ମେ’ ୩ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍: ଲକ୍‌ଡାଉନ୍‌ ହଟିଲେ ରୋକି ହେବକି ସଂକ୍ରମଣ?

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ମେ ୩ ପାଇଁ କାଉଣ୍ଟଡାଉନ୍‌। ସବୁଠି ଚର୍ଚ୍ଚା, ସମସ୍ତଙ୍କର ପ୍ରଶ୍ନ, ବଢ଼ିବ କି ଲକ୍‌ଡାଉନ ? ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। କିଛି ରାଜ୍ୟ ଲକଡାଉନ ସଂପର୍କରେ ବି ମତାମତ ଦେଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ହେଲେ ଏଯାଏ ଏନେଇ କୈାଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

ଦୁଇ ମାସ ଭିତରେ ଦୁଇ ଦୁଇ ଥର ଲକଡାଉନ୍‌ ବଢିଲାଣି। ଜାତୀୟ ଟ୍ରେଣ୍ଡ କହୁଛି ଆକ୍ରାନ୍ତ ସୁସ୍ଥ ହେଉଛନ୍ତି।  ଓଡ଼ିଶାରେ ବି ସ୍ଥିତି ସମାନ। ତେବେ ପ୍ରତିଦିନ ବାହାର ରାଜ୍ୟରୁ ଫେରନ୍ତାଙ୍କ ଖବର ଆସୁଛି। ଯାହା ସଂକ୍ରମଣର ବଡ଼ କାରଣ। ତେବେ ଓଡ଼ିଶା ହଟସ୍ପଟ ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି।

୪୬ ପରେ ସଂଖ୍ୟା ବଢିନି। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ କଣ୍ଟନମେଣ୍ଟ କରାଯିବାରୁ ସଂକ୍ରମଣ ବଢି ନଥିଲା। ଏପରିକି କଣ୍ଟନମେଣ୍ଟ ବଢାଯାଇଥିଲା। ହେଲେ ବିଳମ୍ବରେ କଣ୍ଟେନମେଣ୍ଟ ଯୋଗୁଁ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ସୁନ୍ଦରଗଡ଼ରେ ସ୍ଥିତି ବଗିଡ଼ିଛି । ୩୦ ଦିନରେ ସଂଖ୍ୟା ୧୦୦ ଟପିଲାଣି। ୬୦ଘଣ୍ଟିଆ ସଟଡାଉନ ପରେ ଯେପରି ସଂଘରୋଧକୁ ଭୁଲି ଯେପରି ଜନଗହଳି ହୋଇଥିଲା, ସେ ସ୍ଥିତିରେ ଲକଡାଉନ ନ ବଢିଲେ ସଂକ୍ରମଣ ରୋକିବା କାଠିକର ପାଠ।

ଅକ୍ଷୟ ତୃତୀୟା ପରେ ଚାଷ କାମ ଆରମ୍ଭ ହୋଇଛି। ଲକଡାଉନ ବଢିଲେ, ଚାଷ ବିଶେଷ ଭାବେ ପ୍ରଭାବିତ ହେବ। ମୁଖ୍ୟତଃ କୃଷି ପ୍ରଧାନ ଗ୍ରାମାଞ୍ଚଳ ଯେଉଁଠି ସଂକ୍ରମଣ ବ୍ୟାପି ନାହିଁ, ସେଠାରେ ଲକଡାଉନ କୋହଳ କରିବାର ଆବଶ୍ୟକତା ଦେଖାଦେଇଛି। ଲକଡାଉନ ଯୋଗୁଁ ବଜାର ବି ମାନ୍ଦା । ଯାହାର ପ୍ରଭାବ ଅର୍ଥନୀତି ଉପରେ ପଡ଼ିଛି। ମଧ୍ୟବିତ୍ତ ପରିବାରଙ୍କ ସ୍ଥିତି ବି ବିଗିଡ଼ିବାରେ ଲାଗିଲାଣି।

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ ବଢିବା ସପକ୍ଷରେ ମତ ଦେଇଛନ୍ତି। ପୂର୍ବରୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲକଡାଉନର ଅବଧି ବୃଦ୍ଧି କରି ସଂକ୍ରମଣ ଉପରେ ନିୟନ୍ତ୍ରଣ ଆଣିପାରିଥିଲା। ହେଲେ ଯେପରି ସଂକ୍ରମଣ ବ୍ୟାପିବାରେ ଲାଗିଛି, ସବୁ ଦିଗକୁ ବିଚାର କରି ରାଜ୍ୟମାନଙ୍କ ସହ ଆଲୋଚନା ପରେ ଲକଡାଉନ ନିଷ୍ପତ୍ତି ନେବାର ସମୟ ଆସିଛି।

Leave a Reply