ଓଡ଼ିଶାକୁ ଜିଏସ୍‌ଟି କ୍ଷତିପୂରଣ ଦେବାରେ ଟାଳଟୁଳ ନୀତି କାହିଁକି ?

1 min read

ଭୁବନେଶ୍ବର: ସଂଘୀୟ ବ୍ୟବସ୍ଥାରେ ହେଉଛି କି ସାଂଘାତିକ ଷଡ଼ଯନ୍ତ୍ର ? କେନ୍ଦ୍ର ଭୁଲିଯାଉଛି କି ସାମ୍ବିଧାନିକ ସତ୍ୟ ? ଓଡ଼ିଶାକୁ ଉପେକ୍ଷା । ଜିଏସ୍‌ଟି ଆଦାୟରେ ରେକର୍ଡ କରୁଛି ଓଡ଼ିଶା, ମାଲାମାଲ୍‌ ହେଉଛି କେନ୍ଦ୍ର । ହେଲେ ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ ଦେବାରେ ଟାଳଟୁଳ ନୀତି କାହିଁକି ? ୨୦୨୦-୨୧ ଆର୍ଥିକ ବର୍ଷର ଜିଏସ୍‌ଟି କ୍ଷତିପୂରଣ ବାବଦରେ କେନ୍ଦ୍ର ବାକି ରଖିଛି ୧୬୨୩ କୋଟି । ଏହି କ୍ଷତିପୂରଣ ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ରାଜ୍ୟ ଅର୍ଥ ବିଭାଗ କେନ୍ଦ୍ର ଅର୍ଥମନ୍ତ୍ରାଳୟକୁ ଚିଠି ଲେଖିଛି । କେନ୍ଦ୍ର ସରକାରଙ୍କ ଏପରି ଅବହେଳାକୁ ନେଇ ସମାଲୋଚନା କରିଛି ବିଜେଡି ।

ସବୁକ୍ଷେତ୍ରରେ ଓଡ଼ିଶାକୁ ଅବହେଳା । ଜିଏସଟି କ୍ଷତିପୂରଣ ବାକି ନେଇ କେନ୍ଦ୍ରର ମନୋମୁଖୀ କାରବାରକୁ ନିନ୍ଦା କରିଛି କଂଗ୍ରେସ । ଜିଏସ୍‌ଟି ପ୍ରଚଳନ ପରେ ରାଜ୍ୟର ନିଜସ୍ବ ଆୟ ସଙ୍କୁଚିତ ହୋଇଛି । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ କେନ୍ଦ୍ରର ପାଣ୍ଠି ଉପରେ ରାଜ୍ୟକୁ ନିର୍ଭର କରିବାକୁ ପଡ଼ୁଛି । ୨୦୧୭ରୁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ୧୪ ପ୍ରତିଶତ ହିସାବରେ କେନ୍ଦ୍ର ନିୟମିତ ବ୍ୟବଧାନରେ ଅର୍ଥ ପ୍ରଦାନ କରିବା କଥା । ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଓଡ଼ିଶାର ଏହି ଟଙ୍କା ବାକି ରଖିବାର କାରଣ ବୁଝାପଡ଼ୁନାହିଁ । ଓଲଟା ରାଜ୍ୟକୁ ଋଣ କରିବାକୁ ବାଧ୍ୟ କରୁଛି । ଏହା ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଆଇନର ପରିପନ୍ଥୀ ବୋଲି କହିଛନ୍ତି ସମୀକ୍ଷକ ।

ସେତିକି ନୁହେଁ ଗରିବଙ୍କୁ ରୋଜଗାର ଦେବା ପାଇଁ ମନରେଗା ଯୋଜନାରେ ବି କେନ୍ଦ୍ର ଅର୍ଥ କମାଇ ଚାଲିଛି । ତଥାପି ଆଗକୁ ରାଜ୍ୟ ବଜେଟରେ ଗରିବଙ୍କ ପାଇଁ ନିଜସ୍ବ ପାଣ୍ଠିରୁ ବିକାଶମୂଳକ ରାଜ୍ୟ ସରକାର ବାଧ୍ୟ ହେବେ । ଯଦି କେନ୍ଦ୍ର ବକେୟା ନଦେଲା ତାହେଲେ ଆଗାମୀ ଜିଏସ୍‌ଟି ପରିଷଦ ବୈଠକରେ ସ୍ବର ଉଠାଇବାକୁ ବାଧ୍ୟ ହେବ ଓଡିଶା ।

Leave a Reply