ବିବାହ ବନ୍ଧନରେ ବାନ୍ଧି ହେଲେ ନୀରଜ ଚୋପ୍ରା, ଜାଣନ୍ତୁ କିଏ ତାଙ୍କ ପତ୍ନୀ ହିମାନୀ?
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ୨୦୨୫ରେ ନିଜ ପ୍ରଂଶସକଙ୍କୁ ଏକ ବଡ ସରପ୍ରାଇଜ ଦେଇଛନ୍ତି । ହଠାତ ବିବାହ ବନ୍ଧନରେ ବାନ୍ଧି ହୋଇ ବହୁ ଝିଅଙ୍କର ହୃଦୟ ଭାଙ୍ଗିଦେଇଛନ୍ତି । ବିବାହ ବନ୍ଧନରେ ବାନ୍ଧି ହେବା ପରେ ସେ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । ନୀରଜ ଇନଷ୍ଟାଗ୍ରାମ ଏବଂ ଏକ୍ସରେ ନିଜ ବିବାହର ଫଟୋ ସେୟାର କରିଛନ୍ତି । ଏଥିରେ ସେ ନିଜ ପତ୍ନୀ ଏବଂ ପରିବାରବର୍ଗଙ୍କ ସହିତ ନଜର ଆସିଛନ୍ତି । ଫଟୋ ପୋଷ୍ଟ କରିବା ପରେ ସେ କ୍ୟାପସନରେ ଲେଖିଛନ୍ତି- ‘ମୋ ପରିବାର ସହିତ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କଲି।’
ଅଲିମ୍ପିକ ବିଜେତା ନୀରଜ ଚୋପ୍ରା ଗୁପ୍ତ ଭାବରେ ବିବାହ କରିଛନ୍ତି । କାହାକୁ କିଛି ନଜଣାଇ କେବଳ ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଗୁପ୍ତ ଭାବରେ ବିବାହ କରିଛନ୍ତି । ଗତକାଲି ସୋସିଆଲ ମିଡିଆ ମାଧ୍ୟମରେ ନୀରଜ ଏହି ବିଷୟରେ ସମଗ୍ର ବିଶ୍ୱକୁ ସୂଚନା ଦେଇଛନ୍ତି । ନୀରଜଙ୍କ ସ୍ତ୍ରୀ’ଙ୍କ ନାମ ହେଉଛି ହିମାନୀ । କିନ୍ତୁ ସମସ୍ତେ ନୀରଜଙ୍କ ହୃଦୟ ଜିତିଥିବା ଏହି ହିମାନୀ କିଏ ଜାଣିବାକୁ ଚାହୁଁଛନ୍ତି । ତେବେ ନୀରଜଙ୍କ ସ୍ତ୍ରୀ ହିମାନୀ ଜଣେ ଟେନିସ୍ ପ୍ରଶିକ୍ଷକ ଏବଂ ହରିୟାଣାର ବାସିନ୍ଦା ଅଟନ୍ତି । ବାସ୍ତବରେ, ହିମାନୀଙ୍କ ସମ୍ପୂର୍ଣ୍ଣ ନାମ ହିମାନୀ ମୋର୍ ଏବଂ ନୀରଜଙ୍କ ପରି ସେ ମଧ୍ୟ ହରିୟାଣାର । ନୀରଜ ହରିୟାଣାର ପାନିପତ ଜିଲ୍ଲାର ଖଣ୍ଡରା ଗାଁର ବାସିନ୍ଦା ହୋଇଥିବାବେଳେ ହିମାନି ସୋନିପତ ଜିଲ୍ଲାର ଲଡସୌଲି ଗାଁର ବାସିନ୍ଦା ଅଟନ୍ତି ।
ସ୍ପୋର୍ଟଷ୍ଟାର ରିପୋର୍ଟ ଅନୁଯାୟୀ, ୨୫ ବର୍ଷୀୟ ହିମାନି ମୋର୍ ସୋନିପତ ସ୍କୁଲରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍ କଲେଜରୁ ରାଜନୀତି ବିଜ୍ଞାନ ଏବଂ ଫିଜିକାଲ ଏଜୁକେଶନ କ୍ଷେତ୍ରରେ ସ୍ନାତକ ହାସଲ କରିଥିଲେ। ତା’ପରେ ସେ ଆମେରିକାର ଲୁଇସିୟାନା ରାଜ୍ୟର ଦକ୍ଷିଣ ପୂର୍ବ ଲୁଇସିୟାନା ବିଶ୍ୱବିଦ୍ୟାଳୟରୁ ମଧ୍ୟ ଅଧ୍ୟୟନ କରିଥିଲେ। ସେ କେବଳ ଆମେରିକାରେ ଅଧ୍ୟୟନ କରୁନଥିଲେ ବରଂ ସେଠାରେ ଟେନିସ୍ ମଧ୍ୟ ଖେଳୁଥିଲେ ଏବଂ ସେଠାରୁ ଟେନିସ୍ କୋଚିଂରେ କ୍ୟାରିୟର ମଧ୍ୟ ଆରମ୍ଭ କରିଥିଲେ ।
ଆମେରିକାର ନ୍ୟୁ ହାମ୍ପସାର ଫ୍ରାଙ୍କଲିନ୍ ପିୟର୍ସ ୟୁନିଭରସିଟିରେ ସ୍ବେଚ୍ଛାସେବୀ ଟେନିସ୍ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ମୈସାଚୁସେଟ୍ସ ରାଜ୍ୟର ଆମହର୍ଷ୍ଟ କଲେଜରେ ଗ୍ରାଜୁଏଟ ଆସିଷ୍ଟାଣ୍ଟ ଅଟନ୍ତି ଏବଂ ସେହି କଲେଜର ମହିଳା ଟେନିସ୍ ଦଳକୁ ପ୍ରଶିକ୍ଷଣ ଦେବା ବ୍ୟତୀତ ସେ ସେମାନଙ୍କୁ ସମ୍ପୂର୍ଣ୍ଣ ପରିଚାଳନା କରୁଛନ୍ତି। ଏହାସହିତ ସେ ମ୍ୟାକ୍କାରମେକ ଆଇଜନବର୍ଗ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରୁ ସ୍ପୋର୍ଟସ୍ ମ୍ୟାନେଜମେଣ୍ଟର ମଧ୍ୟ ଅଧ୍ୟୟନ କରୁଛନ୍ତି ।