ଜୀବୀକା ପାଇଁ ଜୀବନ ଗଲା, ଛତିଶଗଡ଼ ରାୟପୁରରେ ପ୍ରବାସୀ ବସ୍‌ ଦୁର୍ଘଟଣାରେ ୮ ଶ୍ରମିକ ମୃତ

ଭୁବନେଶ୍ୱର: ଛତିଶଗଡ଼ ରାୟପୁରରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ରାୟପୁର ନିକଟସ୍ଥ ଛେରିଖେଡିରେ ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଆମ୍ବୁଲାନ୍ସରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଓଡିଶାର ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ତେବେ ମୃତକଙ୍କ ପରିଚୟ ମିଲିନଥିବା ବେଳେ ସେମାନେ ସମସ୍ତେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠ ବ୍ଲକ କାଙ୍ଗପୁର ଥାନା ଅଞ୍ଚଳର ଲୋକ ବୋଲି ଜଣାପଡ଼ିଛି । ତେବେ ଏଥିରେ ଅନେକ ପ୍ରବାସୀ ଗୁରୁତର ଆହତ ହୋଇଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଛତିଶଗଡ଼ ଆରଟିଓ ଏବଂ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ ମଧ୍ୟ ଦୁର୍ଘଟଣା ନେଇ କୌଣସି ସୂଚନା ମିଳିପାରି ନାହିଁ । ଦୁର୍ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି ।

Leave a Reply