ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ କାରକେଡ ଆଗରେ ମହିଳାଙ୍କ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ରସୁଲଗଡ଼ ଛକରେ ଅଭାବନୀୟ ଦୃଶ୍ଯ । ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ କାରକେଡ ଆଗରେ ହଙ୍ଗାମା କଲେ ମହିଳା । ରସୁଲଗଡ଼ ଛକରେ ହଠାତ ଜଣେ ମହିଳା ରାସ୍ତା ମଝିକୁ ଆସିଯାଇ କାରକେଡ ଅଟକାଇବାକୁ ଚେଷ୍ଟା କରିଥିଲେ । ମହିଳାଙ୍କ ପାଇଁ କିଛି ସମୟ ମୁଖ୍ଯମନ୍ତ୍ରୀଙ୍କ କାରକେଡ ଅଟକିଯାଇଥିଲା । ପରେ ପୋଲିସ ସଂପୃକ୍ତ ମହିଳାଙ୍କୁ ହଟାଇବା ପରେ ମୁଖ୍ଯମନ୍ତ୍ରୀଙ୍କ କାରକେଡ ଆଗକୁ ଯାଇଥିଲା । ଅଭିଯୋଗ ଅନୁସାରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ପାଇଁ ରସୁଲଗଡ଼ ଛକରେ ଅଧଘଣ୍ଟା ହେଲା ପୋଲିସ ଯାତାୟାତ ବନ୍ଦ କରିଥିଲା । ଫଳରେ ଲୋକମାନେ ରାସ୍ତାରେ ଅଟକିରହିଥିଲେ । ଏହି ସମୟରେ ସଂପୃକ୍ତ ମହିଳା ମେଡିକାଲ କାମ ଅଛି କହି ଯିବାକୁ ଚାହିଁଥିଲେ । ହେଲେ ପୋଲିସ ତାଙ୍କୁ ଛାଡ଼ିନଥିଲା । ଫଳରେ ମହିଳାଜଣଙ୍କ ମୁଖ୍ଯମନ୍ତ୍ରୀଙ୍କ କାରକେଡ ଆଗକୁ ଆସିଯାଇଥିଲେ । ଏହାପରେ ମହିଳାଙ୍କୁ ସମର୍ଥନ ଜଣାଇ ଉପସ୍ଥିତ ଲୋକମାନେ ମଧ୍ଯ ଗାଡ଼ିର ହର୍ଣ୍ଣ ବଜାଇ ପ୍ରତିବାଦ କରିଥିଲେ ।