ବାହାମାସ କଂପାନୀ ୨୦୧୩ରୁ ବନ୍ଦ,କିନ୍ତୁ ଅରଟେଲରେ ଜାରି ରହିଛି ନିବେଶ !

1 min read

ଭୁବନେଶ୍ୱର: ଦରିଆପାରି ଭୂତ କଂପାନୀ ସହିତ ପଣ୍ଡା ପରିବାରର ସଂପୃକ୍ତିକୁ ନେଇ ପୁଣିଥରେ ଝଡ଼ ସୃଷ୍ଟି ହୋଇଛି । ବାହାମାସରେ ପଂଜିକୃତ କିନ୍ତୁ ଅସ୍ଥିତ୍ୱରେ ନଥିବା ସେଲ୍ କଂପାନୀ ସହିତ ବୈଜୟନ୍ତ ଓ ଜଗି ପଣ୍ଡାଙ୍କ ମାଲିକାନାରେ ଥିବା ଓ ଟିଭି ଏବଂ ଅରେଟଲର ମଧ ଲିଙ୍କ୍ ଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଏଠି ପ୍ରଶ୍ନ ଉଠୁଛି କେମିତି କଳା ଟଙ୍କାକୁ ଧଳା କରାଯାଉଥିଲା ? କେମିତି ଦେଶରୁ ଟଙ୍କା ଦରିଆପାର ହୋଇ ବାହାମସ ଯାଉଥିଲା ? କେମିତି ସେଇ ଟଙ୍କା ଧଳା ହୋଇ ପୁଣି ଭାରତକୁ ଫେରୁଥିଲା ଏବଂ କେମିତି ହେଉଥିଲା ଟ୍ୟାକ୍ସ ଚୋରି ?


ଯାହା ତଥ୍ୟ ମିଳୁଛି ତାହା ଅନୁସାରେ ମେସିନା, ପିକିକା ଓ ଫିନ୍ଲେ ନାମକ ତିନିଟି ଜାଲି କମ୍ପାନୀରୁ ଓରଟେଲ୍ କମ୍ୟୁନିକେସନ୍କୁ ଭିନ୍ନ ଭିନ୍ନ ସମୟରେ କୋଟି କୋଟି ଟଙ୍କାର ନିବେଶ ଆସିଛି । ବାହାମାସ୍ ରେଜିଷ୍ଟ୍ରାର୍ କଂପାନୀର ରେକର୍ଡ ଅନୁସାରେ ଏ ତିନୋଟି କଂପାନୀର ଠିକଣା ଗୋଟିଏ । ଯାହାର ବୈଧତା ଉପରେ ଉଠିଛି ପ୍ରଶ୍ନ । ତେବେ ଏମାନଙ୍କର ନିର୍ଦ୍ଦେଶକ କିଏ ଏବଂ କେଉଁ ବ୍ୟବସାୟ ପାଇଁ ଏମାନେ ପଞ୍ଜୀକୃତ କରିଥିଲେ ସେ ସଂପର୍କରେ କିଛି ବି ଉଲ୍ଲେଖ ନାହିଁ । ସାମ୍ ଇନଭେଷ୍ଟମେଣ୍ଟ ମାଧ୍ୟମରେ ବୈଜୟନ୍ତ ପଣ୍ଡା, ଜାଗି ମଙ୍ଗତ ପଣ୍ଡା ଓ ମଞ୍ଜୁଲା ଦେବୀ ସ୍ରୋଫ୍ କଳାଧନକୁ ଭାରତ ଆଣିଥିବା ଅଭିଯୋଗ ହୋଇଛି । ୧୦ କୋଟିରୁ ଅଧିକ ଟଙ୍କାର କଳାଧନ ଓରଟେଲ୍ କମ୍ୟୁନିକେସନକୁ ୨ଟି ଜାଲି କଂପାନୀରୁ ଆସିଥିବା ଅଭିଯୋଗ ହୋଇଛି ।


ଇଣ୍ଟରନ୍ୟାସନାଲ କନଷ୍ଟୋରଟିୟମ ଅଫ୍ ଇନଭେଷ୍ଟିକେଟିଭ ଜର୍ଣ୍ଣାଲିଷ୍ଟସ ପକ୍ଷରୁ ବାହାମାସରେ କଳାଧାନ କାରବାର କରୁଥିବା ୪୭୫ ଭାରତୀୟଙ୍କ ସମ୍ପର୍କରେ ସୂଚନା ପାଇଥିଲେ । ଏହି ବ୍ୟକ୍ତିବିଶେଷମାନେ ଖଣି କାରବାର, ରିୟଲ ଇଷ୍ଟେଟ , ଗଣମାଧ୍ୟମ ଓ ମନୋରଞ୍ଜନ ଦୁନିଆ ସହ ଜଡିତ । ମୁଖ୍ୟତଃ ୩ଟି କମ୍ପାନୀ ସହ ଭାରତୀୟମାନଙ୍କ ବେଆଇନ କାରବାର ନେଇ ଖୋଳତାଡ କରାଯାଇଛି । ଏହି ୩ କମ୍ପାନୀ ତଥା ଫିନଲେ, ପିକ୍କିଆ, ମେସିନା ଦ୍ୱାରା ବୈଜୟନ୍ତ ଏବଂ ଜଗି ମଙ୍ଗତ ଦ୍ୱାରା କଳାଧନ ବିଭିନ୍ନ କମ୍ପାନୀରେ ବିନିଯୋଗ କରୁଥିଲେ । ବିନିଯୋଗ ମୁଖ୍ୟତଃ ସେହି କମ୍ପାନୀଗୁଡିକରେ ହେଉଥିଲା ଯେଉଁଥିରେ ପଣ୍ଡା ଦମ୍ପତି କିମ୍ବା ତାଙ୍କ ପରିଜନ ମାଲିକାନା ଥିବେ । ଏପରିକି ହାୱାଲା ମାଧ୍ୟମରେ ଭାରତରୁ ସିଧାସଳଖ ବାହାମାସକୁ ପ୍ରେରଣ କରାଯାଇଛି । ଏଥିରେ ପଣ୍ଡା ଦମ୍ପତିଙ୍କ ସହ ମଞ୍ଜୁଳା ଦେବୀ ସର୍ଫ ମଧ୍ୟ ରହିଛନ୍ତି । ମଞ୍ଜୁଳା ଓଟିଭି, ଓରଟେଲ, କିଶାନଗଡ଼ ଏନଭରମେଣ୍ଟାଲ ଆକ୍ସଲ ପ୍ରାଃ ଲିଃର ନିର୍ଦ୍ଦେଶିକା ରହିଛନ୍ତି । ୩ ସେଲ୍ ତଥା ଜାଲି କମ୍ପାନୀ ଜରିଆରେ ନିବେଶ କରାଇ କଳାଧନ ଭାରତରେ ଧଳା କରିବାକୁ ଚେଷ୍ଟା କରାଯାଉଥିଲା ।


କଂପାନୀ ୩,ଠିକଣା ଗୋଟିଏ !
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି- ଏହି ୩ଟି ଜାଲି କମ୍ପାନୀର ଠିକଣା ଗୋଟିଏ ବୋଲି ଦର୍ଶାଯାଇଛି । ଏହି କମ୍ପାନୀରେ କେଉଁମାନେ ନିର୍ଦ୍ଦେଶକ ଅଛନ୍ତି, ସେ କଥା ବି ଉଲ୍ଲେଖ କରାଯାଇନାହିଁ । ଫିନଲେ କମ୍ପାନୀ ୧୬ ଜୁନ୍ ୧୯୯୩ରେ ଆରମ୍ଭ ହୋଇଥିବା ଉଲ୍ଲେଖ କରାଯାଇଛି । ସେହିପରି ପିକ୍କିଆ ୨୦୦୩ ମସିହା ମାର୍ଚ୍ଚ ୧୧ରେ ହୋଇଥିବା କୁହାଯାଇଛି ।ମେସିଆ ୩ ଜାନୁୟାରୀ ୧୯୯୫ରେ ହୋଇଥିବା ଉଲ୍ଲେଖ ରହିଛି । ଏହିପରି ଭାବେ ୧୮ କୋଟି ଟଙ୍କାର ନିବେଶ ସମ୍ପର୍କରେ ଦସ୍ତାବିଜ୍ ରୁ ଉଲ୍ଲେଖ ମିଳିଛି ।
ଅଧିକାଂଶ ଟଙ୍କା ପରୋକ୍ଷ ଭାବରେ ନିବେଶ କରାଯାଇଛି । ଏହି ନିବେଶକୁ ଏଫଡିଆଇ ନିବେଶ ନିୟମକୁ ବାଦ୍ ଦେଇ କରାଯାଇଥିବା କୁହାଯାଇଛି । ଏହିପରିଭାବେ ଅରଟେଲ କମୁନିକେଶନ ମେଟ୍ରୋସ୍କାଏ ନେଟ୍ ଲିଃ, ଓଟିଭି କମ୍ପାନୀ ଦ୍ୱାରା କୋଟି କୋଟି ଟଙ୍କାର କାରବାର କରାଯାଇଛି ।

ଦିଲ୍ଲୀରେ ଘର କିଣା ଓ ବାହାମାସ ଲିଙ୍କ୍
୨୬ ଜାନୁଆରି ୨୦୧୯ରେ ସୁରଙ୍ଗୀ ସର୍ଭିସେସ୍ ଲିମିଟେଡ୍ ଠାରୁ ନୂଆଦିଲ୍ଲୀର ସଫଦର ଜଙ୍ଗ୍ ଅଂଚଳରେ ୧୦ କୋଟି ଟଙ୍କାରେ ଗୋଟିଏ ବଙ୍ଗଳା କିଣିଥିଲେ । ସୁରଙ୍ଗୀ ସର୍ଭିସେସ୍ ଲିମିଟେଡକୁ ବାହାମାସର ଦୁଇଟି କଂପାନୀ ଫିନଲେ ଓ ମେସିନା ନିୟନ୍ତ୍ରଣ କରନ୍ତି । ତେବେ ମଜାର କଥା ହେଉଛି ଫିନଲେ ୨୦୧୮ ଓ ମେସିନା ୨୦୧୩ରେ ବନ୍ଦ ହୋଇଯାଇଥିଲେ ବୋଲି ବାହାମାସ ସରକାର କହୁଛନ୍ତି । ଏବେ ପ୍ରଶ୍ନ ହେଲା ଯେତେବେଳେ ଦୁଇଟି କଂପାନୀର ଅସ୍ଥିତ୍ୱ ନାହିଁ ସେତେବେଳେ ସେମାନେ ଭାରତରେ ଗୋଟିଏ କଂପାନୀକୁ କେମିତି ନିୟନ୍ତ୍ରଣ କରୁଛନ୍ତି ? ଫିନଲେ ଓ ମେସିନା ପଣ୍ଡା ପରିବାର ନିୟନ୍ତ୍ରଣରେ ଥିବା ଅରଟେଲରେ ମଧ୍ୟ ନିବେଶ କରିଛି । ଦୁଇଟି କଂପାନୀ ଯାହାଙ୍କର ଅସ୍ଥିତ୍ୱ ନାହିଁ ସେହି ଭୂତ କଂପାନୀ ଅରଟେଲରେ କେମିତି ନିବେଶ କଲେ ତାହା ବଡ ଓ ସାଂଘାତିକ ପ୍ରଶ୍ନ । କାରଣ ଓ –ଟିଭିରେ ଅରଟେଲ୍ ୩ ପ୍ରତିଶତ ନିବେଶ କରିଛି ।

 

୨ ବର୍ଷ ତଳେ ଜାତୀୟ ଗଣମାଧ୍ୟମରେ ବାହାମାସ୍ ଲିକରେ ବୈଜୟନ୍ତ ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କ ନାଁ ଆସିବା ପରେ ଦିଲ୍ଲୀ ହାଇକୋର୍ଟରେ ରୁଜୁ ହୋଇଥିଲା ମାମଲା । ୨୦୧୯ ଜାନୁଆରୀ ୨୪ରେ ହୋଇଥିବା ପିଆଇଏଲକୁ ବିଚାରଯୋଗ୍ୟ କହି ଗ୍ରହଣ କରିଥିଲେ ହାଇକୋର୍ଟ ।

୨୦୨୦ ଫେବୃଆରୀ ୭ ତାରିଖରେ କେନ୍ଦ୍ରୀୟ ସଂସ୍ଥାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲା ହାଇକୋର୍ଟ । କଳାଧନ କେଳେଙ୍କାରୀ ମାମଲାକୁ ଗମ୍ଭୀର କହିବା ସହ ବୈଜୟନ୍ତ ଓ ଜାଗ୍ଗିଙ୍କ ସଂପୃକ୍ତି ନେଇ ଥିବା ଅଭିଯୋଗର ତ୍ୱରିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଇତି ମଧ୍ୟରେ ନିର୍ଦ୍ଦେଶକୁ ୮ ମାସ ବିତି ଯାଇଥିବା ବେଳେ ତଦନ୍ତର ଶିଥିଳତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀର ପାଥ୍ ସଂଗଠନ ।

Leave a Reply