କେବେ ସରିବ ମେଗା ପାନୀୟ ଜଳ ପ୍ରକଳ୍ପ କାମ ?

ନନ୍ଦିଘୋଷ ବ୍ୟୁରୋ: ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ କାମ । ଅବଧି ସରିବାର ୭ ମାସ ବିତିଥିଲେ ବି ସରିନି କାମ । କେଉଁଠି ପାଚେରୀ କାମ ଅଧାରେ ଅଟକିଛି ତ କେଉଁଠି ପମ୍ପ ଗୃହ କାମ ଅଧପନ୍ତରିଆ ହୋଇ ପଡିରହିଛି । ବାଧ୍ଯ ହୋଇ ନଦୀ, ନାଳ ଓ ଚୁଆ ପାଣି ଉପରେ ଭରସା କରୁଛନ୍ତି କଳାହାଣ୍ଡି ଜିଲ୍ଲା ଲୋକେ ।

ଭାବିଥିଲେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲେ ହେବନି ପାଣି ସମସ୍ଯା । ପାଇପାରିବେ ବିଶୁଦ୍ଧ ପାଣି । ହେଲେ ସମସ୍ଯା ସରିବାରେ ନାଁ ଧରୁନି । କଳାହାଣ୍ଡି ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ପାନୀୟ ଜଳ ସମସ୍ଯାର ସମାଧାନ ପାଇଁ କଳାହାଣ୍ଡି ଜିଲ୍ଲାର ଜୟପାଟଣା, ଥୁଆମୂଳ ରାମପୁର ଓ କଲମପୁର ବ୍ଲକରେ ନିର୍ମାଣ ହେଉଛି ମେଗା ପ୍ରକଳ୍ପ । ହେଲେ ପ୍ରକଳ୍ପ ସରିବାର ସମୟସୀମା ସରି ୭ ମାସ ବିତିଥିଲେ ବି କାମ ସରିନାହିଁ । କେଉଁଠି ପାଚେରୀ କାମ ଅଧାରେ ଅଟକିଛି ତ କେଉଁଠି ପମ୍ପ ଗୃହ କାମ ଅଧପନ୍ତରିଆ ହୋଇ ପଡିରହିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି  ଅଞ୍ଚଳବାସୀ ।

ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଓ ଠିକା ସଂସ୍ଥାର ମନମୁଖୀ କାର୍ଯ୍ଯ ପାଇଁ ଏଭଳି ବିଳମ୍ବ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବାଧ୍ଯ ହୋଇ ନଦୀ, ନାଳ ଓ ଚୁଆ ପାଣି ଉପରେ ଭରସା କରୁଛନ୍ତି ଲୋକେ । ରାଜ୍ଯ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ କହିଛନ୍ତି ଲାଞ୍ଜିଗଡ ବିଧାୟକ ।