ଅନଲାଇନ୍ ଗେମରେ ୫ ଲକ୍ଷ ହରାଇବା ପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଜଳେଶ୍ବର: ଘାରିଛି ଅନଲାଇନ୍ ଗେମ୍ ନିଶା । ରାତା ରାତି କୋଟିପତି ହେବାକୁ ଇଚ୍ଛା କରି ଦେଉଛି ସର୍ବସ୍ବାନ୍ତ । ବିଶେଷ କରି ଯୁବପୀଢ଼ି ଅନଲାଇନ୍ ଗେମରେ ଏମିତି ମାତିଛନ୍ତି ଯେ, ଲକ୍ଷ ଲକ୍ଷ ଟଙ୍କା ବରବାଦ କରି ଦେଉଛନ୍ତି । ଆଉ ତଳି ତଳାନ୍ତ ହେବା ପରେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି । ଏମିତି ଏକ ଖବର ଆସିଛି ବାଲେଶ୍ବର ଜିଲ୍ଲାରୁ । ଜଳେଶ୍ବର ଅଞ୍ଚଳର ଜଣେ ଯୁବକ ଅନଲାଇନ୍ ଗେମରେ ୫ ଲକ୍ଷ ଟଙ୍କା ହରାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ଘଟଣା ଘଟିଛି ଜଳେଶ୍ବର ତେଘରି ଗାଁରେ । ଗାଁର ସୌରଜିତ ରାୟ ଅନଲାଇନ୍ ଗେମ ଖେଳି ବରବାଦ ହୋଇଛନ୍ତି । ସେ ଜୁପି ଲୁଡୁ ଖେଳି ୫ ଲକ୍ଷରୁ ଅଧିକ ଟଙ୍କା ହରାଇଥିବା ଜଣାପଡିଛି । ଏତେ ଟଙ୍କା ହାରିବା ପରେ ସେ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ । ଆଜି ସକାଳେ ଛୁରୀରେ ହାତ ଓ ବେକକୁ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।