ନନ୍ଦିଘୋଷ ଟିଭି ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣା: ସାମ୍ୱାଦିକଙ୍କ ଠାରୁ ସାଧାରଣ ଜନତା ସବୁଠି ଉଦ୍‌ବେଗ

ଭୁବନେଶ୍ୱର: ନୟାଗଡ଼ର ଯଦୁପୁରରେ ନନ୍ଦିଘୋଷ ଟିଭି ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ସାରା ରାଜ୍ୟରେ ସାମ୍ୱାଦିକ ତଥା ସାଧାରଣ ଜନତାଙ୍କ ମହଲରେ ଉଦବେଗ୍ ପ୍ରକାଶ ପାଇଛି । ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ଓଡ଼ିଶାବାସୀ । କାର୍ଯ୍ୟରତ ସାମ୍ୱାଦିକଙ୍କ ଉପରକୁ ଆକ୍ରମଣ କରି ସେମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ସହ ସମ୍ପୂର୍ଣ୍ଣ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଛି । ତେବେ ଏହାରି ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବା ପୋଲିସ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଅଭିଯୁକ୍ତ ଦୀପକ ଦଳବେହେରା ଓ ବାଦଲ ରାଉତ ଗିରଫ କରିଛି ପୋଲିସ । ପ୍ରଥମ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଓ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ଏ ଯାଏଁ ମୁଖ୍ୟ ଅଭିଯୁକ୍ତ ଯତୀନ ମହାନ୍ତି ଫେରାର ଥିବା ବେଳେ ବିଜେପି ନେତ୍ରୀ ଇରାନୀ ରୟଙ୍କ ଗିରଫ ଦାବି କରିଛନ୍ତି ନୟାଗଡ଼ବାସୀ ।

          ତେବେ ଶୁ୍କ୍ରବାର ରାଜ୍ୟର ବିଭିନ୍ନ ଗଣମାଧ୍ୟମ ସାମ୍ୱାଦିକଙ୍କ ତରଫରୁ ସୂଚନା ଭବନ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଏଥିରେ ଗଣମାଧ୍ୟମକୁ ଆକ୍ରମଣ କରିବା ଏକପ୍ରକାର ହତାସା, ସତ ଧିରେ ଧିରେ ପଦାକୁ ଆସିବାରୁ ସେମାନେ ହତାସ ହୋଇ ଏଭଳି କରୁଥିବା କହିଛନ୍ତି । ଏଥିସହିତ ସାମ୍ୱାଦିକଙ୍କ ସୁରକ୍ଷା ନେଇ ଅଧ୍ୟାଦେଶ ଆଣିବାକୁ ଦାବି କରାଯାଇଛି । ଅପରପକ୍ଷରେ ସାମ୍ୱାଦିକଙ୍କ ଆକ୍ରମଣ ଘଟଣାରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିଂମାଶୁ ନାରାୟଣ ପଟ୍ଟନାୟକଙ୍କୁ ସ୍ମାରକ ପତ୍ର ପ୍ରଦାନ ।

ସଞ୍ଜୟ ଦାସ ବର୍ମା: ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁ ଦାୟିତ୍ୱ ରହିଛି । ନୟାଗଡ଼ରେ ଗଣମାଧ୍ୟମ ଉପରେ ଆକ୍ରମଣକୁ ଘଟଣା ନିନ୍ଦନୀୟ । ଏଭଳି ଘଟଣାକୁ ବିଜୁ ଜନତା ଦଳ ପକ୍ଷରୁ ନିନ୍ଦା କରିଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା । ଏଥିସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ପ୍ରଦୀପ ମାଝି: ନୟାଗଡ଼ରେ ବିଜେପି କର୍ମୀମାନଙ୍କ ଦ୍ଵାରା ନନ୍ଦିଘୋଷ ଟିଭିର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ରାଜ୍ୟ ସ୍ତରୀୟ ନେତା ମାନେ ଉପସ୍ଥିତ ରହି ଆକ୍ରମଣକାରୀଙ୍କୁ ଶାନ୍ତ କରି ନ ପାରିବ ଭଳି ଘଟଣାକୁ ତୀଵ୍ର ବିରୋଧ କରିବା ସହିତ ନେତାମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ।

ନୟାଗଡ଼: ଦୁର୍ବୁର୍ତ୍ତମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରିବାକୁ ଖୋର୍ଦ୍ଧା କଂଗ୍ରେସ ନେତା, ସ୍ବେଚ୍ଛାସେବୀ ସଂଗଠନ ଏବଂ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରିଛନ୍ତି ।

ଭଦ୍ରକ : ନନ୍ଦିଘୋଷ ଟିଭିର କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଭଦ୍ରକର କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଘଟଣାକୁ ନେଇ ତୀବ୍ର ନିନ୍ଦା କରାଯାଇଛି ।

ବୌଦ୍ଧ: ନୟାଗଡ଼ ଯଦୁପୁରରେ ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ମଧ୍ୟ ନିନ୍ଦା କରିଛି ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

ମୟୂରଭଞ୍ଜ: ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ  ମୟୂରଭଞ୍ଜରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯିବା ସହ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ।

ସୁବର୍ଣ୍ଣପୁର: ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସଂଗଠନ ତରଫରୁ ଆମ୍ୱେଦକର ଛକ ଠାରେ ବିରୋଧ ପ୍ରଦର୍ଶନ ।

Leave a Reply