spot_img

Latest Posts

ମାଉଣ୍ଟ ଏଭରେଷ୍ଟରେ ଅଘଟଣ, ବିଜୟ ପରେ ଜୀବନ ହାରିଲେ ୨ ଭାରତୀୟ

ନନ୍ଦିଘୋଷ ବ୍ୟୁରୋ: ମାଉଣ୍ଟ ଏଭରେଷ୍ଟରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର। ସାରା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଜୟ କରିବା ପରେ ମଧ୍ୟ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଦୁଇ ଜଣ ସାହସୀ ଭାରତୀୟ। ସଫଳତାର ସହ ଏଭରେଷ୍ଟ ଆରୋହଣ କରି ସେଠାରୁ ଫେରିବା ସମୟରେ ଏହି ଅଘଟଣ ଘଟିଛି। ନେପାଳ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ବେଳେ ମୃତକ ଦୁଇ ଭାରତୀୟ ହେଉଛନ୍ତି ଅରୁଣ କୁମାର ତିୱାରୀ ଏବଂ ସନ୍ଦୀପ ଆରେ।

ନେପାଳର ଏକ୍ସପେଡିସନ ଅପରେଟର୍ସ ଆସୋସିଏସନ (EOAN)ର ସୂଚନା ଅନୁଯାୟୀ, ସନ୍ଦୀପ ବୁଧବାର ଏବଂ ଅରୁଣ ଗୁରୁବାର ସନ୍ଧ୍ୟାରେ ଏଭରେଷ୍ଟ ଶୀର୍ଷରେ ପହଞ୍ଚିଥିଲେ। ତେବେ ଫେରିବା ବାଟରେ, ଅତ୍ୟଧିକ ଉଚ୍ଚତା ଏବଂ ଅମ୍ଳଜାନର ଅଭାବ ଯୋଗୁଁ ସେମାନେ ମାରାତ୍ମକ ‘ଡେଥ୍ ଜୋନ୍’ରେ ଗଭୀର କ୍ଲାନ୍ତିର ଶିକାର ହୋଇଥିଲେ। ଶେରପା ଗାଇଡ୍ ମାନେ ସେମାନଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ଜୀବନ ବଞ୍ଚାଇବାରେ ବିଫଳ ହୋଇଥିଲେ। ସନ୍ଦୀପଙ୍କର ଗୁରୁବାର ମୃତ୍ୟୁ ହୋଇଥିବା ବେଳେ ଅରୁଣ ହିଲାରୀ ଷ୍ଟେପ୍ ନିକଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ପର୍ବତାରୋହଣ ଋତୁରେ ଏଭରେଷ୍ଟରେ ଏପର୍ଯ୍ୟନ୍ତ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏକ ଅପୂର୍ବ ରେକର୍ଡ ଭାବେ ଗୋଟିଏ ଦିନରେ ୨୭୪ ଜଣ ପର୍ବତାରୋହୀ ଏଭରେଷ୍ଟ ଶୃଙ୍ଗ ଛୁଇଁଥିଲେ, ଯେଉଁଥିରେ ଏହି ଭାରତୀୟମାନେ ସାମିଲ ଥିଲେ। ଏହି ଗୌରବମୟ ସଫଳତା ସତ୍ତ୍ୱେ ଏଭଳି ଦୁଃଖଦ ଘଟଣା ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ଏଭରେଷ୍ଟ ଜୟ କରିବା ଯେତିକି କଷ୍ଟକର, ଶୀର୍ଷରୁ ସୁରକ୍ଷିତ ଫେରିବା ସେତିକି ବିପଜ୍ଜନକ, ଏହି ଘଟଣା ପୁଣି ଥରେ ତାହା ପ୍ରମାଣିତ କରିଛି।

Latest Posts

Don't Miss