ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ କାର୍ଯ୍ୟସୂଚୀ ଚୂଡ଼ାନ୍ତ: ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ଭୁବନେଶ୍ୱର: ଆସନ୍ତାକାଲି ଅପରାହ୍ନ ୪ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଏସ୍ ଜଗନ ମୋହନ ରେଡ୍ଡୀ । ଅପରାହ୍ନ ୫ଟା ୫୦ରେ ଦୁଇ ରାଜ୍ୟ ମୁଖ୍ୟଙ୍କ ମଧ୍ୟରେ ହେବ ଆଲୋଚନା । ଲୋକସେବା କନଭେନସନ ସେଣ୍ଟରରେ ବୈଠକ ହେବ । ଉଭୟଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ ଆଲୋଚନା ହେବ । ସନ୍ଧ୍ୟା ୭ଟାରେ ଜଗନ ରେଡ୍ଡୀ ଆନ୍ଧ୍ର ଫେରିଯିବେ ।

ତେବେ ଦୀର୍ଘଦିନ ଧରି ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଲାଗି ରହିଥିବା କୋଟିଆ, ପୋଲାଭରମ ପରି ବିବାଦ ଉପରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇ ସମାଧାନର ବାଟ ବାହାରିବ ବୋଲି ଚର୍ଚ୍ଚା ହେଉଛି ।

ସୁପ୍ରିମ୍‌କୋର୍ଟରେ ପୋଲାଭରମ ମାମଲା । କୋଟିଆରେ ସୀମା ବିବାଦ । କେତେବେଳେ କୋଟିଆରେ ଆନ୍ଧ୍ର ଜବରଦସ୍ତ ପଶି ନିର୍ବାଚନ କରୁଛି ତ କେତେବେଳେ ଲୋକଙ୍କୁ ନିଜ ଆଡ଼କୁ ନେବାକୁ ବିଭିନ୍ନ ଫନ୍ଦି ଫିକର କରୁଛି । ପ୍ରଶାସନିକ ଅଧିକାରୀ ଓ ନେତାନେତା ମୁହାଁମୁହିଁ ହେଉଛନ୍ତି । ବର୍ଷ ବର୍ଷ ଧରି ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଏପରି ବିବାଦ ଲାଗି ରହିଛି । ଏହା ଭିତରେ ଆସନ୍ତା ୯ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଉଭୟଙ୍କ ମଧ୍ୟରେ କି ଆଲୋଚନା ହେବ, ତାହା ଏଯାଏ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ କୋଟିଆ ଓ ପୋଲାଭରମ ପ୍ରସଙ୍ଗରେ ଆଲୋଚନା ହୋଇ ସମାଧାନର ବାଟ ବାହାରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡୀ ଦୁଇ ରାଜ୍ୟ ମଧ୍ୟରେ ବିବାଦର ଦୂର କରିବା ଉପରେ ଗୁରୁତ୍ବ ଦେବାକୁ କଂଗ୍ରେସ ଦାବି କରିଛି । ବିଜେପି କହିଛି, ଆନ୍ଧ୍ର ସହିତ ବିବାଦର ସମାଧାନ ପାଇଁ ଜଗନମୋହନଙ୍କୁ ଦାବିପତ୍ର ଦେବ । କୋରାପୁଟରୁ ଗଜପତି ଯାଏ ଆନ୍ଧ୍ର ସହିତ ଓଡ଼ିଶାର ସୀମା ବିବାଦ ଲାଗି ରହିଛି । ପୋଲାଭରମ ଲଢ଼େଇ ବି ଚାଲିଛି ।

Leave a Reply