ରାଜ୍ୟକୁ ଫେରିଛନ୍ତି ୭୦ ଜଣ ତବଲିଗି, ସରକାରଙ୍କ ଠାରୁ ନେଉଛନ୍ତି ସ୍ୱାସ୍ଥ୍ୟ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନିଜାମୁଦ୍ଦିନ ଫେରନ୍ତା ତବଲିଗିଙ୍କୁ ଅପିଲ୍ କରିବା ପରେ ସାମନାକୁ ୪୨ ଜଣ ଆସିଛନ୍ତି । ଏନେଇ କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ଏଥିସହ ରାଜ୍ୟରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି । ପୂର୍ବରୁ ୨୮ଜଣ ତବଲିଗି ରାଜ୍ୟକୁ ଫେରିଥିବା ସୂଚନା ମିଳିଥିଲା । ସେମାନେ ସରକାରଙ୍କୁ ଜଣାଇ ସ୍ୱାସ୍ଥ୍ୟଗତ ପରାମର୍ଶ ନେଉଛନ୍ତି । ଅନ୍ୟମାନେ ମଧ୍ୟ ଏହିଭଳି ସାମନାକୁ ଆସିବାକୁ ଅନୁରୋଧ କରିଛନ୍ତି ବାଗଚୀ । ଏହାକୁ ନେଇ କୌଣସି ଭୟ କିମ୍ବା ଲଜ୍ଜା କରିବାର ଆବଶ୍ୟକତା ନାହିଁ ।

ଅନ୍ୟପଟେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତଦେହ ପରିବାରକୁ ମିଳିବନି ବୋଲି ବାଗଚୀ କହିଛନ୍ତି । ଏନେଇ କେନ୍ଦ୍ର ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି । ଡାକ୍ତରଖାନାରେ ମୃତଦେହର ବ୍ୟବଚ୍ଛେଦ ଏବଂ ଡାକ୍ତର ରିପୋର୍ଟ ପରେ ଏହାକୁ ସରକାରଙ୍କୁ ହସ୍ତାନ୍ତର କରାଯିବ । ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୃତଦେହର ଅନ୍ତିମ ସଂସ୍କାର କରାଯିବ ।

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ୭ଟି କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ଆଉ ୨୭ଟି କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯିବ । ସମସ୍ତ ୩୪ଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଶଯ୍ୟା ସଂଖ୍ୟା ୫୬୯୭କୁ ବୃଦ୍ଧି ପାଇବ । ତେଣୁ ଲୋକେ ଲକଡାଉନ ନିୟମକୁ କଡାକଡି ଭାବେ ମାନି ସୁସ୍ଥ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave a Reply