ପିଲାଦିନୁ ବାପାଙ୍କୁ ହରାଇଥିଲେ, ପରବର୍ତ୍ତୀ ସମୟରେ ଡାକ୍ତର ହୋଇ ଜାରି ରଖିଛନ୍ତି ଗରିବଙ୍କ ସେବା

ବାଙ୍ଗାଲୋର : ଡାକ୍ତର ଶବ୍ଦଟି ଉଚ୍ଚାରଣମାତ୍ରେ ଆମ ଆଖିରେ ଚାଲିଆସେ ସୁସଜ୍ଜିତ ଚ୍ୟାମ୍ବର ଓ ଶୀତତାପ ନିୟନ୍ତ୍ରିତ କୋଠରୀ । ସେମାନେ ଭଲ ପୋଷାକ ପିନ୍ଧିଥିବେ, ସାଧାରଣ ଲୋକଙ୍କ ଠାରୁ ଅଲଗା ଲାଗୁଥିବେ । ହେଲେ ଆମେ କହୁଥିବା ଏହି ଡାକ୍ତରଙ୍କ ଜୀବନ ଶୈଳୀ ଅତି ସାଧାରଣ । ଯାହାକୁ ଦେଖିଥିବା ଲୋକ ହିଁ ବିଶ୍ୱାସ କରିପାରିବେ । ଏମିତି ଜଣେ ଡାକ୍ତରଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏ ହେଉଛନ୍ତି କର୍ଣ୍ଣାଟକର ମାଣ୍ଡ୍ୟା ସହରର ଏକ ଛୋଟ ଜଳଖିଆ ଦୋକାନ ଘରର ଅଧା କାନ୍ଥରେ ବସି ରୋଗୀ ଦେଖୁଥିବା ଏ ଡାକ୍ତରଙ୍କ ନାଁ ଶଙ୍କର ଗୌଡ଼ ।

ସବୁ ଡାକ୍ତରଙ୍କ ପରି ତାଙ୍କର କୌଣସି କ୍ଲିନିକ ବା ନର୍ସିଂ ହୋମ କିମ୍ବା ନିଜସ୍ୱ ଚ୍ୟାମ୍ବର ନାହିଁ । ନିଜେ ଏକ ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ ଡାକ୍ତର ଶଙ୍କର ଗୌଡ଼ ଏବଂ ଦରିଦ୍ର ହୋଇଥିବା କାରଣରୁ ସ୍କୁଲରେ ପଢ଼ୁଥିବା ବେଳେ ନିଜ ଅଳ୍ପବୟସ୍କ ଅସୁସ୍ଥ ବାପାଙ୍କୁ ହରାଇଥିଲେ ଶଙ୍କର । ଏହି ଦିନ ହିଁ ତାଙ୍କ ଜୀବନର ଗତିକୁ ବଦଳାଇ ଦେଇଥିଲା । ନିରବ ଭାବେ ଦୁଃଖ ସହି ସେହିଦିନ ନେଇ ଯାଇଥିଲେ ଏକ ବଜ୍ର ଶପଥ । ଶପଥଟି ଥିଲା ଅନ୍ୟ କୋଉ ଦରିଦ୍ର ପିତାଙ୍କୁ ଅକାଳରେ ବିନା ଚିକିତ୍ସାରେ ଝଡ଼ିଯିବାକୁ ନ ଦେବା  ।

ନିଜ ଦାରିଦ୍ର୍ୟର କଠୋର କଷାଘାତ ସତ୍ତ୍ୱେ ଶଙ୍କର ଡାକ୍ତର ହୋଇ ପାରିଥିଲେ । ଏହା ସତ୍ତ୍ବେ ବି  ସେ  ସୁଖର ଜୀବନ ବାଛି ନ ଥିଲେ । ନିଜ ପିତାଙ୍କ ମୃତ୍ୟୁଶଯ୍ୟା ନିକଟରେ କରିଥିବା ଶପଥକୁ ମନେ ପକାଇ ସବୁ ସୁଖକୁ କହିଥିଲେ ଶଙ୍କର ଅଲବିଦା ।  ବାସ୍, ପରେ ପରେ ଆରମ୍ଭ ହୋଇଥିଲା ଶପଥ ରକ୍ଷା ଦିଗରେ ତାଙ୍କର ଏ ଅଭିନବ ଯାତ୍ରା, ଯାହା ସହିତ ସେ ଅର୍ଜନ କରିଥିଲେ ସମଗ୍ର ଇଲାକାରେ ‘ପାଞ୍ଚଟଙ୍କିଆ ଡାକ୍ତର’ ଭାବେ ଏକ ଅନନ୍ୟ ପରିଚୟ । ଯାହା ପରବର୍ତ୍ତୀ ସମୟରେ ଦେଇଥିଲା ତାଙ୍କୁ ପ୍ରତିଷ୍ଠା ଓ ପରିଚିତି ।

ପ୍ରତିଦିନ ସକାଳ ଠିକ୍ ୮ଟାରେ ଖୋଲି ଯାଇଥାଏ ଡାକ୍ତର ଗୌଡ଼ଙ୍କ ପାଞ୍ଚଟଙ୍କିଆ କ୍ଲିନିକ । ଯେଉଁମାନେ ୧୦୦ରୁ ୩୦୦ ପର୍ଯ୍ୟନ୍ତ ଡାକ୍ତରୀ ଫିସ ଦେବାକୁ ସମ୍ପୂର୍ଣ୍ଣ ଅସମର୍ଥ, ସେମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଯାଆନ୍ତି ଏହି କ୍ଲିନିକରେ । ଡାକ୍ତର ଗୌଡ଼ ଜଣ ଜଣ କରି ରୋଗୀ ଦେଖି ସ୍ୱଳ୍ପ ମୂଲ୍ୟର ସୁଲଭ ଜେନେରିକ ଔଷଧର ବ୍ୟବସ୍ଥାପତ୍ର ଲେଖି ଦିଅନ୍ତି । ସମସ୍ତଙ୍କଠୁଁ ପାଞ୍ଚଟଙ୍କା ଲେଖାଏଁ ଫିସ ନେଇଥାଆନ୍ତି । ଅତି ଗରିବ, ବୃଦ୍ଧାଙ୍କ ଠାରୁ କୌଣସି ଅର୍ଥ ନେଇ ନ ଥାଆନ୍ତି । ସତରେ ଡାକ୍ତର ଶଙ୍କର ଗୌଡ଼ଙ୍କ ଭଳି କେତେଜଣ ଅଛନ୍ତି ବୋଲି ତ ,ଏ ସଂସାର ସୁନ୍ଦର ।

 

Leave a Reply