ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିବେ କି ହେମନ୍ତ ସୋରେନ୍, ଜାଣନ୍ତୁ କିଭଳି ରହିଛି ଝାଡ଼ଖଣ୍ଡରେ ରାଜନୖେତିକ ସ୍ଥିତି

1 min read

ରାଞ୍ଚି: ଖଣି ଲିଜ୍ ଦୁର୍ନିତୀକୁ ନେଇ ବିପଦରେ ପଡିଛି ଝାଡ଼ଖଣ୍ଡର ସୋରେନ ସରକାର। କେଉଁ ମୁହୂର୍ତ୍ତରେ ବି ହାତରୁ ଖସିପାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଆସନ। ଦୁର୍ନିତୀକୁ ନେଇ ନିର୍ବାଚନ ଆୟୋଗ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବା ନେଇ ଚର୍ଚ୍ଚା ହେଉଛି ।

ଝାଡ଼ଖଣ୍ଡ ରାଜନୀତିର ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ବିଜେପି ନେତା ନିଶିକାନ୍ତ ଦୁବେଙ୍କ ଏକ ଟ୍ୱିଟ୍ ହଇଚଇ ସୃଷ୍ଟି କରିଛି। ସେ ଟ୍ୱିଟ୍ କରିଥିଲେ, ପଦରୁ ହଟିବା ପରେ ହେମନ୍ତ ସୋରେନ୍ ନିଜ ପତ୍ନୀଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବେ । ଯାହା ପରେ କଳ୍ପନା ସୋରେନଙ୍କ ନାମ ଚର୍ଚ୍ଚାରେ ରହିଛି । କଳ୍ପନା ହେଉଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ପତ୍ନୀ। ତେବେ ରାଜ୍ୟ ରାଜନୀତି ସଙ୍କଟ ଭିତରେ କାହିଁକି ଉଠୁଛି କଳ୍ପନାଙ୍କ ନାମ?

କୁହାଯାଉଛି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପତ୍ନୀଙ୍କୁ ରାଜନୀତିରେ ଏଣ୍ଟ୍ରି କରାଇବାକୁ ଚାହୁଁଛନ୍ତି । କେବଳ ଏତିକି ନୁହେଁ ହେମନ୍ତ ୨୫ ବର୍ଷ ପରେ ବିହାରର ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଇତିହାସ ଦୋହରାଇ ପାରନ୍ତି । ଦିନେ ଲାଲୁ ଯାଦବ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପୂର୍ବରୁ ପତ୍ନୀ ରାବ୍ରି ଦେବୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲେ । ଠିକ୍ ସେହିପରି ଝାଡ଼ଖଣ୍ଡରେ ମଧ୍ୟ ହେମନ୍ତ ରାବ୍ରି ମଡେଲ୍ ଆପଣାଇବେ ବୋଲି ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ ତେବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିବେ କଳ୍ପନା ସୋରେନ୍ । ତେବେ ଆସନ୍ତୁ ଜାଣିବା ରାବ୍ରି ମଡଲ୍ କ’ଣ ଓ କଳ୍ପନା କିଏ…

୧୯୯୬ରେ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଗୋ-ଖାଦ୍ୟ ଦୁର୍ନିତୀ ମାମଲା ଆସିଥିଲା । ଯାହାପରେ ଲାଲୁଙ୍କ ରାଜନୈତିକ କ୍ୟାରିୟରର ଅନ୍ତ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଜଣେ ପୋଖତ ରାଜନେତା ଭାବେ ଲାଲୁ ନେଇଥିଲେ ନିଷ୍ପତ୍ତି । ରାଜନୀତି ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞଥିବା ପତ୍ନୀ ରାବ୍ରି ଦେବୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲେ ଲାଲୁ । ଏହିପରି ଭାବେ ପଦରେ ନରହି ମଧ୍ୟ ସବୁ ନିଷ୍ପତ୍ତି ନେଉଥିଲେ ଲାଲୁ । ହେମନ୍ତ ସୋରେନ ମଧ୍ୟ ଏଭଳି କରିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସକ୍ରିୟ ରାଜନୀତରୁ ଖୁବ୍ ଦୂରରେ ରହିଛନ୍ତି କଳ୍ପନା। ଯଦିଓ ସମାଜ ସେବା କାର୍ଯ୍ୟକ୍ରମରେ ନିୟୋଜିତ ରହୁଥିବା କଳ୍ପନାଙ୍କ ଲୋକପ୍ରିୟତା ଖୁବ୍ ରହିଛି । ରାଞ୍ଚିରେ ଏକ ପ୍ଲେ-ସ୍କୁଲ୍ ଚଳାନ୍ତି କଳ୍ପନା । ରାଞ୍ଚିରେ ଜନ୍ମ ଗ୍ରହଣ କରିଥିବା କଳ୍ପନା, ପରିବାର ସହ ଓଡ଼ିଶାର ମୟୁରଭଞ୍ଜରେ ରହୁଥିଲେ । ପରେ ୨୦୦୬ ମସିହାରେ ହେମନ୍ତ ସୋରେନଙ୍କ ସହ ତାଙ୍କର ବିବାହ ହୋଇଥିଲା ।

ଝାଡ଼ଖଣ୍ଡରେ ମେଣ୍ଟ ସରକାର ରହିଛି । ଏହି ମେଣ୍ଟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସହ କଂଗ୍ରେସ, ଆରଜେଡ଼ି ଓ ଏନସିପି ସାମିଲ ରହିଛି । ଏବେ ଦେଖିବାକୁ ବାକି ରହିଲା କିଏ ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ?