ଜାଲି ମହିଳା: ମୃତକଙ୍କ ଝିଅ ସାଜି ଜମି ବନ୍ଧା ପକାଇ ଲୋନ୍ ନେବାକୁ କରୁଥିଲେ ପ୍ରୟାସ, ବାନ୍ଧିଲା ପୋଲିସ

1 min read

ବାରିପଦା: ମହିଳା ୪୨୦ । ମୃତ ବ୍ୟକ୍ତିଙ୍କ ଝିଅ ସାଜି ଜମି ବନ୍ଧକ ରଖି ବ୍ୟାଙ୍କରୁ ଋଣ ନେବାକୁ କରୁଥିଲେ ପ୍ରୟାସ । ହେଲେ ଧରାପଡ଼ିଗଲା ମହିଳାଙ୍କ କାରସାଦି । ଜାଲି ମହିଳାଙ୍କୁ ବାନ୍ଧିଲା ପୋଲିସ ।

ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପୁରୁଣା ବାରିପଦା ଖଡ଼ିକାପଦା ଗାଁରେ । ଗ୍ରାମର ଜଗବନ୍ଧୁ ବେହେରାଙ୍କର ମୃତ୍ୟୁ ହୋଇ ସାରିଛି । ତାଙ୍କର ଖଡ଼ିକାପଦା ମୌଜାରେ ପ୍ଲଟ ନମ୍ବର-୩୭୨ରେ ଘରବାରି ଜମି ରହିଛି । ଜଗବନ୍ଧୁଙ୍କ ପୁଅ ଅଶୋକ ବେହେରା, ସରୋଜ ବେହେରା, ଝିଅ ମନୋରମା ସାହୁ ଏବଂ ସ୍ତ୍ରୀ ସାବିତ୍ରୀ ବେହେରା ଅଛନ୍ତି । ଉକ୍ତ ଜମିକୁ ୫ ଲକ୍ଷ ଟଙ୍କାରେ ବନ୍ଧା ପକାଇ ଲୋନ ନେବା ନିମନ୍ତେ ଏକ ଘରୋଇ ଋଣ ସଂସ୍ଥା ନିକଟରେ ପହଞ୍ଚିଥିଲେ ଜଗବନ୍ଧୁଙ୍କ ଉତ୍ତରାଧିକାରୀ ।

ସବରେଜିଷ୍ଟ୍ରାର ଅଫିସରେ ରେଜିଷ୍ଟ୍ରି ନିମନ୍ତେ କାଗଜପତ୍ର ପହଞ୍ଚିବା ପରେ ସାମ୍ନାକୁ ଆସିଥିଲା ଜାଲିଆତି ଉଦ୍ୟମ । ମୃତ ଜଗବନ୍ଧୁଙ୍କ ଜମିର ଦାବିଦାର ହୋଇ ଆସିଥିବା ଚାରି ଜଣଙ୍କ ମଧ୍ୟରୁ ଝିଅ ମନୋରମା ସାହୁଙ୍କ ବଦଳରେ ଅନ୍ୟ ଜଣେ ମହିଳା ଆସି କାଗଜପତ୍ରରେ ଦସ୍ତଖତ କରିଥିଲେ । ନକଲି ଆଧାର କାର୍ଡ ଦେଇ ସେ ଜମି ବନ୍ଧକ କରାଇବା ନିମନ୍ତେ ରେଜିଷ୍ଟ୍ରି ସମୟରେ ଦସ୍ତଖତ କରିଥିବା ବେଳେ ଆଧାରକାର୍ଡରେ ଫିଙ୍ଗର ପ୍ରିଣ୍ଟ ନ ନେବାରୁ ସେ ମନୋରମା ସାହୁ ନୁହନ୍ତି ବୋଲି ସବରେଜିଷ୍ଟ୍ରାର ଜାଣିବାକୁ ପାଇଥିଲେ ।  ଉକ୍ତ ଠକ ମହିଳାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ପୋଲିସ୍ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ଗିରଫ ମହିଳା ଜଣକ ଉତ୍ତରାଧିକାରୀ ଅଶୋକ ବେହେରାଙ୍କ ଖୁଡ଼ି ମିନତି ବେହେରା ହୋଇଥିବା ବେଳେ ସେ ଏହି ଜାଲିଆତି ବାବଦରେ କିଛି ଜାଣି ନ ଥିବା କହିଛନ୍ତି ।