ସତରେ ତୁମେ ଥିଲ କୋଟି ନକ୍ଷତ୍ରଙ୍କ ଭିତରେ ଉଜ୍ୱଳ ତାରା

1 min read

 

ଭୁବନେଶ୍ୱର: କୋଟିଏ ତାରାରେ ଗୋଟିଏ ଥିଲେ ‘ବିଜୟ ମହାନ୍ତି’ । ରୁପେଲି ପରଦାରେ ଯାହାଙ୍କର ସୁନେଲି ଅଭିନୟ ସବୁବର୍ଗର ଦର୍ଶକଙ୍କୁ ଆତ୍ମହରା କରିପାରୁଥିଲା। ଅଭିନୟର ବିଭିନ୍ନ ବିଭାଗରେ ସେ ନିଜର ଦକ୍ଷତା ଦେଖାଇଛନ୍ତି । ତେବେ ତାଙ୍କ ଚରିତ୍ର ଅଭିନୟ ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ ।

ବିଜୟ ମହାନ୍ତି…ଓଡ଼ିଆ ସିନେ ଜଗତର ଏକ ଏମିତି ଅଭିନେତା ଯାହାଙ୍କ ନାଁରୁ ହିଁ ଜଣାପଡ଼େ ତାଙ୍କ ଚରିତ୍ରର ପରିଭାଷା । ସବୁ ବେଳେ ସମସ୍ତଙ୍କ ଶୁଭ କାମନା କରୁଥିବା ଏହି ବ୍ୟକ୍ତି ଆଜି ଏ ଦୁନିଆରେ ନାହାଁନ୍ତି ସତ କିନ୍ତୁ ପଛରେ ଛାଡ଼ି ଯାଇଥିବା ତାଙ୍କର ଅନେକ ଅଭୁଲା ସ୍ମୃତି । ଯାହାକୁ ଭୁଲିବା ହୁଏତ ତାଙ୍କ ପ୍ରଂଶସକଙ୍କ ପାଇଁ ଅସମ୍ଭବ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଜୀବନ ଆରମ୍ଭ କରିଥିଲେ । ସେଠାରେ ପଢାଉଥିବା ସମୟରେ ହିଁ ଫିଲ୍ମରେ ଏଣ୍ଟ୍ରି କରିଥିଲେ ବିଜୟ । ଫିଲ୍ମ ନାଗଫାସରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ଏହି ଅଭିନେତା ଜଣଙ୍କ କେତେବେଳେ ନାୟକ ହୋଇ ଦର୍ଶକଙ୍କ ହୃଦୟ ଜିଣିଛନ୍ତି ତ ପୁଣି କେତେବେଳେ ଖଳନାୟକ ହୋଇ ଦର୍ଶକଙ୍କ ଘୃଣାର ଶିକାର ହୋଇଛନ୍ତି । କୀନ୍ତୁ ତାଙ୍କର ପ୍ରଥମ ଫିଲ୍ମ ଚିଲିକା ତିରେର ସୁଟିଂ ହୋଇଥିଲା ।

ତାଙ୍କ ଅଭିନିତ ପ୍ରଥମ ଫିଲ୍ମ ‘ନାଗଫାସ’ରେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା । ତାପରେ ବିଜୟ ତାଙ୍କ ଜୀବନର ଜୟ ଯାତ୍ରା ଆରମ୍ଭ କରିଥିଲେ ଆଉ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଇଥିଲେ । ତାଙ୍କ ଜୀବନସାଥିଙ୍କ ସହ ପ୍ରଥମ ଫିଲ୍ମ ଥିଲା ମାଣିକ ଯେଉଁଥିରେ ଦୁହେଁ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ବିଜୟ କେତେବେଳେ ‘ରୂପା ଶଗଡ଼ିରେ ସୁନା କନିଆ’ କୁ ମନ ଦିଅନ୍ତି ତ କେତେବେଳେ ‘ମାଣିକ’କୁ । ଏ ତ ଥିଲା ଖଳନାୟକ ଆଉ ନାୟକ ଭୂମିକା କଥା ।

କେବଳ ଏତିକିରେ ସରି ନଥିଲା ବିଜୟଙ୍କ ଜୟ ଯାତ୍ରା । ଏହା ପରେ ପ୍ରଥମଥର ପାଇଁ ତାଙ୍କୁ ଦେଖିବାକୁ ମିଳିଥିଲା ଗୋଟିଏ ଅଲି-ଅଳି ଭଉଣୀର ଭାଇ ଭୂମିକାରେ ଆଉ ସେହି ଫିଲ୍ମର ନାଁ ଥିଲା ରାକ୍ଷୀ ଭିଜିଗଲା ଆଖି ଲୁହରେ’ । ଏହି ଫିଲ୍ମର ‘ସୁନା ରୂପା ଗଉଣି କ୍ଷୀର ସର ଲହୁଣୀ… ରାଗ ଛାଡ଼ି ମୋ ହାତରେ ବାନ୍ଧି ଦେ..’ ଗୀତଟି ପ୍ରତ୍ୟେକଟି ଭାଇ-ଭଉଣୀର ସମ୍ପର୍କକୁ ଅତି ସୁନ୍ଦର ଭାବେ ବାଖ୍ୟା କରିଥିଲା ।

ଏହା ପରେ ବିଜୟ ଆରମ୍ଭ କରିଥିଲେ ତାଙ୍କ ଜୀବନର ନୂଆ ଆଉ ନିଆରା ଇନିଂସି । ତାଙ୍କ ଅଭିନୟରେ ସେ ତିଆରି କରିଥିଲେ ଓଲିଉଡ଼ର ବାପା ଚରିତ୍ରକୁ । ତାଙ୍କ ଅଭିନୟ ଏତେ ସୁନ୍ଦର ଥିଲା ଯେ, ସେ ଓଲିଉଡ଼ର ବାପା ହୋଇଯାଇଥିଲେ । ବାପା କହିଲେ ତ କେବଳ ବିଜୟଙ୍କୁ ବୁଝାଉଥିଲା । ବିଜୟ ବାପା ହୋଇ କେତେବେଳେ ପୁଅକୁ ଆକଟ କରନ୍ତି ତ କେତେବେଳେ ଝିଅକୁ ‘ଟୁକୁ ମୁଶି ଟୁକେଇ ମୁଶି କଥା କଥା କେ ଯାଆନା ଋଷି’ କହି ମନେଇ ନିଅନ୍ତି ।  ଆଉ କେତେବେଳେ ଝିଅକୁ ଝରାନା ଏହି ମୁକୁତା… ଝରିଲେ ପାଣି ଦି ଠୋପା’ କହି କାନ୍ଦିବାକୁ ବାରଣ କରନ୍ତି । ଘରର ସିରିମୁଣ୍ଡ ହୋଇ ‘କି ହେବ ଶୁଆ ପୋଷିଲେ’ ଫିଲ୍ସରେ ସେ ପୁଅର କର୍ତ୍ତବ୍ୟକୁ ସୁଚାରୁ ରୂପେ ବୁଝାଇଛନ୍ତି ତ କେତେବେଳେ ‘ଇଏ ବୋଧେ ପ୍ରେମ’ ମାଧ୍ୟମରେ ପରିଣତ ବୟସରେ ଅସହାୟ ଅବସ୍ଥାରେ ପ୍ରେମର ପରିଭାଷାକୁ ବୁଝାଇଛନ୍ତି ।  

Leave a Reply