ସେ ସଂସାରୀ ନୁହଁନ୍ତି, କିନ୍ତୁ ସାଢ଼େ ୪ କୋଟି ଓଡ଼ିଆଙ୍କୁ ନେଇ ତାଙ୍କର ଏକ ବିରାଟ ସଂସାର

1 min read

ଭୁବନେଶ୍ୱର: ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ପିତା ବିଜୁ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳ ମଣ୍ଡନ କରନ୍ତି ନବୀନ । ସେ ଦିନ ପ୍ରକୃତରେ ଥିଲା ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । ସେଇ କୁନି ପିଲା ଦିନେ ଓଡ଼ିଶାକୁ ଦୁଇ ଦଶନ୍ଧି ଧରି ନିରବିଚ୍ଛିନ୍ନ ଶାସନ କରିବ, ଏ କଥା ବୋଧହୁଏ ନିଜେ ବାପା ବିଜୁ ପଟ୍ଟନାୟକ ଜାଣି ନ ଥିଲେ । ସେଥିପାଇଁ ସେ ଜୀବିତାବସ୍ଥାରେ ପୁଅ ନବୀନକୁ ରାଜନୀତିକୁ ଆଣିବାକୁ ଚିନ୍ତା ବି କରି ନ ଥିଲେ ।

ବିଜୁଙ୍କ ଅବସାନ ପରେ ସେ ଆଜି ଏକାଙ୍ଗଚକ୍ରବର୍ତ୍ତୀ ଶାସକ । ବୟସରେ ସାୟାହ୍ନରେ ପହଂଚିଥିଲେ ମଧ୍ୟ ଓଡ଼ିଶାବାସୀ କେବଳ ଆଉ କେବଳ ତାଙ୍କୁ ହିଁ ଶାସନ ଗାଦିରେ ବସାଇବାକୁ ପସନ୍ଦ କରିଛନ୍ତି । ଶାସନର ସ୍ୱପ୍ନ ଦେଖୁଥିବା ବିରୋଧୀମାନେ ତାଙ୍କ ଗଣିତଠୁ ବହୁ ଦୂରରେ ରହିଛନ୍ତି, ଆଉ ଆଧିପତ୍ୟ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି  । ତାଙ୍କର ରଣନୀତି ଆଗରେ ମୁଣ୍ଡ ନୁଆଁଇଛନ୍ତି ବଡ଼ ବଡ଼ ରାଜନେତା, ଓଡ଼ିଶାକୁ ବର୍ଷ ବର୍ଷ ଧରି ଶାସନ କରିଥିବା ଦଳ କଂଗ୍ରେସ ଦଳଠୁ ସେ ଶାସନଗାଦି ସତେ ଯେମିତି ଛଡ଼ାଇ ଆଣିଥିଲେ ।

୧୯୯୭ ମସିହାରେ ବିଜୁଙ୍କ ତିରୋଧାନ ପରେ ନବୀନ ରାଜନୀତିରେ ପାଦ ଥାପିଥିଲେ । ରାଜନୀତିକୁ ସେ ସ୍ୱତଃସ୍ଫୁର୍ତ୍ତ ଭାବେ ଆସି ନ ଥିଲେ । କିନ୍ତୁ ତାଙ୍କୁ ବିଜୁଙ୍କ ଦାୟାଦ ଭାବେ ରାଜନୀତିକୁ ଅଣାଯିବା ପରେ ବାପାଙ୍କ ସ୍ୱପ୍ନକୁ ସାକାର କରିବାକୁ ସେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରି ଦେଇଥିଲେ । ବର୍ଷକ ପରେ ସେ ଜନତା ଦଳରୁ ଅଲଗା ହୋଇ ବିଜୁ ବାବୁଙ୍କ ନାଁରେ ନୂଆ ଦଳ ଗଠନ କରିଥଲେ, ନାଁ ରଖାଯାଇଥିଲା ବିଜୁ ଜନତା ଦଳ । ଆନ୍ତର୍ଜାତିକ ସ୍ତରର ଲେଖକରୁ ସେ ବନିଯାଇଥିଲେ ନେତା ।

ରାଜନୀତିକୁ ଆସିବା ପୂର୍ବରୁ ତାଙ୍କ ପୁସ୍ତକ ଏ ସେକେଣ୍ଡ ପାରାଡାଇଜ୍- ଇଣ୍ଡିଆନ୍ କଣ୍ଟ୍ରି ଲାଇଫ, ଏ ଡେଜର୍ଟ କିଙ୍ଗଡମ୍ – ଦ ପିପୁଲ ଅଫ ବିକାନେର ଆଉ ଗାର୍ଡନ ଅଫ୍ ଲାଇଫ-ଆନ୍ ଇଣ୍ଟ୍ରୋଡକ୍ସନ୍ ଟୁ ଦ ହିଲିଙ୍ଗ ପ୍ଲାଣ୍ଟସ ଅଫ୍ ଇଣ୍ଡିଆ ପାଇଁ ସେ ବେଶ୍ ସୁନାମ ଅର୍ଜନ କରିଥିଲେ । କେବଳ ସେତିକି ନୁହେଁ, ନବୀନ ଜଣେ ଭଲ ଚିତ୍ରକର ମଧ୍ୟ । ଏବେ ବି ଫୁରସତ ମିଳିଲେ ନବୀନ ଚିତ୍ର ଆଙ୍କନ୍ତି । କେତେକ କାର୍ଯ୍ୟକ୍ରମରେ ନବୀନ ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳେ ।

ନବୀନଙ୍କ ବ୍ୟକ୍ତିତ୍ୱର ଆଉ ଏକ ବଡ଼ ଦିଗ ହେଉଛି ସେ କମ କଥା କୁହନ୍ତି । ଶତ ଚେଷ୍ଟା କଲେ ମଧ୍ୟ ତାଙ୍କ ମୁହଁରୁ ଆପଣ ସେଇ କଥା ଶୁଣିବାକୁ ପାଇବେନି, ଯାହା ସେ କହିବାକୁ ଚାହାନ୍ତି ନାହିଁ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ବହୁ ବଡ଼ ବଡ଼ ରଥୀ ମହାରଥୀ ତାଙ୍କୁ ବୁଲେଇ ବଙ୍କେଇ ବିଭିନ୍ନ ସମୟରେ ଅସୁବିଧାରେ ପକେଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ତାଙ୍କ ମାଇଣ୍ଡ ୱାଶ କରିବା ସମ୍ଭବ ନୁହେଁ, ଏକଥା ସେ ବାରମ୍ବାର ପ୍ରମାଣିତ କରିଛନ୍ତି । ଜଣେ ଲେଖକ ଭାବେ ସେ ଅଧିକ ଲେଖୁଥିଲେ ସତ୍ୟ, କିନ୍ତୁ ରାଜନୀତିରେ ପାଦ ଥାପିଲା ପରେ ତାଙ୍କ ବକ୍ତବ୍ୟ ହୋଇଛି ସର୍ଟ ଆଉ ସିଗ୍ନିଫିକାଣ୍ଟ । ସେ ଯେତିକି କହିବେ ସେତିକିରେ ଆପଣ ସବୁ ବୁଝିଯିବେ । କଥା କମ୍, କାମ ବେଶୀ ।

ଏ ଧରଣର ବ୍ୟକ୍ତିତ୍ୱ ବୋଧହୁଏ ଭାରତୀୟ ରାଜନୀତିରେ ବିରଳ । ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କ ବିରୋଧରେ ଯେଉଁମାନେ ଯେତେବେଳେ ଷଡ଼ଯନ୍ତ୍ର କରିଛନ୍ତି, ସେମାନେ ବିଫଳ ହୋଇଛନ୍ତି  । ସେ ଯେତେବଡ଼ ବ୍ୟକ୍ତିତ୍ୱ ହୁଅନ୍ତୁ ନା କାହିଁକି , ରାଜନୀତି ମାନଚିତ୍ରରୁ ସେମାନଙ୍କ ସତ୍ତା ହଜିଯାଇଛି, ସେମାନେ ରସାତଳକୁ ଯାଇଛନ୍ତି । ସତେ ଯେମତି ସେ ଜଣେ ଯୋଗଜନ୍ମା  ।

Leave a Reply