କଂଗ୍ରେସର ନୈରାଶଜନକ ପ୍ରଦର୍ଶନର କାରଣ ଖୋଜିବ ଦଳ

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସର ନୈରାଶଜନକ ପ୍ରଦର୍ଶନର କାରଣ ଖୋଜିବ ଦଳ। ନିର୍ବାଚନରେ ପରାସ୍ତ ହେବା ପରେ ଧୀରେ ଧୀରେ ଦଳ ଭିତରେ ଅସନ୍ତୋଷ ବଢୁଛି । ସେଥିପାଇଁ ଖୁବଶୀଘ୍ର ଏଆଇସିସିର ଫ୍ଯାକ୍ଟ ଫାଇଣ୍ଡିଂ ଟିମ ଓଡ଼ିଶା ଆସୁଛି। ଟିମ ଆଗରେ ବରିଷ୍ଠ ନେତାମାନେ ଦଳର ପରାଜୟ ନେଇ ମତ ରଖିବା ସହ ସଂଗଠନ ମଜଭୁତ କରିବା ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।

ଅନ୍ୟପଟେ କିଏ ଓ କାହିଁକି ପିସିସି ସଭାପତିଙ୍କ ଉପରେ କାଳିମାଡ଼ କଲେ ତାହାକୁ ନେଇ କଂଗ୍ରେସ ମହଲରେ ହଲଚଲ ସୃଷ୍ଟି ହୋଇଛି। ଆଉ ଏହାରି ଭିତରେ ପ୍ରତି ନିର୍ବାଚନରେ ଭୋଟହାର କମିବା ଦଳର ମଙ୍ଗୁଆଳମାନଙ୍କୁ ଚିନ୍ତାରେ ପକାଇଛି । ସେପଟ ସୁର କିନ୍ତୁ ନିଜ ବହିଷ୍କାର ଆଦେଶକୁ ଉଠାଇବା ପାଇଁ ଦିଲ୍ଲୀ ଯିବାକୁ ସଜବାଜ ଆରମ୍ଭ କରିଛନ୍ତି ।

କାହିଁକି ହାରିଲା କଂଗ୍ରେସ ? ପରାଜୟର ପୋଷ୍ଟ ମର୍ଟମ କରିବ ଏଆଇସିସି । ବଢୁଛି ଅସନ୍ତୋଷ, ପିସିସି ସଭାପତିଙ୍କୁ କାଳିମାଡ଼କୁ ନିନ୍ଦା । ଜୟଦେବ କହିଲେ, ଏକଜୁଟ ହେବାର ସମୟ । କଂଗ୍ରେସ ପରାଜୟ ପାଇଁ ଦାୟୀ କିଏ ? କେଉଁ କାରଣରୁ ପ୍ରତ୍ୟେକ ସାଧାରଣ ନିର୍ବାଚନରେ ଦଳର ଭୋଟ ହାର କମି କମି ଯାଉଛି ? ୨୦୨୪ରେ କଂଗ୍ରେସର ପରାଜୟ ପରେ ଧୀରେ ଧୀରେ ଦଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

କେତେବେଳ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ହେଉଛି ତ ଆଉ କେତେବେଳେ ନେତୃତ୍ବ ପରିବର୍ତ୍ତନ ପାଇଁ ଦିଲ୍ଲୀରେ ନେତା ଡେରା ପକାଉଛନ୍ତି । ଜଣକ ପରେ ଜଣେ ନେତା ପରାଜୟ କାରଣ ନେଇ ବାହାରେ ମୁହଁ ଖୋଲୁଛନ୍ତି । ତେବେ ଓଡ଼ିଶା ପରାଜୟର କାରଣ ଖୋଜିବାକୁ ଏଆଇସିସି ପକ୍ଷରୁ ଫ୍ଯାକ୍ଟ ଫାଇଣ୍ଡିଂ ଟିମ ଗଠନ ହୋଇଛି ।

କମିଟିର ଦୁଇଜଣ ସଦସ୍ୟ ଓଡ଼ିଶା ଆସିଲେ ସେମାନେ କାହିଁକି ଦଳର ଭୋଟହାର କମିଲା ସେ ନେଇ ତର୍ଜମା କରିବେ । ନେତାମାନେ ଦଳର ପରାଜୟ ନେଇ ମତ ରଖିବେ । ଅନ୍ଯପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ କାଳିମାଡ଼ ଘୃଣ୍ୟ ପରମ୍ପରା ବୋଲି କହି ପୂରା ଘଟଣାର ନିନ୍ଦା କରିଛନ୍ତି ।

ସେପଟେ ୨୦୦୪ରୁ ଲଗାତର କଂଗ୍ରେସର ଭୋଟହାର ୨୦ ବର୍ଷ ଧରି ହ୍ରାସ ପାଇବାରେ ଲାଗିଛି  । ୨୦୦୪ରେ କଂଗ୍ରେସର ଭୋଟହାର ୩୩ ପ୍ରତିଶତ ଥିବା ବେଳେ ୨୦୦୯ ଏହା କମି ୨୯ ପ୍ରତିଶତ ହୋଇଥିଲା  । ଏହାପରେ ୨୦୧୪ କଂଗ୍ରେସ ଭୋଟହାର ୨୬ ପ୍ରତିଶତ ଥିବା ବେଳେ ୨୦୧୯ରେ ଭୋଟ ପ୍ରତିଶତ ହ୍ରାସ ପାଇଁ ୧୬ ପ୍ରତିଶତରେ ପହଞ୍ଚିଥିଲା ।

ହେଲେ ୨୦୨୪ରେ କଂଗ୍ରେସର ବିଧାୟକ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିବା ବେଳେ ଭୋଟହାର କିନ୍ତୁ ହ୍ରାସ ପାଇଁ ୧୩:୨୬ରେ ପହଞ୍ଚିଥିଲା । ଯାହାକି ଚିନ୍ତାର କାରଣ । ଅନ୍ୟପଟେ ରାଜନୈତିକ ସମୀକ୍ଷକମାନେ କଂଗ୍ରେସର କନ୍ଦଳ ଓ ଭୋଟହାର କମିବା  ନେଇ ଭିନ୍ନ ଆକଳନ କରିଛନ୍ତି । ଏଆଇସିସି ଓଡ଼ିଶାକୁ ସେତେଟା ଫୋକସ କରୁନଥିବାରୁ କଂଗ୍ରେସର ଏପରି ସ୍ଥିତି ବୋଲି ସମୀକ୍ଷକ ମତ ଦେଇଛନ୍ତି ।

ସେପଟେ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ସୁରେଶ ରାଉତରାୟ ଦଳକୁ ଫେରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଖୁବଶୀଘ୍ର ଦିଲ୍ଲୀ ଯାଇ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧିଙ୍କୁ ଭେଟି ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା କହିବେ ବୋଲି କହିଛନ୍ତି । କଂଗ୍ରେସର ଗୋଷ୍ଠୀ କନ୍ଦଳ ଓ ନେତୃତ୍ବ ପରିବର୍ତ୍ତନ ଭିତରେ ଦଳର ଭୋଟହାର ରସାତଳକୁ ଯାଇଛି। ଯାହା ଦଳୀୟ ମଙ୍ଗୁଆଳଙ୍କ ଚିନ୍ତା ବଢାଇଛି।