ନନ୍ଦିଘୋଷ ବ୍ୟୁରୋ :ନୂଆଁଖାଇ ପାଇଁ ପ୍ରସ୍ତୁତି। ତିଆରି ହେଉଛି ଭଳିକି ଭଳି ଶାଢ଼ୀ l ସମ୍ବଲପୁରୀ ଓ ବାନ୍ଧପାଟ ଶାଢ଼ୀ ପ୍ରସ୍ତୁତିରେ ଲାଗିପଡିଛନ୍ତି ବୁଣାକାର l ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ସମ୍ବଲପୁରୀ ପୋଷାକର ବେଶ ଚାହିଦା ରହିଛି l ସୁକ୍ଷ୍ମ ସୂତାରେ ସୁନ୍ଦର ସୁନ୍ଦର ବାନ୍ଧ ଶାଢ଼ୀ ବୁଣି ନିଜର ହସ୍ତକଳାର ପରିଚୟ ଦେଉଛନ୍ତି ବୁଣାକାର। ଏନେଇ ବୁଣାକାରଙ୍କ ପାଖକୁ ବହୁ ଅର୍ଡର ଆସୁଛି। ଭଳିକି ଭଳି ଡିଜାଇନର କପଡା ପ୍ରସ୍ତୁତି କରି ଗ୍ରାହକଙ୍କୁ ଭେଟି ଦେବାକୁ ପରିବାର ସହ ଦିନରାତି ଏକ କରି ବୁଣା କାର୍ଯ୍ୟରେ ଲାଗିପଡିଛନ୍ତି ବୁଣାକାର l ଏହି ଗଣପର୍ବ ରେ ଭଲ ବ୍ୟବସାୟ ନେଇ ଆଶା ରଖିଛନ୍ତି।
ବଜାରରେ ମଧ୍ୟ ସମ୍ବଲପୁରୀ ଶାଢ଼ୀ ଓ କପଡାର ବେଶ ଚାହିଦା ରହିଛି l ୫ଶହରୁ ୧୫ ହଜାର ଯାଏ ଶାଢ଼ୀ ଦାମ ରହିଛି l ବିଭିନ୍ନ ବାନ୍ଧ ଡିଜାଇନ, ମିନିବୁଟି, ପେରିଫେରୀ, ହାପଟିସୁ, ଫୁଲଟିସୁ ପରି ବିଭିନ୍ନ କପଡା ପ୍ରସ୍ତୁତରେ ବ୍ୟସ୍ତ ବୁଣାକାର l ଅନ୍ୟପଟେ ନୂଆଁଖାଇରେ ଲୋକଙ୍କ ଚାହିଦା ମୁତାବକ କପଡା ରଖିଛନ୍ତି ଦୋକାନୀ l ଏହି ପର୍ବ ରେ ଭଲ ବିକ୍ରିବଟା ହେବା ସହ ଭଲ ରୋଜଗାର ହୁଏ ବୋଲି କହନ୍ତି ଶାଢ଼ୀ ଦୋକାନୀ l

