ଥରୁଛି ଓଡ଼ିଶା: ୧୩ ଡିଗ୍ରୀ ତଳେ ୧୨ ସହର

1 min read

ଭୁବନେଶ୍ବର: ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଶୀତ । ୧୩ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା । ଓଡ଼ିଶାକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ପାଇଁ ତଳମୁହାଁ ହେଉଛି ପାରଦ । ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳର ଜି ଉଦୟଗିରି ଓ କୋରାପୁଟର ସେମିଳିଗୁଡ଼ା । ଏଠାରେ ୮ ଡିଗ୍ରୀ ରହିଛି ରାତିର ତାପମାତ୍ରା ।

ସୁନ୍ଦରଗଡ଼ କିରେଇରେ ୯.୫ ଡିଗ୍ରୀ, ଫୁଲବାଣୀରେ ୯.୬ ଡିଗ୍ରୀ, ଦାରିଙ୍ଗବାଡି ୧୦ ଡିଗ୍ରୀ, କୋରାପୁଟ ୧୦ ଡିଗ୍ରୀ, କେନ୍ଦୁଝର ୧୦ ଡିଗ୍ରୀ, ଭବାନୀପାଟଣାରେ ୧୦.୬ ଡିଗ୍ରୀ ରହିଛି । ସେପଟେ ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହୋଇଛି । ଏହା ନିଜର ତୀବ୍ରତା ବଜାୟ ରଖିବା ସହ ପରବର୍ତ୍ତୀ ୪୮ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ତାମିଲନାଡୁ-ପୁଡ଼ୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳ ମୁହାଁ ଅବପାତ । ପ୍ରଭାବରେ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି । ୨୩ ତାରିଖରୁ ବଢିବ ରାତିର ତାପମାତ୍ରା । ସ୍ବାଭାବିକଠାରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।