ସୋସିଆଲ ମିଡିଆକୁ ସାବଧାନ: ପୋଲିସ ଫଟୋ ଲଗାଇ ବନ୍ଧୁତ୍ବ ଆଳରେ ୮ ଲକ୍ଷ ଲୁଟିଥିବା ମହିଳା ଗିରଫ

ଭୁବନେଶ୍ବର: ଆଜିକାଲି ସମସ୍ତେ ସୋସିଆଲ ମିଡ଼ିଆରେ ଆକ୍ଟିଭ । ବେଳେ ବେଳେ ଅଚିହ୍ନା ଲୋକଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଥାଏ । ପ୍ରୋଫାଇଲରେ ଭଲ ଭଲ ଜବରେ ଥିବା ଭଳି ଫଟୋ ଦେଖି ଲୋକେ ରିକ୍ୟୁଏଷ୍ଟ ଆସେପ୍ଟ କରିଦେଉଛନ୍ତି । ଯଦି ଏମିତି କରୁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ । କାରଣ ସୋସିଆଲ ମିଡିଆରେ ମାତିଛନ୍ତି ଠକ । ବିଭିନ୍ନ ପ୍ରକାରର ଫଟୋ ଲଗାଇ ଲୋକଙ୍କୁ ଠକୁଛନ୍ତି ।

ଏମିତି ଏକ ଘଟଣା ରାଜଧାନୀରେ ଦେଖିବାକୁ ମିଳିଛି । ଜଣେ ମହିଳା ପୋଲିସ ବେଶରେ ପ୍ରୋଫାଇଲ ଫଟୋ ରଖି ବନ୍ଧୁ ବାନ୍ଧିବା ପରେ ଠକେଇ କରିଥିବା ଅଭିଯୋଗ ହୋଇଛି । କିଛି ଦିନର ବନ୍ଧୁତ୍ବ ପରେ ନିଜର ଦାରିଦ୍ର୍ୟ ଓ ସ୍ୱାସ୍ଥ୍ୟଗତ ଅସୁବିଧା ଜଣାଇ ଟଙ୍କା ମାଗି ନେଉଛନ୍ତି । ହେଲେ ଫେରାଇବା ବେଳକୁ ଧମକ ଦେଉଛନ୍ତି । ଏଭଳି ଘଟଣାରେ ଜଣେ ଠକ ମହିଳାଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ମହିଳା ଜଣକ ହେଲେ ସଂଯୁକ୍ତା ଭୂୟାଁ ।

ପ୍ରୋଫାଇଲରେ ପୋଲିସ ଆଇଆଇସିଙ୍କ ଫଟୋ ରଖି ଲୋକଙ୍କ ଠାରୁ ଚୂନା ଲଗାଉଥିଲେ । ଆଇଆଇସିଙ୍କ ଫଟୋ ରଖି ଠକେଇ କରୁଥିବା ଜାଣିବାକୁ ପାଇଛି ପୋଲିସ । ଫେସବୁକରେ ବନ୍ଧୁତା ଯୋଗୁଁ ଠକାମୀର ଶିକାର ହୋଇଥିଲେ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁରର ବିଷ୍ଣୁ ପ୍ରସାଦ ମୁଦୁଲି । ମହିଳା ଜଣଙ୍କ ତାଙ୍କ ପାଖରୁ ୮ ଲକ୍ଷ ୭୫ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ନଶୁଣିବାରୁ ଗତ ଶୁକ୍ରବାର ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ଠକେଇର ଶିକାର ପରିବାର ବର୍ଗ ।