କେଉଁ ସର୍ତ୍ତରେ ବିଜେପିରେ ଯୋଗଦେବେ ଚମ୍ପାଇ ସୋରେନ
ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଜେଏମଏମ ଛାଡ଼ି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ସେ ବିଜେପିରେ ଯୋଗଦେବେ ବୋଲି ମଙ୍ଗଳବାର କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦିଲ୍ଲୀରେ ଡେରା ପକାଇଥିଲେ ସୁଦ୍ଧା କୌଣସି ଗ୍ରୀନ ସିଗନାଲ ଦେଇନଥିଲା ବିଜେପି । ଯେଉଁ କାରଣରୁ ପରବର୍ତ୍ତୀ ସମୟରେ ସେ ନିଜେ ଏକ ନୂଆ ଦଳ ଗଠନ କରିବା ନେଇ ଘୋଷଣା କରିଥିଲେ । ମାତ୍ର ପୁଣିଥରେ ମତ ପରିବର୍ତ୍ତନ କରି ବିଜେପିରେ ଯୋଗ ଦେବେ ବୋଲି ସ୍ପଷ୍ଠ କରିଛନ୍ତି । ଯେଉଁ କାରଣରୁ ଏବେ ରାଜେନୖତିକ ମହଲରେ ଚର୍ଚ୍ଚା ହେଉଛି କି, କେଉଁ ସର୍ତ୍ତରେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ଚମ୍ପାଇ ।
କୁହାଯାଉଛି କି, ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୋଇ ପାରନ୍ତି ଚମ୍ପାଇ । କିନ୍ତୁ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିବା ଜଣା ପଡ଼ିଛି । ସେ ଦଳର ହାଇକମାଣ୍ଡଙ୍କ ସହ ଏସମ୍ପର୍କରେ ଆଲୋଚନା ମଧ୍ୟ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସର୍ତ୍ତ ସମ୍ପର୍କରେ ଯଦି କହିବା ତାହେଲେ ଚମ୍ପାଇ ରାଜ୍ୟପାଳ ହେବାକୁ ମନ ବଳାଇଥିବା ଚର୍ଚ୍ଚା ହେଉଛି । ଯେଉଁ କାରଣରୁ ସେ ବିଜେପିରେ ଯୋଗ ଦେଇଛନ୍ତି । ଆଉ ଅନ୍ୟ ଏକ ସର୍ତ୍ତ ହେଉଛି କି, ତାଙ୍କ ପୁଅକୁ ବିଜେପି ଟିକେଟ ଦେବ । ଏଭଳି ସର୍ତ୍ତ ରଖି ସେ ବିଜେପିରେ ଯୋଗ ଦେଇଥିବା ଝାଡ଼ଖଣ୍ଡରେ ଚର୍ଚ୍ଚା ହୋଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିବା ପରେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ଚମ୍ପାଇ ସୋରେନ । ମାତ୍ର ଉଭୟ କୌଣସି ଆଭିମୁଖ୍ୟ ସମ୍ପର୍କରେ ଗଣମାଧ୍ୟମରେ ଜଣାଇ ନାହାନ୍ତି ।
ଯଦି ଆମେ ଚମ୍ପାଇ ସୋରେନଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ କହିବା ତାହେଲେ ସେ ୧୯୯୧ ମସିହାରେ ଉପନିର୍ବାଚନରେ ସଢ଼େଇକେଲାରୁ ବିଜୟୀ ହୋଇଥିଲେ । ପରେ ୨୦୦୯ ମସିହାରେ ପ୍ରଥମଥର ପାଇଁ ହେମନ୍ତ ସୋରେନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ୭ ଥର ବିଧାୟକ ହୋଇଥିବା ଚମ୍ପାଇ ସୋରେନ ୨୦୧୯ ସାଧାରଣ ନିର୍ବାଚନରେ ଜାମସେଦପୁର ଲୋକସଭା ଆସନରେ ପ୍ରତିଦ୍ବନ୍ଦିତା କରି ପରାଜୟ ବରଣ କରିଥିଲେ । ମାତ୍ର ୨୦୨୪ ମସିହାରେ ହେମନ୍ତ ସୋରେନ ଯେତେବେଳେ ଜେଲ ଯାଇଥିଲେ ସେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ମାତ୍ର ହେମନ୍ତ ସୋରେନ ଜେଲରୁ ଫେରିବା ପରେ ପଦ ଛାଡ଼ିଥିଲେ ଚମ୍ପାଇ । ଏହାପରେ ତାଙ୍କ ପ୍ରତି ଧୋକା ହୋଇଥିବା ନେଇ ପ୍ରତିବାଦ ଆରମ୍ଭ କରିଥିଲେ ଚମ୍ପାଇ । ଶେଷରେ ବିଜେପିରେ ଯୋଗ ଦେବାକୁ ଯାଇ ନିଜର ଏକ ନୂଆ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ଚମ୍ପାଇ ।