ପରିବର୍ତ୍ତନ ହେଉଛି ଥାନା ପରିବେଶ, ଆଉ ଛନକା ପଶୁନି କି ଡର ଲାଗୁନି

Balipatana Thana

ଭୁବନେଶ୍ୱର: ପରିବର୍ତ୍ତନ ହେଉଛି ଥାନାର ପରିବେଶ । ମନରେ ପଶୁନାହିଁ ଛନକା, ଦେଖିବାକୁ ମିଳୁନାହିଁ ପୋଲିସିଆ ଠାଣି । ପୋଲିସର ବ୍ୟବହାର ଏବେ ବନ୍ଧୁତାରେ ପରିବର୍ତ୍ତନ ହୋଇଛି । ଉତ୍ତମ ବ୍ୟବହାର ସାଙ୍ଗକୁ ଥାନା ପରିବେଶକୁ ସୁନ୍ଦର କରିଛନ୍ତି ଥାନା ବାବୁ । ବିଭିନ୍ନ ଫୁଲ ଗଛ ଲଗାଇବା ସହ କାନ୍ଥରେ ଓଡି଼ଶାର କଳାକୃତି ଅଙ୍କା ଯାଇଛି । ଯାହା ସମସ୍ତଙ୍କ ମନମୋହୁଛି ।

Balipatna Police Station

ସାଧାରଣତଃ ଥାନା ନାଁ ଶୁଣିଲେ ମନରେ ପଶିଯାଏ ଛନକା । ସଙ୍ଗେ ସଙ୍ଗେ ମନକୁ ଆସେ ପୋଲିସିଆ ଠାଣି ଓ ବାଣୀ । ମାତ୍ର ପୋଲିସର ସେହି ବ୍ରିଟିଶ ଅମଳର ବ୍ୟବହାରରେ ଏବେ ପରିବର୍ତ୍ତନ ଆସୁଛି । ଆଉ ପୋଲିସ, ଲୋକଙ୍କ ସହ ବନ୍ଧୁତାପୂର୍ଣ୍ଣ ବ୍ୟବହାର କରୁଛି । ଠାଣି ବାଣୀ ସବୁ ଭୁଲି ଯାଇ ଥାନାକୁ ଏକ ସୁନ୍ଦର ପରିବେଶରେ ପରିବର୍ତ୍ତନ କରାଯାଇଛି । ଆଉ ଏଭଳି ପରିବର୍ତ୍ତନ ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ପରିସର ଦେଖିବାକୁ ମିଳିଛି । ଯାହା ସରକାରଙ୍କ ଯୋଜନା ମୁତାବକ ଥାନା ଅଧିକାରୀଙ୍କ ପାଇଁ ସମ୍ଭବ ହୋଇଛି ।

Balipatna Police Station

ବାଲିପଟଣା ଥାନା ପରିସର ଏବେ ଉଦ୍ୟାନରେ ପରିଣତ ହୋଇଛି । ସୁନ୍ଦର ସୁନ୍ଦର ଫୁଲ ଗଛ ତଥା ଗେଣ୍ଡୁ, ଡାଲିଆ, ସେବତୀ, ଲିପୁନରେ ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି ହୋଇଛି । ଆଉ ଏହା ସହିତ କାନ୍ଥରେ ଅଙ୍କା ଯାଇଥିବା ଓଡ଼ି଼ଶାର ପ୍ରାଚୀନ କଳାକୃତି ଥାନା କାର୍ଯ୍ୟ ପାଇଁ ଆସୁଥିବା ଲୋକଙ୍କ ମନମୋହୁଛି ।

Leave a Reply