିନ୍ନ ଯୋଜନାକୁ ବିଜେପି ଅଟକାଇ ଦେଇଛି ଓ କଂଗ୍ରେସ କ୍ଷମତାକୁ ଫେରିଲେ ପୁଣି ଆରମ୍ଭ କରିବ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ବିଜେପି ଏହାର ଉତ୍ତର ରଖିଛି । ସେପଟେ କଥାରେ ନୁହେଁ, କାମ କରି ଦେଖାଉଛି ବୋଲି ଦାବି କରିଛି ବିଜେଡି ।

ସେପଟେ ତିର୍ତ୍ତୋଲରେ ନାମାଙ୍କନ ପତ୍ର ଯାଞ୍ଚ ବେଳେ ସମସ୍ତ ୯ଜଣ ପ୍ରାର୍ଥୀ ଉପସ୍ଥିତ ଥିଲେ । ବିଜେଡିର ବିଜୟ ଶଙ୍କର ଦାସ, ବିଜେପିର ରାଜକିଶୋର ବେହେରା, କଂଗ୍ରେସର ହିମାଂଶୁ ଭୂଷଣ ମଲ୍ଲିକ ଓ କମ୍ୟୁନିଷ୍ଟ ପାର୍ଟିର ବିଜୟ କୁମାର ଭୋଇଙ୍କ ସହ ୫ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି  । ଏହା ମଧ୍ୟରେ ତିନି ପ୍ରମୁଖ ଦଳ ପକ୍ଷରୁ କୋଭିଡ୍‌ କଟକଣା ଭିତରେ ପ୍ରଚାର ଚାଲିଛି । ଆଗକୁ ଷ୍ଟାର୍‌ ପ୍ରଚାରକ ଆସିବେ । ତିନି ପ୍ରମୁଖ ଦଳ ଆହୁରି ପ୍ରସଙ୍ଗ ଧରି ମୁହାଁମୁହିଁ ହେବେ  ।

Leave a Reply