କାହିଁକି ବଢ଼ାଯିବ ଟାରିଫ: ବିଭିନ୍ନ ପ୍ରସଙ୍ଗରେ ଉପଭୋକ୍ତା ମହାସଂଘ ତରଫରୁ ବିରୋଧ
1 min read
ଭୁବନେଶ୍ବର: ଆରମ୍ଭ ହୋଇଛି ବିଜୁଳି ଟାରିଫ ସମ୍ପର୍କିତ ଶୁଣାଣି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ କାର୍ଯ୍ୟାଳୟରେ ଚାଲିଛି ଶୁଣାଣି । ପ୍ରଥମ ଦିନରେ ୨୦୨୫-୨୬ ବର୍ଷ ପାଇଁ ଓଏଚପିସି ଓ ଓପିଜିସିର ଶୁଣାଣି ହୋଇଛି । ବିଦ୍ୟୁତ କମ୍ପାନୀ ଗୁଡିକ ନିଜର ପକ୍ଷ, ଅଭିଯୋଗ ଦାଖଲ କରିଛନ୍ତି। ସବୁଠୁ ଲୋକଷ୍ଟ ପାୱାର ଯୋଗାଉଥିବା ଓଡିଶା ଜଳ ବିଦ୍ୟୁତ ନିଗମର ୨୦୨୫-୨୬ ପାଇଁ ୬୭୧ କୋଟି ଟଙ୍କା ଆବଶ୍ୟକ ଥିବା ଦାବି କରିଛି । ୨୦୨୪-୨୫ ରେ କମିଶନ ୟୁନିଟ ପିଛା ୯୩.୬୭ ପଇସା ଅନୁମୋଦନ କରିଥିଲେ। ଏବେ ୧ ଟଙ୍କା ୨୧ ପଇସା ପାଇଁ ଦାବି ହୋଇଛି । ଆୟୋଗଙ୍କ ନିକଟରେ ଏଭଳି ଦାବି ପରେ ଏହାକୁ ନେଇ ବର୍ଷିଛି ଉପଭୋକ୍ତା ମହାସଂଘ। ସେହି ଟଙ୍କା ଉପଭୋକ୍ତାଙ୍କ ଠାରୁ ନେବାକୁ ନିଗମ ଚାହୁଁଛି ବୋଲି ଅଭିଯୋଗ ହୋଇଛି । ବୁର୍ଲା ଚିପିଲିମାରେ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହିଛି ଓଏଚପିସି। ଶିଳ୍ପ ସଂସ୍ଥାକୁ ପାଣି ଦେବା ପାଇଁ ଏଭଳି କରାଯାଉଥିବା ଅଭିଯୋଗ କରିଛି ମହାସଂଘ। ଏହାର ତର୍ଜମା ହେବା ଦରକାର। ବୁର୍ଲାରେ ଯଦି ଏତେ ଉତ୍ପାଦନ ନାହିଁ ତାହେଲେ ୨୦୦ କୋଟି କାହିଁକି ଖର୍ଚ୍ଚ ହେବ ବୋଲି ପ୍ରଶ୍ନ କରିଛି । ଏସବୁ ଉପରେ ସରକାର ହସ୍ତକ୍ଷେପ କରିବକୁ ଦାବି ହୋଇଛି। ଓଏଚପିସି ଆଜି ବି ଆୟୋଗଙ୍କ ନିକଟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇ ପାରିନାହିଁ । ତଥ୍ୟ ଦେବା ପାଇଁ ଆୟୋଗଙ୍କ ଠାରୁ ଓପିଜିସି ସାତ ଦିନର ସମୟ ନେଇଛନ୍ତି । ବିଭିନ୍ନ ମାଧ୍ୟମରେ ଅଧିକ ଖର୍ଚ୍ଚ ଦେଖାଇ ଲୋକଙ୍କ ଠାରୁ ଲୁଟ କରିବାକୁ ଉଦ୍ୟମ ହୋଇଛି । ସରକାର ଓ ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ଉପରେ ହସ୍ତକ୍ଷେପ କରିବାକୁ ଦାବି ଉଠିଛି ।
ସେପଟେ ଆଇନସମ୍ମତ ଢଙ୍ଗରେ ଦାବି ଉପସ୍ଥାପନ କରାଯାଇଥିବା ସୂଚନା ଦେଇଛନ୍ତି ଓଡିଶା ଜଳ ବିଦ୍ୟୁତ ନିଗମ ଅଧିକାରୀ। ନିଗମ ତରଫରୁ ଆୟୋଗଙ୍କ ନିକଟରେ ଆବେଦନ ଦାଖଲ ହୋଇଛି। ବିଜୁଳି ମୂଲ୍ୟ କେତେ ହେବ ଆୟୋଗ ନିଷ୍ପତ୍ତି ନେବେ। ନିଗମର ନୂଆ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଉଛି। ୨୭ ଯାଏ ଚାଲିବ ଏହି ଶୁଣାଣି ପ୍ରକ୍ରିୟା । ବିଭିନ୍ନ ଦାବି ଓ ତଥ୍ୟ ଆଧାରରେ ନିୟମ ଅନୁଯାୟୀ ନିଆଯିବ ନିଷ୍ପତ୍ତି ବୋଲି ଓଇଆରସି କହିଛନ୍ତି । ଆସନ୍ତାକାଲି ଓପିଟିସିଏଲ,ଏସଏଲଡିସି, ୧୯ ତାରିଖରେ ଗ୍ରୀଡ଼କୋ, ୨୦ ତାରିଖରେ ଟିପିଏସଓଡିଏଲ, ୨୪ ରେ ଟିପିଏନଓଡିଏଲ, ୨୫ ରେ ଟିପିସିଓଡିଏଲ, ୨୭ ରେ ଟିପିଡବ୍ଲୁଓଡିଏଲ ଓ ମାର୍ଚ୍ଚ ୧ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକ। ଏହା ପରେ ମାର୍ଚ୍ଚ ୨୩ ସୁଦ୍ଧା ଫାଇନାଲ ଟାରିଫ ଅର୍ଡର ବାହାରିବ। ଏହି ଅର୍ଡର ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବୋଲି କୁହାଯାଇଛି।