ଦିଲ୍ଲୀ ଜନ୍ତରମନ୍ତରରେ ରେସଲରଙ୍କ ଧାରଣା , ଆଜି ସୁପ୍ରିମକୋର୍ଟରେ ରେସଲରଙ୍କ ପିଟିସନର ଶୁଣାଣି

ଦିଲ୍ଲୀ : ଦିଲ୍ଲୀ ଜନ୍ତରମନ୍ତରରେ ରେସଲରଙ୍କ ଧାରଣା । ଆଜି ସୁପ୍ରିମକୋର୍ଟରେ ରେସଲରଙ୍କ ପିଟିସନର ଶୁଣାଣି । କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ରାଜଧାନୀରେ ଗତ ୬ଦିନ ଧରି ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ଦିଲ୍ଲୀ ପୋଲିସ ପୀଡ଼ିତାଙ୍କ ଏତଲା ନରଖିବା ନେଇ ସୁପ୍ରିମକୋର୍ଟରେ ଦାଏର ପିଟିସନର ଶୁଣାଣି କରିବେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ।

 

 

କୁସ୍ତି ସଂଘ ସଭାପତି ତଥା ବିଜେପିର ବାହୁବଳି ସାଂସଦଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏମିତିକି ଦିଲ୍ଲୀ ପୋଲିସ ପୀଡ଼ିତାଙ୍କ ଏତଲା ମଧ୍ୟ ରେଜିଷ୍ଟର କରାଇନଥିବା ଜଣାପଡ଼ିଛି । ଜାତୀୟ, ଅନ୍ତର୍ଜାତୀୟସ୍ତରରେ ମେଡାଲ ଜିତି ତ୍ରିରଙ୍ଗାର ମାନ ବଢ଼ାଇଥିବା ଖେଳାଳିମାନେ ରାଜଧାନୀ ରାଜରାସ୍ତାରେ ବସି ହାତ ଯୋଡ଼ି ନ୍ୟାୟ ଭିକ୍ଷା କରୁଛନ୍ତି । ଧାରଣାସ୍ଥଳରେ କୁସ୍ତିଯୋଦ୍ଧାମାନେ ବିଜେପିର ବାହୁବଳି ସାଂସଦ ବ୍ରିଜଭୂଷଣଙ୍କ ନାଁରେଥିବା ସମସ୍ତ ମାମଲାର ଏକ ତାଲିକାର ପୋଷ୍ଟର ମଧ୍ୟ ଲଗାଇଛନ୍ତି ।

 

ବ୍ରିଜଭୂଷଣଙ୍କ ନାଁରେ ୩୮ ମାମଲା ରହିଥିବା ପୋଷ୍ଟରରେ ଦର୍ଶାଯାଇଛି । ସେପଟେ ରେସଲରଙ୍କ ଧାରଣାକୁ ସମର୍ଥନ ଦେଇଛନ୍ତି ଅଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ନିରଜ ଚୋପ୍ରା । ଦେଶ ପାଇଁ ମେଡାଲ ଜିତି ଦେଶକୁ ଗର୍ବିତ କରିଥିବା ମହିଳା ଖେଳାଳିଙ୍କ ଅଭିଯୋଗକୁ ଅତି ସମ୍ବେଦନଶୀଳ କହିବା ସହ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିରଜ ନିଜ ଟୁଇଟର ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ସେହିପରି କୁସ୍ତିଯୋଦ୍ଧାଙ୍କ ଧାରଣା ଦେଶର ଛବିକୁ ମଳିନ କରୁଛି ବୋଲି ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ ସଭାପତି ତଥା ରାଜ୍ୟସଭା ସାଂସଦ ପି ଟି ଉଷାଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଧାରଣାରତ କୁସ୍ତିଯୋଦ୍ଧା ପି ଟି ଉଷାଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିବା ବେଳେ ଟୁଇଟ କରି ବର୍ଷିଛନ୍ତି ଟିଏମସି ସାଂସଦ ମହୁଆ ମଇତ୍ରୋ ।