spot_img

Latest Posts

ରାଜଧାନୀରେ ଗଣଦୁଷ୍କର୍ମର କଳା ଫର୍ଦ୍ଦ, କାରରେ ଟେକିନେଇ ବନ୍ଧୁକ ଦେଖାଇ କଲେ ମହିଳାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ୪ଜଣ ବ୍ୟକ୍ତି ମହିଳାଙ୍କୁ କାର୍‌ରେ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ସଂପୃକ୍ତ ମହିଳାଙ୍କ ବୟାନ ରେକର୍ଡ କରିଛି। ହେଲେ ଏହି ଘଟଣାରେ କିଛି ଭିନ୍ନ କଥା ଥିବା ପୁଲିସ କହିଛି।

ମହିଳାଙ୍କ ଅଭିଯୋଗ ମୁତାବକ, ଗତ ଫେବୃଆରୀ ୨୬ ତାରିଖରେ ସଂପୃକ୍ତ ମହିଳା ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ତାଙ୍କ ଶାଶୂ ଘରକୁ ଚାଲି ଚାଲି ଫେରୁଥିଲେ। ଏହି ସମୟରେ ୪ ଜଣ ଦୁର୍ବୃତ୍ତ ଏକ କାରରେ ଆସି ମହିଳାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଉଠାଇ ନେଇଥିଲେ। ପରେ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ। ମହିଳା ଜଣଙ୍କ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ବାରମ୍ବାର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍‌ ତାଙ୍କୁ ମିଛ ଘଟଣା କହି ସେଠାରୁ ତଡି ଦେଇଥିଲା। ଥାନା ପୁଲିସ ନ ଶୁଣିବାରୁ ମହିଳା ଜଣଙ୍କ ବାଧ୍ୟ ହୋଇ ପୁଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ। ସିପିଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ମହିଳା ଥାନାକୁ ଆସି ଅଭିଯୋଗ କରିବା ଘଟଣାକୁ ଖଣ୍ଡନ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଘଟଣା ଫେବୃଆରୀ ମାସ ୨୬ ତାରିଖରେ ଘଟିଥିବା ବେଳେ ମାର୍ଚ୍ଚ ୧୮ରେ ଥାନାରେ ଅଭିଯୋଗ ଆଣିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେପଟେ ଆଜି ଗଣଦୁଷ୍କର୍ମ ଶିକାର ହୋଇଥିବା ମହିଳାଙ୍କୁ ପୁଲିସ ଥାନାକୁ ଡାକି ପଚରାଉଚରା କରୁଛି। ପୁଲିସ କହିଛି ମହିଳା ଜଣଙ୍କ ଯାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ସେମାନଙ୍କ ଏତଲାକ୍ରମେ ମହିଳାଙ୍କ ସ୍ୱାମୀ କିଛି ଦିନ ତଳେ ଜେଲ୍‌ ଯାଇଥିଲେ।

Latest Posts

Don't Miss