ଭାରତରୁ ଲୁଟି ଥିଲେ ମୟୂର ସିଂହାସନ, ଏଯାଏଁ ଖୋଜି ପାଉନାହାନ୍ତି ଆରବ ଦେଶ

ନନ୍ଦିଘୋଷ ବ୍ୟୁରୋ: ମୋଗଲ ଯୁଗରେ ସବୁଠାରୁ ମୂଲ୍ୟବାନ ସାମଗ୍ରୀ ମଧ୍ୟରେ ଗୋଟିଏ ଥିଲା ଶାହାଜାହାନଙ୍କ ଅବିଶ୍ବସନୀୟ ମୟୂର ସିଂହାସନ  । ସେ ସମୟର ଏହା ସବୁଠାରୁ ମହଙ୍ଗା ସିଂହାସନ ଥିଲା  । ଏଥିରେ ଲାଗିଥିବା ମୋତି, ମାଣିକ, ପନ୍ନା, ହୀରା ଆଉ ସୁନା ସିଂହାସନର ମୂଲ୍ୟକୁ ଦ୍ବିଗୁଣିତ କରି ଦେଇଥିଲା  । ନିର୍ମାଣ କଳାର ପ୍ରମାଣ ଦେଉଥିବା ଏହି ଶାନଦାର ସିଂହାସନର ଯଦିଓ ପତା ମିଳୁନି କିନ୍ତୁ ଆଜି ବି ଏଥିରେ ଲାଗିଥିବା ମୂଲ୍ୟବାନ ରତ୍ନ ଦୁନିଆରେ କେଉଁଠି ନା କେଉଁଠି ମହଜୁଦ ଅଛି  । 

୧୬୨୮ରେ ଉସ୍ତାଦ ସାଦ ଇ ଗିଲାନୀଙ୍କୁ ମୟୂର ସିଂହାସନ ନିର୍ମାଣ ପାଇଁ ଆଦେଶ ଦେଇଥିଲେ ମୋଗଲ ଶାସକ ଶାହାଜାହାନ  । ସିଂହାସନ ପ୍ରସ୍ତୁତ ପାଇଁ ଶହ ଶହ ଓଜନର ହିରା ମୋତି ମାଣିକ ସହ ଏକ ଲକ୍ଷ ତୋଳା ସୁନା ଦେଇଥିଲେ ସେତେବେଳର ଶାସକ  । ସାତ ବର୍ଷରେ ପ୍ରସ୍ତୁତ ହୋଇପାରିଥିଲା ଐତିହାସିକ ମୟୂର ସିଂହାସନ  ।  ସିଂହାସନ ଉପରେ ଦୁଇଟି ମୟୂର ଥିବାବେଳେ ଚତୁର୍ଭୁଜ ଆକାରର ଛତା ରହିଥିଲା  । ଏହି ମୟୂର ପିଠିରେ ବହୁ ମୂଲ୍ୟବାନ ରତ୍ନର ବ୍ୟବହାର ହୋଇଥିଲା  । ୧୦୮ ମାଣିକ ଓ ୧୧୬ ପନ୍ନା ବିଶିଷ୍ଟ ଏହି ସିଂହାସନ ଅଧିକାଂଶ ସମୟରେ ଦିଲ୍ଲୀ ଓ ଆଗ୍ରା ଦରବାରକୁ ଅଣାଯାଉଥିଲା  ।

ସୌନ୍ଦର୍ଯ୍ୟ ସାଙ୍ଗକୁ ମୂଲ୍ୟ ଦେଖିଲେ ଏହା ଦୁନିଆର ସବୁଠାରୁ ମହଙ୍ଗା ସିଂହାସନ ଭାବେ ଗଣାଯାଏ  । ୧୬୬୫ରେ ଭାରତୀୟ ମୂଲ୍ୟ ଅନୁସାରେ ଏହାର ଦାମ ଥିଲା ପାଖାପାଖି ୧୦ କୋଟି ୭୦ ଲକ୍ଷ ଟଙ୍କା  । ପାଉଣ୍ଡ୍‌ରେ ଏହାର ମୂଲ୍ୟ ଥିଲା ଏକ କୋଟି ୨୦ ଲକ୍ଷ ୩୭ ହଜାର ୫୦୦ ପାଉଣ୍ଡ  । ବର୍ତ୍ତମାନ ଭାରତୀୟ ମୁଦ୍ରାରେ ଏହି ସିଂହାସନର ମୂଲ୍ୟ ଏକ ହଜାର ତିନି ଶହ ୫୯ କୋଟି ୪୩ ଲକ୍ଷ ୬୭ ହଜାର ୫୭୨ ଟଙ୍କା ହେବ  । ଜଣେ ଫ୍ରାନ୍ସ ପର୍ଯ୍ୟଟକ ସିଂହାସନର ମୂଲ୍ୟ ୨ କୋଟି ସ୍ବର୍ଣ୍ଣ ମୁଦ୍ରା ହୋଇଥିବା କହିଛନ୍ତି  ।

୧୭୩୯ରେ ମୋଗଲ ଶାସକଙ୍କୁ ଦୁର୍ବଳ ଦେଖି ଇରାନର ଶାସକ ଭାରତରେ ଆକ୍ରମଣ କରିଥିଲେ  । ଯାହାର ପରିଣାମ ନାଦିର ଶାହଙ୍କ ସେନା ଦିଲ୍ଲୀ କବଜା କରିବା ପରେ ମୟୂର ସିଂହାସନ ସମେତ ଅନେକ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲା  । ନାଦିର ଶାହ ଯେଉଁ ମୂଲ୍ୟବାନ ରତ୍ନ ଭାରତରୁ ଲୁଟି ନେଇଛି ସେଥିମଧ୍ୟରେ ରହିଛି ଅକବର ଶାହ, ଗ୍ରେଟ ମୁଗଲ, ଗ୍ରେଟ ଟେବୁଲ, କୋହିନୁର ଓ ଶାହ ନାମକ ମୂଲ୍ୟବାନ ହୀରା  । ଅକବର ଶାହ ନାମକ ହୀରା ମୟୂର ସିଂହାସନରେ ଥିବା ମୟୂର ଆଖିରେ ଲାଗିଥିବା ବିଶେଷଜ୍ଞ ମାନେ ମତ ଦିଅନ୍ତି  ।

ତେବେ କୁଆଡେ ଗଲା ଏହି ଦୁର୍ଲଭ ସାମଗ୍ରୀ  । ୧୭୪୭ରେ ନାଦିର ଶାହକୁ ତାର ଜଣେ ନିକଟ ସମ୍ପର୍କୀୟ ହତ୍ୟା କରିଥିଲା  । ଏହାପରେ ଇରାନରେ ଦେଖା ଦେଇଥିବା ହିଂସା ମଧ୍ୟରେ ଗାଏବ ହୋଇଯାଇଥିଲା ମୟୂର ସିଂହାସନ  । ଐତିହାସିକଙ୍କ ମତରେ ସେହି ସମୟରେ ମୟୂର ସିଂହାସନକୁ ଭାଙ୍ଗି ସେଥିରେ ଲାଗିଥିବା ମୂଲ୍ୟବାନ ରତ୍ନକୁ ଲୁଟି ନେଇଥିଲେ ଦୁର୍ବୃତ୍ତ । ଏହାପରେ ଇରାନ ଶାସକ ମାନେ ସନ ନାମକ ସିଂହାସନ ତିଆରି କରିଥିଲେ  । କୁହାଯାଉଛି ଯେ ମୟୂର ସିଂହାସନର ତଳ ଭାଗକୁ ସନ ସିଂହାସନରେ ଯୋଡା ଯାଇଛି  ।

ମୟୂର ସିଂହାସନ ଅଚାନକ ଗାଏବ ହୋଇଯିବା ମୋଗଲଙ୍କ ପାଇଁ ଏକ ବଡ ଝଟକା ଥିଲା  । ଏଥିପାଇଁ ସେତେବେଳର ଶାସକ ମୟୂର ସିଂହାସନ ଭଳି ଆଉ ଏକ ପ୍ରତିକୃତି ତିଆରି କରିଥିଲେ  । ହେଲେ ୧୮୫୭ରେ ଏହି ସିଂହାସନ ମଧ୍ୟ ଲୁଟର ଶିକାର ହୋଇଥିଲା  ।