ଦିଲ୍ଲୀ ବିଧାନସଭା ନିର୍ବାଚନ: କିଏ ଦେଇଛି କି ପ୍ରତିଶ୍ରୁତି ?

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ବିଧାନସଭା ପାଇଁ ପଡ଼ିବ ଭୋଟ୍ । ଗତକାଲିଠାରୁ ପ୍ରଚାର ସରିଛି । ଚଳିତ ନିର୍ବାଚନ ସାରା ଦେଶରେ ଚର୍ଚ୍ଚାରେ ରହିଛି । ମଦ ନୀତି ମାମଲାରେ ଆପ୍ କାଠଗଡ଼ାରେ ଛିଡ଼ା ହୋଇଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଛି । ଦିଲ୍ଲୀ ସଂହାସନ ଦଖଲ କରିବାକୁ ତିନି ପ୍ରମୁଖ ରାଜନୖେତିକ ଦଳ ଆପ୍, ବିଜେପି ଓ କଂଗ୍ରେସ ଦିନରାତି ଏକ କରି ଦେଇଥିଲେ । ଏହାରି ଭିତିରେ ତିନି ଦଳ ଦିଲ୍ଲୀବାସୀଙ୍କୁ ପ୍ରତିଶ୍ରୁତିର ସୁନେଲି ସ୍ବପ୍ନ ଦେଖାଇଛନ୍ତି । ଆସନ୍ତୁ ଜାଣିବା ନିଜ ନିର୍ବାଚନ ଇସ୍ତାହାରରେ କେଉଁ ଦଳ କି ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀବାସୀଙ୍କୁ ।

ଆପର ନିର୍ବାଚନୀ ଇସ୍ତାହାର

ତୃତୀୟ ଥର କ୍ଷମତା ଦଖଲ କରିବାକୁ ଆପ ମୁଖ୍ୟ କେଜ୍ରିଓ୍ବାଲ ଏବଂ ଦଳୀୟ ନେତା ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି । ଆଉ ଏହାରି ଭିତରେ ଆପ ପକ୍ଷରୁ ଦିଲ୍ଲୀବାସୀଙ୍କ ପାଇଁ ନିଜ ନିର୍ବାଚନୀ ଇସ୍ତାହାରରେ ଏକାଧିକ ପ୍ରତିଶ୍ରୁତି ଦିଆଯାଇଛି । ଯେଉଁଥିରେ ମୁଖ୍ୟ ପ୍ରତିଶ୍ରୁତି ସଞ୍ଜୀବନୀ ଯୋଜନାରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଚିକିତ୍ସା । ସିକ୍ୟୁରିଟି ଗାର୍ଡ ଲାଗି ଆବାସିକ କଲ୍ଯାଣ ସଂଘକୁ ପାଣ୍ଠି ଯୋଗାଣ । ଅଟୋ ଡ୍ରାଇଭରଙ୍କ ଲାଗି ୫ଟି ଗ୍ଯାରେଣ୍ଟି । ଅଟୋ ଡ୍ରାଇଭରଙ୍କ ଝିଅର ବାହା ଘର ଲାଗି ୧ ଲକ୍ଷ ଟଙ୍କା । ଅଟୋ ଡ୍ରାଇଭରଙ୍କ ଲାଗି ୧୦ ଲକ୍ଷ ଟଙ୍କାର ଜୀବନ ବୀମା ପରି ଘୋଷଣା ରହିଛି । ସେହିପରି ଭଡ଼ାଟିଆଙ୍କୁ ମାଗଣା ପାଣି ଓ ବିଜୁଳି । ଧୋବୀ ସମାଜ କଲ୍ଯାଣ ବୋର୍ଡ ଗଠନ । ଦିଲ୍ଲୀବାସୀଙ୍କ ଲାଗି ରୋଜଗାରର ଗ୍ଯାରେଣ୍ଟି । ମହିଳାଙ୍କୁ ପ୍ରତିମାସରେ ୨୧ ଶହ ଟଙ୍କା ପେନସନ । ବରିଷ୍ଠ ନାଗରିକଙ୍କ ପାଇଁ ସଂଜୀବନୀ ଯୋଜନା । ମେଟ୍ରୋ ସେବାରେ ଛାତ୍ରଙ୍କ ଲାଗି ଯାତ୍ରାରେ ୫୦ ପ୍ରତିଶତ ରିହାତି । ମନ୍ଦିର ପୂଜକଙ୍କୁ ପ୍ରତିମାସ ୧୮ ହଜାର ଟଙ୍କା ପାଉଣା ପରି ପ୍ରତିଶ୍ରୁତି ରହିଛି ।

ବିଜେପିର ନିର୍ବାଚନୀ ଇସ୍ତାହାର

୨୫ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବାକୁ ବିଜେପି ପୂରା ଦମ ଲଗାଇ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ, ଏକାଧିକ କ୍ୟାବିନେଟ ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ନେତା ଦିନରାତି ଏକ କରି ପ୍ରଚାର କରିଛନ୍ତି । ଆଉ ପ୍ରତିଶ୍ରୁତି ଦେବାରେ ବିଜେପି ବି ପଛରେ ପଡ଼ିନି ।

ମହିଳା ସମୃଦ୍ଧି ଯୋଜନାରେ ମହିଳାଙ୍କୁ ମାସିକ ୨,୫୦୦ ଟଙ୍କା ଦେବାକୁ ବିଜେପି ଘୋଷଣା କରିଛି । ମୁଖ୍ଯମନ୍ତ୍ରୀ ମାତୃତ୍ବ ସୁରକ୍ଷା ଯୋଜନାରେ ଗର୍ଭବତୀଙ୍କୁ ୨୧ ହଜାର ଟଙ୍କା । ଆର୍ଥିକ ଦୁର୍ବଳଙ୍କୂ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର । ୬୦ରୁ ୭୦ ବର୍ଷ ବୟସ୍କଙ୍କ ପେନସନ ପରିମାଣ ୨ ହଜାରରୁ ୨୫୦୦କୁ ବୃଦ୍ଧି । ବିଧବା, ଦିବ୍ଯାଙ୍ଗ, ପତିତାଙ୍କ ସହାୟତା ପରିମାଣ ୨୫୦୦ରୁ ୩ ହଜାରକୁ ବୃଦ୍ଧି ଭଳି ଘୋଷଣା କରିଛି ବିଜେପି । କମ୍ପିଟିଟିଭ ଏକଜାମ ଲାଗି ଆଶାୟୀ ଛାତ୍ରଛାତ୍ରୀଙ୍କୁ ୧୫ ହଜାର ଟଙ୍କା ସହାୟତା । କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା । ଘରୋଇ ସ୍ତରରେ କାମ କରୁଥିବା ଶ୍ରମିକଙ୍କ ଲାଗି କଲ୍ଯାଣ ବୋର୍ଡ ଗଠନ ଓ ୧୦ ଲକ୍ଷ ଟଙ୍କାର ବୀମା । ଗିଗ୍ ୱାର୍କରଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଓ ୫ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା । ୫୦ ହଜାର ଚାକିରି, ୨୦ ଲକ୍ଷ ଆତ୍ମନିଯୁକ୍ତି ସୁଯୋଗ । ୧୭୦୦ ବେଆଇନ କଲୋନୀରେ ଘର କିଣାବିକା ଓ ନିର୍ମାଣରେ ପୂର୍ଣ୍ଣ ବ୍ଯକ୍ତିଗତ ଅଧିକାର ପରି ଘୋଷଣା କରିଛି ବିଜେପି ।

କଂଗ୍ରେସର ନିର୍ବାଚନୀ ଇସ୍ତାହାର

ଆପ ଓ ବିଜେପି ମଧ୍ୟରେ ଫେସ ଟୁ ଫେସ ଟକ୍କର ହେଉଥିବା ବେଳେ କଂଗ୍ରେସ ମୈଦାନରେ ଫୁଲ ଦମରେ ଓହ୍ଲାଇଛି । ଦୁଇ ବିରାଡିଙ୍କ କଳିରେ ମାଙ୍କଡର ଲାଭ ଭଳି ଦୀର୍ଘ ଦିନ ପରେ ପୁଣି ଥରେ ଦିଲ୍ଲୀ ଦଖଲ ଆଶା ରଖିଛି କଂଗ୍ରେସ । ଦଳ ପକ୍ଷରୁ ଦିଲ୍ଲୀବାସୀଙ୍କୁ ଲମ୍ବା ପ୍ରତିଶ୍ରୁତି ଦିଆଯାଇଛି । ମାଗଣା ୩୦୦ ୟୁନିଟ ବିଜୁଳି, ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର । ପ୍ରତି ପରିବାରକୁ ପ୍ରତି ମାସରେ ମାଗଣା ରାସନ କିଟ । ରାସନରେ ରହିବ ଚାଉଳ, ଚିନି, ରନ୍ଧନ ତେଲ, ଶସ୍ଯ ଓ ଚା । ପ୍ଯାରି ଦିଦି ଯୋଜନାରେ ମହିଳାଙ୍କୁ ମାସିକ ୨,୫୦୦ ଟଙ୍କା ଘୋଷଣା କରାଯାଇଛି । ଜୀବନ ରକ୍ଷା ଯୋଜନାରେ ୨୫ ଲକ୍ଷ ଲେଖାଏଁ ଟଙ୍କାର ବୀମା । ଶିକ୍ଷିତ କିନ୍ତୁ ବେକାରୀ ଯୁବକଙ୍କୁ ମାସିକ ୮,୫୦୦ ଟଙ୍କା ଷ୍ଟାଇପେଣ୍ଡ ଘୋଷଣା କରିଛି ଦଳ । ମହାନଗରରେ ୧୦୦ଟି ଇନ୍ଦିରା କ୍ଯାଣ୍ଟିନ ଖୋଲିବାକୁ ପ୍ରତିଶ୍ରୁତି ଦେଇଛି ଦଳ ।