ଏଲନ୍ ଆପଣଙ୍କ ମୁଣ୍ଡରେ ସିଲିକନ୍ ଚିପ୍ ଫିଟ୍ କରିବାକୁ ଚାହାନ୍ତି

 ନନ୍ଦିଘୋଷ ବ୍ୟୁରୋ: ଏଲୋନ ମସ୍କ । ଟ୍ୱିଟରର ନୂଆ ମାଲିକ । ବିବାଦୟୀ ବ୍ୟକ୍ତିତ୍ୱ । ଭବିଷ୍ୟତ ବକ୍ତା । ବର୍ତ୍ତମାନ ଉପରେ ଛିଡା ହୋଇ ଭବିଷ୍ୟତର ଏମିତି ସ୍ୱପ୍ନ ଦେଖନ୍ତି ଯାହା ଅନେକଙ୍କୁ ନିରୂତା ପାଗଳାମୀ ଲାଗିପାରେ । କିନ୍ତୁ ଏଲୋନଙ୍କୁ ଆପଣଙ୍କ ଭାବିବା କିଛି ଫରକ ପଡେନି । ଦୁନିଆର ଧନୀଙ୍କ ତାଲିକାରେ ରାଜୁତି କରୁଥିବା ଏଲୋନ ମଙ୍ଗଳ ଗ୍ରହରେ ମାନବ ବସତି ସ୍ଥାପନ କରିବା ଚାହାନ୍ତି । ମସ୍କଙ୍କ ମସ୍ତିଷ୍କରେ ଏମିତି ବହୁତ କିଛି ପ୍ଲାନ୍ ଓ ପ୍ଲାନିଂ ଅଛି ଯାହା ବର୍ତ୍ତମାନ ଅଜବ ଗଜବ ଲାଗିପାରେ କିନ୍ତୁ ଦିନେ ହୁଏତ ତାହା ସତ ହେବ । ଏମିତିରେ ଉଡିବା ବି ଦିନେ ମଣିଷର କଳ୍ପନାର ଉଡ଼ାଣ ଥିଲା । ତେଣୁ ଏଲନଙ୍କ କଳ୍ପନାର ଉଡ଼ାଣ ଦିନେ ବାସ୍ତବରେ ମଙ୍ଗଳରେ ମାନବ ବସ୍ତିର ରୂପ ନନେବ ତା’ କିଏ କହିବ ।


ଟ୍ୱିଟର ନୂଆ ମାଲିକ ଚଢେଇକୁ ଫ୍ରି ସ୍ପିଚର ମୁକ୍ତ ବିହଙ୍ଗ କରିବେ କି ତା’ ପାଇଁ ସୁନାର ପଂଜୁରୀ ବନାଇବେ ତା’ କେଇ ଦିନ କେଇ ମାସ ମଧ୍ୟରେ ଜଣା ପଡିଯିବ । କିନ୍ତୁ ଏଇଠି ଏଲନ ପୃଥିବୀ ନାମକ ଗ୍ରହରେ ମାନବ ନାମକ ପ୍ରଜାତିକୁ ନେଇ କେଉଁଭଳି ସ୍ୱପ୍ନ ଦେଖନ୍ତି ତା’ ବି ଜାଣିବା ଜରୁରୀ ।
ଫାଇନାନ୍ସିଆଲ ଟାଇମ୍ସ ଓ ଟାଇମ୍ ମ୍ୟାଗାଜିନର ପର୍ସନ୍ ଅଫ ଦି ଇୟର ଏଲନଙ୍କୁ ନେଇ ଅନେକ ବିବାଦ ରହିଛି । ଗୋଟିଏ ପଟେ ସେ ସ୍ୱାଧିନ ଅଭିବ୍ୟକ୍ତିର ଅଧିକାର ସପକ୍ଷରେ ଓକିଲାତି କରନ୍ତି ଅନ୍ୟପକ୍ଷରେ ତାଙ୍କର ଜଣେ କର୍ମଚାରୀ ଯେତେବେଳେ ଟେସଲା କାରରେ ଥିବା କମି ବାବାଦରେ ବ୍ଲଗ୍ କରନ୍ତି ସେତେବେଳେ ସେ ସେହି କର୍ମଚାରୀଙ୍କୁ କମ୍ପାନୀରୁ ବିଦା କରି ଦିଅନ୍ତି ।

ଏଲନ୍ ଖାଲି ଆପଣଙ୍କୁ ମହାକାଶକୁ ଟୁରିଷ୍ଟ୍ ଭାବେ ପଠାଇବାକୁ ଚାହାନ୍ତି ନାହିଁ । ସେ ମଧ୍ୟ ଆପଣଙ୍କୁ ମଙ୍ଗଳ ଗ୍ରହରେ ପରମାନେଣ୍ଟଲି ବସାଇବାକୁ ଚାହାନ୍ତି । ଆଉ… ରୁହନ୍ତୁ.. କେବଳ ଏତିକି ନୁହେଁ । ଏଲନ ଚାହାନ୍ତି ସବୁ ମଣିଷଙ୍କ ମସ୍ତିଷ୍କ ଭିତରେ ସିଲିକନ୍ ଚିପ୍ ଫିଟ୍ କରିବା । ଏଥିପାଇଁ ସେ ୧୦୦ ମିଲିୟନ ଡଲାର ପୁଂଜି ନିବେଶ କରି ସାରିଛନ୍ତି ମଧ୍ୟ । ମଣିଷ ମସ୍ତିଷ୍କରେ ଚିପ୍ ଫିଟ୍ କରି ସେ ମାନବକୁ ସୁପର ହ୍ୟାମନ ବନାଇବା ଲକ୍ଷ୍ୟ ରଖନ୍ତି । କିନ୍ତୁ ସମାଲୋଚକଙ୍କ କହିବା ହେଉଛି ଏଭଳି ଚିପ୍ ଫିଟ୍ କରି ଭବିଷ୍ୟତରେ କେହି ନିରଙ୍କୁଶ ଶାସକ ନିଜ ଦେଶର ନାଗରିକଙ୍କୁ ନିୟନ୍ତ୍ରିତ କରିବା କିଛି ଅସମ୍ଭବ ନୁହେଁ ।

କଳ୍ପନା କରନ୍ତୁ ସବୁ ନାଗରିକଙ୍କୁ କରୋନା ଟିକା ଦେବାଭଳି ଯଦି କୌଣସି ଦେଶର ଶାସକ ଯଦି ଜନ୍ମରୁ ସବୁ ଶିଶୁଙ୍କ ମୁଣ୍ଡରେ ଚିପ୍ ଫିଟ୍ କରାଇ ଦେବେ ଓ ସେଥିରେ କେବଳ ଶାସକ ଓ ସରକାରଙ୍କ ଆଦେଶକୁ ଆଖି ବୁଜି ମାନିବା କମାଣ୍ଡ୍ ସେଟ୍ କରାଯାଇଥିବ ତେବେ କ’ଣ ହେବ ? ଦେଶରେ ମେଣ୍ଢା ଚାଲି ଆରମ୍ଭ ହେବ । ମେଣ୍ଢାଙ୍କ ଭଳି ଶାସକ ଗୋଷ୍ଟିର ଖରାପ ଓ ଭୁଲ ଆଦେଶକୁ ମଧ୍ୟ ନାଗରିକ ମାନିବେ ।

ଏବେ ଚାଲନ୍ତୁ ଜାଣିବା ମାର୍ସ ବା ମଙ୍ଗଳ ଗ୍ରହକୁ ନେଇ ଏଲନଙ୍କ ପ୍ଲାନ୍ କ’ଣ ? ଏଲନ୍ ମଙ୍ଗଳ ଗ୍ରହରେ କେବଳ ମାନବ ବସତି ସ୍ଥାପନ କରିବାକୁ ଚାହାନ୍ତି ନାହିଁ । ସେଠାରେ ସେ ନିଜର ସରକାର ମଧ୍ୟ ପ୍ରତିଷ୍ଠା କରିବାକୁ ଚାହାନ୍ତି । ତେବେ ସେ କୁହନ୍ତି ଯେ, ମଙ୍ଗଳ ଗ୍ରହର ଗଣତନ୍ତ୍ର ପୃଥିବୀରେ ପ୍ରଚଳିତ ଗଣତନ୍ତ୍ର ଭଳି ହେବ ନାହିଁ । ମଙ୍ଗଳରେ ସେ ପ୍ରତ୍ୟକ୍ଷ ବା ଡାଇରେକ୍ଟ ଡେମୋକ୍ରସି ପ୍ରତିଷ୍ଠାର ଲକ୍ଷ୍ୟ ରଖନ୍ତି । ଅର୍ଥାତ ଏମିତି ସରକାର ଯେଉଁଥିରେ କୌଣସି ବିଲ୍ ପାସ୍ ହେବ କି ନାହିଁ ତା’ ଉପରେ ସବୁ ନାଗରିକ ଭୋଟ୍ ଦେବେ ।

ଏଲନଙ୍କ ବିବାଦୀୟ ଚିନ୍ତାଧାରା କାରଣରୁ ଟ୍ୱିଟରର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଉଛି । ଏଲନ୍ ଟ୍ୱିଟରର କିଣି ସ୍ୱାଧିନ ଅଭିବ୍ୟକ୍ତିକୁ ସ୍ପେସ୍ ଦେବାକୁ ଚାହୁଁଛନ୍ତି ନା ସେ ଦୁନିଆର ବାସ୍ତବତାରୁ ଢେର ଦୂରରେ ଅଛନ୍ତି ? ଟ୍ୱିଟରର ନୂଆ ମାଲିକ ସୋସିଆଲ ମିଡିଆକୁ ପ୍ରକୃତ ଅର୍ଥରେ ସ୍ୱାଧିନତା ଦେବେ କି ? ଉଭୟ ବାମପନ୍ଥୀ ଓ ଦକ୍ଷୀଣପନ୍ଥୀ ଚିନ୍ତାଧାରାକୁ ନିଜ କଥା ରଖିବା ପାଇଁ ଟ୍ୱିଟରରେ ସ୍ଥାନ ମିଳିବ କି ?

ଏଲନ ହେଉଛନ୍ତି ଜଣେ ଜଟିଳ ବ୍ୟକ୍ତିତ୍ୱର ଅଧିକାରୀ । ତୁମେ ତାଙ୍କୁ ଭଲ ପାଅ କି ଘୃଣା କର । କିନ୍ତୁ ସତ ହେଉଛି ସେ ହାତ ଗଣତି କେଇଜଣ ଲୋକଙ୍କ ମଧ୍ୟରୁ ଜଣେ ଯିଏ ଦୁନିଆକୁ ବଦଳାଇବାର କ୍ଷମତା ରଖନ୍ତି । ନିଜ ଲକ୍ଷ୍ୟ ହାସଲ ନକରିବା ପର୍ଯନ୍ତ ଲଢୁଥିବା ଜଣେ କମ୍ପଲେକ୍ସ କ୍ୟାରେକ୍ଟରର ନାମ ହେଉଛି ଏଲନ୍ ମସ୍କ ।