ଏପ୍ରିଲ ୧ ରୁ କାହିଁକି ନୂଆ ଆର୍ଥିକ ବର୍ଷ ଆରମ୍ଭ ?

1 min read

ନନ୍ଦିଘୋଷ ବ୍ୟୁରୋ: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡି ଖୋଲିଯାଇଛି। ସାଧାରଣ ବଜେଟ୍ ଏପ୍ରିଲ୍ ୧, ୨୦୨୫ ରୁ ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟନ୍ତ ଲାଗୁ ହେବ। ଆପଣ କେବେ ଚିନ୍ତା କରିଛନ୍ତି କି ଫେବୃଆରୀ ୧ରେ ଘୋଷଣା ହୋଇଥିବା ବଜେଟ୍ କାହିଁକି ଏପ୍ରିଲ ୧ରୁ ଆରମ୍ଭ ହୋଇଥାଏ? ତେବେ ଜାଣିରଖନ୍ତୁ ଏହା ପଛରେ କଣ ରହିଛି କାରଣ ।

୨୦୨୫-୨୬ ବର୍ଷ ଲାଗି ଅର୍ଥମନ୍ତ୍ରୀ ବଜେଟ୍ ଘୋଷଣା କରିଛନ୍ତି । ନିର୍ମଳାଙ୍କ ଆର୍ଥିକ ପେଡିରେ ମଧ୍ୟବିତ୍ତ, କୃଷି ଉପରେ ଫୋକସ ଦିଆଯାଇଛି। ଏହି ବଜେଟ୍ ଏପ୍ରିଲ ୧, ୨୦୨୫ ରୁ ଆରମ୍ଭ ହୋଇ ୨୦୨୬ ମାର୍ଚ୍ଚ ୩୧ରେ ଶେଷ ହେବ । ଏହା ଏମିତି ଏକ କାର୍ଯ୍ୟସୂଚୀ ଯାହା ସାଧାରଣତଃ ଦେଶର ଅଧିକାଂଶ ଭାଗରେ ଫସଲ ଚକ୍ର ସହିତ ମେଳ ଖାଏ। ଭାରତୀୟ ଅର୍ଥନୀତିରେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଐତିହାସିକ ଭାବରେ ଭାରତ ଏକ କୃଷି ପ୍ରାଧାନ୍ୟ ଦେଶ।

ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶରେ ମୌସୁମୀ ଚାଲିଥାଏ, ଯାହା ଚାଷରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କୃଷକମାନେ ସାଧାରଣତଃ ଜୁନ୍-ଜୁଲାଇରେ ଫସଲ ବୁଣନ୍ତି ଏବଂ ଅକ୍ଟୋବର-ମାର୍ଚ୍ଚରେ ଅମଳ କରନ୍ତି। ଏଭଳି ପରିସ୍ଥିତିରେ, ଏହି କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟ କରି ସରକାର କୃଷି କ୍ଷେତ୍ର ପାଇଁ ଯୋଜନା ପ୍ରସ୍ତୁତ କରିବା ସହଜ ହୋଇଯାଏ।

ଏପ୍ରିଲ ୧ ରୁ ଭାରତରେ ଆର୍ଥିକ ବର୍ଷ ଆରମ୍ଭ କରିବାର ଅନ୍ୟ ଏକ କାରଣ ହେଉଛି ଭାରତରେ ଆର୍ଥିକ ବର୍ଷର ଆରମ୍ଭ ମଧ୍ୟ ବୈଶାଖ କିମ୍ବା ହିନ୍ଦୁ ନୂତନ ବର୍ଷରୁ ଆରମ୍ଭ ହୋଇଥାଏ । ଏହା ଏପ୍ରିଲରୁ ମାର୍ଚ୍ଚ ପର୍ଯ୍ୟନ୍ତ ଆର୍ଥିକ କାର୍ଯ୍ୟସୂଚୀକୁ ବ୍ୟାଖ୍ୟା କରେ । ଅନେକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ତାରିଖ ବାଛିବାବେଳେ ଭାରତ ସରକାର ନିଶ୍ଚିତ ଭାବରେ ଏହି ସମସ୍ତ ସାଂସ୍କୃତିକ ପରମ୍ପରାକୁ ମନେ ରଖିଥିବେ। ଭାରତରେ ହିନ୍ଦୁ ନୂତନ ବର୍ଷ ସହିତ ଆର୍ଥିକ ବର୍ଷର ଆରମ୍ଭ ମଧ୍ୟ ସାଂସ୍କୃତିକ ଏକତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉଦ୍ଦେଶ୍ୟ ହୋଇଥାଇପାରେ ।

ଭାରତର ଅନେକ ପରମ୍ପରାରେ ବ୍ରିଟିଶମାନେ ତାଙ୍କର ଛାପ ଛାଡି ଯାଇଛନ୍ତି। ଯେପରିକି ଆର୍ଥିକ ବଜେଟ୍ ସେଥିମଧ୍ୟରୁ ଗୋଟେ । ଏପ୍ରିଲରୁ ଆର୍ଥିକ ବର୍ଷର ଆରମ୍ଭ ଉପରେ ବ୍ରିଟିଶମାନଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିଛି। ବାସ୍ତବରେ, ୭ ଏପ୍ରିଲ ୧୮୬୦ ରେ ଭାରତରେ ବ୍ରିଟିଶ ଶାସନ ସମୟରେ ପ୍ରଥମ ବଜେଟ୍ ଉପସ୍ଥାପିତ ହୋଇଥିଲା। ତା’ପରେ ଏହା ମେ ରୁ ଏପ୍ରିଲ୍ ପର୍ଯ୍ୟନ୍ତ ଥିଲା । ଏହା ପରେ ସମାନ ବ୍ୟବସ୍ଥା ସାତ ବର୍ଷ ପର୍ଯ୍ୟନ୍ତ ଚାଲିଲା। ୧୮୬୫ ମସିହାରେ ବ୍ରିଟିଶ ସରକାର ଭାରତୀୟ ଆକାଉଣ୍ଟ ଯାଞ୍ଚ ପାଇଁ ଏକ କମିଶନ ଗଠନ କରିଥିଲେ। ତେବେ ପ୍ରଥମ ଥର ପାଇଁ ସେହି କମିଶନ ଜାନୁଆରୀ ୧ ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଆର୍ଥିକ ବର୍ଷ ରଖିବାକୁ ସୁପାରିଶ କରିଥିଲେ।

ତେବେ ବ୍ରିଟିଶ ସରକାର ଏଥିପାଇଁ ପ୍ରସ୍ତୁତ ନଥିଲେ, କାରଣ ଉପନିବେଶିକ ସରକାର ଭାରତର ଆର୍ଥିକ ବର୍ଷକୁ ବ୍ରିଟେନ ଭଳି ସମାନ ଧାଡିରେ ରଖିବାକୁ ଚାହୁଁଥିଲେ। ତେଣୁ ଆୟୋଗର ସୁପାରିଶକୁ ଅଣଦେଖା କରି ବ୍ରିଟିଶମାନେ ଭାରତର ଆର୍ଥିକ ବର୍ଷକୁ ୧୮୬୭ ମସିହାରେ ବଦଳାଇ ଦେଇଥିଲେ । ଏହାକୁ ଏପ୍ରିଲ ୧ ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କରିଥିଲେ ।