ବଞ୍ଚିଛି ମାନବିକତା: ଥକି ପଡ଼ିଥିବା ଋଷ ସୈନ୍ୟକୁ ଖାଦ୍ୟ ଦେଲେ ୟୁକ୍ରେନ ବାସିନ୍ଦା

କିଭ୍: ଋଷର ଘନ ଘନ ମିସାଇଲ ମାଡ଼ରେ ଧ୍ୱଂସ ହୋଇଛି ୟୁକ୍ରେନର ଅନେକ ସହର । ଛାରଖାର ହୋଇଛି ବିରାଟ ବିରାଟ ଅପାର୍ଟମେଣ୍ଟ । ମିସାଇଲ ମାଡ଼ରେ ଥରୁଛି  କିବ୍, ଖାରକିବ । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଉପରେ କବଜା କରିବାକୁ ମାଡ଼ି ଚାଲିଛନ୍ତି ଋଷ ସେନା । ସରକାରୀ ବିଲ୍ଡିଂ ଓ ଜନବସତି ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି ଋଷ୍ ସେନା । ହେଲେ ଶତ୍ରୁ ରାଷ୍ଟ୍ରର ସୈନ୍ୟଙ୍କୁ ମାନବିକତାର ଶିକ୍ଷା ଶିଖାଇ ଦେଇଛନ୍ତି ୟୁକ୍ରେନବାସୀ ।

ଫେବ୍ରୁଆରୀ ୨୪ରୁ ପୁତିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଋଷ ସେନାଙ୍କ ଆକ୍ରମଣ ଲଗାତାର ଭାବେ ଜାରି ରହିଛି । ଦିର୍ଘ ଅଷ୍ଟମ ଦିନରେ ଲଗାତାର ଭାବେ ଋଷ ସେନା ଜାରି ରଖିଛି ଗୁଳି ଓ ମିସାଇଲ ମାଡ଼ । ଏଭଳି ପରିସ୍ଥିତିରେ ଜଣେ ଋଷ ସୈନଙ୍କ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଠି ୟୁକ୍ରେନ ବିରୋଧରେ ଯୁଦ୍ଧ କରି ଥକି ପଡ଼ିଥିବା ଜଣେ ଋଷ ସୈନ୍ୟଙ୍କୁ ୟୁକ୍ରେନବାସୀ ଖାଦ୍ୟ ଓ ଚା’ ଦେବା ପରେ ଭାବପ୍ରବଣ ହୋଇପଡ଼ିଛନ୍ତି ସୈନ୍ୟ ଜଣଙ୍କ । ଖାଉଥିବା ବେଳେ ତାଙ୍କ ଆଖିରୁ ଲୁହ ଝରି ପଡୁଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେବଳ ସେତିକି ନୁହେଁ ପାଖରେ ଥିବା ମହିଳା ଜଣଙ୍କ ସୈନିକଙ୍କ ମାଆଙ୍କ ସହ କଥାମଧ୍ୟ କରାଇଦେଇଥିଲେ । ଏବେ ବି ଏଠି ମାନବିକତା ବଞ୍ଚିଛି ବୋଲି ଅନେକ ୟୁଜର୍ସ କହିଛନ୍ତି ।

ସୂତନା ଅନୁଯାୟୀ, ଋଷର ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କିଭକୁ ଚାରିଆଡ଼ୁ ଘେରିଛନ୍ତି । ଏବଂ ଋଷର ସେନା ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର ଆଡକୁ ଆଗଉଛି । ତେବେ ୟୁକ୍ରେନରୁ ଋଷର ସୈନ୍ୟ ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘରେ ପ୍ରସ୍ତାବ ପାରିତ କରିଛି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି ।

Leave a Reply